ଅତିରିକ୍ତ ବଜେଟ୍‌ କଳେବର ୧୦ ହଜାର କୋଟି : କ୍ୟାବିନେଟ୍‌ରେ ୩ ପ୍ରସ୍ତାବକୁ ମଞ୍ଜୁରୀ

ଅତିରିକ୍ତ ବଜେଟ୍‌ କଳେବର ୧୦ ହଜାର କୋଟି : କ୍ୟାବିନେଟ୍‌ରେ ୩ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ୍‌ ଉପରେ ମୋହର ଲାଗିଛି । ଆଗାମୀ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ । ଏହି ଅତିରିକ୍ତ ବଜେଟର କଳେବର ୧୦ ହଜାର କୋଟିରୁ ଅଧିକ ରହିବ ବୋଲି ଜାଣିବାକୁ ମିଳିଛି । ତେବେ ଏସଂକ୍ରାନ୍ତୀୟ ସବିଶେଷ ସୂଚନା ମିଳିପାରିନାହିଁ । 


      ରାଜ୍ୟ କ୍ୟାବିନେଟର ୩୧ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ତରଫରୁ ଆଗତ ୩ ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧିନସ୍ଥ ‘ଖ’ ବର୍ଗ ଏବଂ ‘ଗ’ ବର୍ଗ ଅନ୍ତର୍ଗତ ସ୍ୱତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ ୨୦୨୨ର ସିଡ୍ୟୁଲ-୧ରେ ୧୪ ନୂଆ ପଦବୀକୁ ଅନ୍ତର୍ଭୁକ୍ତ କରାଯିବା ସହ ପୂର୍ବରୁ ଅନ୍ତର୍ଭୁକ୍ତ ୪ ପଦବୀକୁ ବାଦ୍‌ ଦିଆଯିବ । ଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସମସ୍ତ ୩୯ଟି ସ୍ୱତନ୍ତ୍ର ପଦବୀଗୁଡ଼ିକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ । ଏଥିପାଇଁ ନିୟମାବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି ।