ଦିଲ୍ଲୀ ପ୍ରଦୂଷଣ : ଇଣ୍ଡିଆ ଗେଟରେ ବିକ୍ଷୋଭ ପୁଲିସକୁ ଆକ୍ରମଣ, ୨୨ ଗିରଫ
‘ହିଡ଼ମା’ ସପକ୍ଷରେ ସ୍ଲୋଗାନ
ନୂଆଦିଲ୍ଲୀ : ଦୀର୍ଘ ଏଗାର ଦିନ ହେଲା ଦିଲ୍ଲୀ ବାୟୁ ପ୍ରଦୂଷଣ ଉଦବେଗଜନକ ରହିଛି । ଏଥିରେ କିଛି ପରିବର୍ତ୍ତନ ଆସୁନାହିଁ । ଏହାର ପ୍ରତିବାଦରେ ଇଣ୍ଡିଆ ଗେଟ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ବେଳେ ପୁଲିସ ଉପରକୁ ଆକ୍ରମଣ କରାଯାଇଥିଲା । ଏଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ବିକ୍ଷୋଭ ସମୟରେ ପ୍ରତିବାଦକାରୀମାନେ ପୁଲିସ ଏନକାଉଣ୍ଟରରେ ନିହତ ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ମାଡଭି ହିଡମାର ପୋଷ୍ଟର ଧରି ତା ସପକ୍ଷରେ ସ୍ଲୋଗାନ ଦେଉଥିବା ଅଭିଯୋଗ ଆସିଛି । ଏହି ଘଟଣାରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରିଥିବା ବେଳେ ୨୨ଜଣଙ୍କୁ ଗିରଫ କରିଛି।
ରବିବାର ସନ୍ଧ୍ୟାରେ ଏହି ହିଂସାକାଣ୍ଡ ଘଟିଥିଲା । ବିନା ଅନୁମତିରେ ଇଣ୍ଡିଆ ଗେଟ ସମ୍ମୁଖରେ ଏହି ପ୍ରତିବାଦ କରାଯାଉଥିଲା । ଯେତେବେଳେ ପୁଲିସ ସେମାନଙ୍କୁ ହଟାଇବାକୁ ଚେଷ୍ଟା କଲା ପ୍ରତିବାଦକାରୀମାନେ ପୁଲିସ ଉପରକୁ ଗୋଲମରିଚ ଗୁଣ୍ଡ ସ୍ପ୍ରେ କରିଥିଲେ । ଆଉ ଠେଲାପେଲା କରିଥିଲେ । ଏଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇ ଆରଏମଏଲ ହସ୍ପିଟାଲକୁ ନିଆଯାଇଥିଲା । ଇଣ୍ଡିଆ ଗେଟର ସି-ହେକ୍ସାଗନ୍ରୁ ପ୍ରତିବାଦକାରୀଙ୍କୁ ହଟାଇବା ପରେ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନକୁ ନିଆଯାଇଥିଲା । ସେଠାରେ ମଧ୍ୟ ସେମାନେ ଏସକର୍ଟିଂ ଅଧିକାରୀଙ୍କ ସହିତ ପୁଣି ଥରେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସେମାନେ ତଦନ୍ତ କରୁଛନ୍ତି ଯେ ପ୍ରତିବାଦକାରୀମାନେ ଆନ୍ଧ୍ରପ୍ରଦେଶରେ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ମାଓବାଦୀ କମାଣ୍ଡର ମାଡଭି ହିଡମାଙ୍କ ପୋଷ୍ଟର ଧରିଥିଲେ କି ନାହିଁ ଏବଂ ସେମାନେ ତାଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ କି ନାହିଁ। ସୋସିଆଲ ମିଡିଆରେ ପ୍ରକାଶିତ ଭିଡିଓରେ କିଛି ପ୍ରତିବାଦକାରୀଙ୍କୁ ହିଡମାଙ୍କ ପୋଷ୍ଟର ଧରିଥିବା ଦେଖାଯାଇଥିଲା । ଡେପୁଟି ପୁଲିସ କମିଶନର (ନୂଆଦିଲ୍ଲୀ) ଦେବେଶ ମହଲା କହିଛନ୍ତି ଯେ ଅଭିଯୁକ୍ତମାନେ ଲଙ୍କା ପାଉଡର ବ୍ୟବହାର କରିଥିଲେ ଓ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତେଣୁ ସେମାନଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଥିଲା । ବିରୋଧ ପ୍ରଦର୍ଶନ ସମୟରେ ହିଡମାଙ୍କ ପୋଷ୍ଟର ବହନ କରାଯାଇଥିଲା କି ନାହିଁ ସେ ବିଷୟରେ ମହଲା କହିଛନ୍ତି, ଆମେ ଏହାର ତଦନ୍ତ କରୁଛୁ ।
ଏହି ଘଟଣାରେ ପ୍ରଥମ ଏଫଆଇଆରଟି କାର୍ତ୍ତବ୍ୟ ପଥ ପୁଲିସ ଷ୍ଟେସନରେ ରୁଜୁ କରାଯାଇ ଛଅ ଜଣଙ୍କୁ ଗିରଫ କରାଯାଇଛି । ଦ୍ୱିତୀୟ ଏଫଆଇଆରଟି ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନରେ ରୁଜୁ କରାଯାଇ ଅନ୍ୟମାନଙ୍କୁ ଗିରଫ କରାଯାଇଛି।