ଅତନୁଙ୍କ ଷଡ଼ଯନ୍ତ୍ରର ଶିକାର ହେଲେ ଅରବିନ୍ଦ!

ଅତନୁଙ୍କ ଷଡ଼ଯନ୍ତ୍ରର ଶିକାର ହେଲେ ଅରବିନ୍ଦ!

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ଆସିଲେ ମନେପଡ଼ନ୍ତି ଅତନୁ ସବ୍ୟସାଚୀ ନାୟକ । କାହିଁକିନା ଘୋଡ଼ାବେପାରରେ ତାଙ୍କରି ନାଁ ହିଁ ଉଠିଥିଲା । ଏବେ ରାଜ୍ୟସଭା ନିର୍ବାଚନ ଆସି ଯାଇଥିବାବେଳେ ଏଥର ବି ଅତନୁ ମନେ ପଡ଼ିଛନ୍ତି । ଅବଶ୍ୟ ଭିନ୍ନ ଏକ କାରଣ ପାଇଁ । ଷଡ଼ଯନ୍ତ୍ର କରି ସେ ଜଣେ ସ୍ୱାଭିମାନୀ ବିଜେଡ଼ି ବିଧାୟକଙ୍କୁ ବଳି ପକାଇ ଦେଇଛନ୍ତି । ମହାକାଳପଡ଼ାରେ ମାଟି କାମୁଡ଼ିବା ପରେ ପାଟକୁରାରୁ ବିଧାୟକ ହେବାର ସ୍ୱପ୍ନ ଦେଖୁଥିବା ଅତନୁଙ୍କୁ ନେଇ ଏବେ କେନ୍ଦ୍ରାପଡ଼ା ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ୟାରୀମୋହନ ମହାପାତ୍ରଙ୍କ ଛତ୍ରଛାୟାରେ ରହି ସେ ଏକଦା ପକା ଖେଳୁଆଡ଼ ପାଲଟି ଯାଇଥିଲେ । କେବେ ମିଡ଼ିଆକୁ ସାଇଜ୍‌ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ତ କେବେ ଦଳର ନେତାଙ୍କୁ ପାନେ ଦେବା ପାଇଁ ଷଡ଼ଯନ୍ତ୍ର କରନ୍ତି । ଏମିତିବି ଅନେକ ମେ’ ୨୯ ଷଡ଼ଯନ୍ତ୍ର ପଛରେ ଅତନୁଙ୍କୁ ପ୍ରମୁଖ ଗୋଟି ବୋଲି କହନ୍ତି । 


   କେନ୍ଦ୍ରାପଡ଼ା ରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ପାଇଁ ଏକ ଷଡ଼ଯନ୍ତ୍ର ହୋଇଥିଲା । ପାଣ୍ଡିଆନଙ୍କ ଖାସ୍‌ ଅନୁଗତ ଥିବା ଅତନୁ ପାଟକୁରା ରାଜନୀତିରୁ ବିଜୟଙ୍କ ପୁଅଙ୍କୁ ହଟାଇବାକୁ ଚାହୁଁଥିଲେ । ଦଳ କ୍ଷମତାରେ ଥିବାବେଳେ ସେ ମହାକାଳପଡ଼ା ସହ ପାଟକୁରାକୁ ହାତେଇବାକୁ ଚାହିଁଥିଲେ । ହେଲେ ବେଦପ୍ରକାଶ ଅଗ୍ରୱାଲ ତାହା କରାଇ ଦେଇନଥିଲେ । ବେଦୁବାବୁଙ୍କ ପରଲୋକ ପରେ ଅତନୁଙ୍କୁ ପାଟକୁରା ନିଶା ଘାରିଥିଲା । ନିଜେ ମହାକାଳପଡ଼ାରୁ ଓ ଭାଇଙ୍କୁ ପାଟକୁରାରୁ ପ୍ରାର୍ଥୀ କରିବାକୁ ଖୁବ୍‌ ଦମ୍‌ରେ ଲାଗିଥିଲେବି ତାହା ସଫଳ ହୋଇନଥିଲା । ଏବେ ମହାକାଳପଡ଼ାରେ ଆଉ ଲଢ଼ିବାକୁ ଇଚ୍ଛା ନାହିଁ । ବିଜେପି ନେତା ଦୁର୍ଗାଙ୍କ ପ୍ରକୋପରେ ସେ ପୂରା ଫିକା ପଡ଼ିଯାଇଛନ୍ତି । ନିର୍ବାଚନମଣ୍ଡଳୀ ନଯାଇ ଶଙ୍ଖ ଭବନରେ ବସିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ପାଟକୁରାକୁ ଏବେ ମୁହାଁଇଛନ୍ତି  । ହେଲେ ତାଙ୍କ ରାସ୍ତାରେ କଣ୍ଟା ଥିଲେ ଅରବିନ୍ଦ । ତେଣୁ ତାଙ୍କୁ ହଟାଇବା ପାଇଁ ସେ ଦୀର୍ଘଦିନ ଧରି ଯେଉଁ ଉଦ୍ୟମ କରି ଆସୁଥିଲେ ତାହା ସଫଳ ହୋଇଛି । ଅରବିନ୍ଦଙ୍କ ନିଲମ୍ବନ ପରେ ଗଣମାଧ୍ୟମକୁ ଆସି ସେ ଯେଉଁ ବୟାନ ଦେଇଛନ୍ତି ସେଥିରୁ ତାହା ସ୍ପଷ୍ଟ ହୋଇଛି । ବିଜେଡ଼ିରେ ଦୁର୍ନୀତିଗ୍ରସ୍ତ ଆଉ ବିଶ୍ୱାସଘାତକଙ୍କର ସ୍ଥାନ ନାହିଁ ବୋଲି କହିଛନ୍ତି । ହେଲେ ଜଗତେ କେବଳ ଜନେ ହସିବେ ନ୍ୟାୟରେ ସମସ୍ତେ ହସୁଛନ୍ତି ।


   କାହିଁକିନା ବିଜେଡ଼ିରେ ସତେଯେମିତି କେବଳ ସନା ଓ ଅରବିନ୍ଦ ହିଁ ଦୁର୍ନୀତିଗ୍ରସ୍ତ ଆଉ ବିଶ୍ୱାସଘାତକ । ଏବେତ ବିଜେଡ଼ି ସରକାରରେ ନାହିଁ ସେମାନେ ଦୁର୍ନୀତିଗ୍ରସ୍ତ ହେଲେ କେମିତି । ଦିନେ ସନାଙ୍କ ବଳରେ ବିଜେଡ଼ି କେନ୍ଦୁଝରରେ ବଳୀୟାର ହୋଇଥିଲା । କେବଳ ସନାଙ୍କ ସମର୍ଥନ ପାଇବା ପାଇଁ ଦଳ ତାଙ୍କ ଅନୁଗତଙ୍କୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀ କରିଥିଲା । ୨୦୨୪ରେ ବି ସନାଙ୍କୁ ବିଜେଡ଼ି ଟିକେଟ ଦେଇଥିଲା । ସେତେବେଳେ ସନା କ’ଣ କ୍ଳିନ୍‌ ଥିଲେ କି ? ଆଉ ରହିଲା ବିଶ୍ୱାସଘାତକତା କଥା । ମେ’ ୨୯ରେ କେତେ ବିଶ୍ୱାସଘାତକ ଆଜି ଦଳରେ ମୁଣ୍ଡିଆଳ ହୋଇଛନ୍ତି ସେ କଥା କ’ଣ ନବୀନଙ୍କୁ ଅଗୋଚର । ପ୍ୟାରୀଙ୍କ କ୍ୟାମ୍ପରେ କିଏ କିଏ ଥିଲେ ? ସେ  କଥା କ’ଣ ନବୀନ ଜାଣିନାହାନ୍ତି କି ? ହଁ, ଏକଥା ସତ୍ୟଯେ, ପାଣ୍ଡିଆନଙ୍କୁ ବିରୋଧ କରୁଥିବା ଲୋକ ହିଁ ବିଜେଡ଼ି ବିରୋଧୀ । ନବୀନ ସିଧାସଳଖ ଘୋଷଣା ନକରି ବୁଲେଇବାଙ୍କେଇ ହିଁ ସଂକେତ ଦେଉଛନ୍ତି କହିଲେ ଭୁଲ୍‌ ହେବକି ?