ଅତୁଲ ସୁବାଶ ଆତ୍ମହତ୍ୟା ମାମଲା;ପତ୍ନୀ ନିକିତାଙ୍କ ସମେତ ୩ ଗିରଫ

ଅତୁଲ ସୁବାଶ ଆତ୍ମହତ୍ୟା ମାମଲା;ପତ୍ନୀ ନିକିତାଙ୍କ ସମେତ ୩ ଗିରଫ


ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଶ ଆତ୍ମହତ୍ୟା ମାମଲାରେ ପୁଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଞ୍ଜିନିୟରଙ୍କ ପତ୍ନୀ ନିକିତା ସିଙ୍ଘାନିଆ ତାଙ୍କ ମା' ନିଶା ସିଙ୍ଘାନିଆ ଓ ଭାଇ ଅନୁରାଗ ସିଙ୍ଘାନିଆଙ୍କୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି । ନିକିତାଙ୍କୁ ଗୁରୁଗ୍ରାମରୁ ଓ ମା' ଏବଂ ଭାଇଙ୍କୁ ପୁଲିସ ଏହ୍ଲାବାଦରୁ ଗିରଫ କରିଥିବା ସୂଚନା ମିଳିଛି । ସମସ୍ତ ତିନି ଜଣଙ୍କୁ ବେଙ୍ଗାଲୁରୁ ଆଣି କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ବେଙ୍ଗାଲୁରୁ ପୁଲିସ ଡିସେମ୍ବର ୧୩ ତାରିଖରେ ଅତୁଲ ସୁଭାଶଙ୍କ ପତ୍ନୀ ନିକିତା ସିଙ୍ଘାନିଆଙ୍କ ଜୈନପୁର ସ୍ଥିତ ବାସଭବନ ବାହାରେ ଏକ ନୋଟିସ୍‌ ଲଗାଇଥିଲା । ତେବେ ଏହା ପୂର୍ବରୁ ନିକିତା ଫେରର ଥିବା ବେଳେ ତାଙ୍କ ମା' ଓ ଭାଇ ମଧ୍ୟ ଗିରଫ ଭୟରେ ଘରେ ତାଲା ଲଗାଇ ଫେରାର ହୋଇଯାଇଥିଲେ । 
ବେଙ୍ଗାଲୁରୁର ୩୪ ବର୍ଷିୟ ଏଆଇ ଇଞ୍ଜିନିୟର ଅତୁଲ ସୁଭାଶ ଗତ ୯ ତାରିଖରେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିିଥିଲେ । ସେ ୨୪ ପୃଷ୍ଠାର ସୁସାଇଡ୍‌ ନୋଟ୍‌ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍‌ ଛାଡି ଜୀବନ ହାରିଛନ୍ତି । ଆକସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରି କରୁଥିବା ସତ୍ତେ୍ୱ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡପତ୍ର ସେଟେଲମେଣ୍ଟ ପାଇଁ ୩ କୋଟି ଟଙ୍କା ଦାବି କରୁଥିଲେ । ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ । ନିଜ ସୁସାଇଡ୍‌ ନୋଟ୍‌ରେ ତାଙ୍କ ସ୍ତ୍ରୀ ନିକିତା ସିଙ୍ଘାନିଆ ଏବଂ ଶାଶୂଙ୍କ ବିରୋଧରେ ଅତୁଲ ଗୁରୁତର ଅଭିଯୋଗ କରିଛନ୍ତି । ତାଙ୍କ ସୁଇସାଇଡ ନୋଟରେ କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି ।
ତେବେ ଏହି ଗିରଫଦାରୀ ପରେ ତାଙ୍କ ବାପା ପୱନ କୁମାର ମୋଦି ଅତୁଲଙ୍କ ୪ ବର୍ଷର ପୁଅକୁ ନେଇ ଚିନ୍ତା ପ୍ରକଟ କରିବା ସହ ଶିଶୁର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଗିରଫଦାରୀ ପାଇଁ ମୋଦି ପୁଲିସକୁ ଧନ୍ୟବାଦ ଜଣାଇଥିଲେ ମଧ୍ୟ ନାତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆମେ ଜାଣିନାହୁଁ ସେମାନେ ଆମ ନାତିକୁ କେଉଁଠାରେ ରଖିଛନ୍ତି । ତାକୁୁ ହତ୍ୟା କରାଯାଇଛି ନା ସେ ଜୀବିତ ଅଛିି? ଆମେ ତା ବିଷୟରେ କିଛି ଜାଣିନାହୁଁ  । ମୁଁ ଚାହୁଁଛି ମୋ ନାତି ଆମ ସହିତ ରହୁ । ଏହାସହ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଅତୁଲ ସୁଭାଶଙ୍କ ଅସ୍ଥି ବିସର୍ଜନ ନ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଛନ୍ତି । ମୋଦିଙ୍କ କହିବା ଅନୁଯାୟୀ, ପରିବାର ଲୋକ ଅତୁଲଙ୍କ ଅସ୍ଥି ଆଣିଛନ୍ତି କିନ୍ତୁ ନ୍ୟାୟ ପାଇବା ପର୍ଯ୍ୟନ୍ତ  ରୀତିନୀତି କରିବାରୁ ଦୂରେଇ ରହିବେ । ଅତୁଲଙ୍କ ମାମଲାର ଶୁଣାଣି ଚାଲିଥିବା ଜୌନପୁର ପାରିବାରିକ ଅଦାଲତରେ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଜରିମାନା ଦେବାକୁ ଇଛୁକ ଥିଲେ ମଧ୍ୟ କେବେ ଲାଞ୍ଚ ନେବେ ନାହିଁ ବୋଲି କହି ଲାଞ୍ଚ ଦେବାକୁ ମନା କରିଥିବା ଅତୁଲଙ୍କ ଠାରୁ ବିଚାରପତି ଟଙ୍କା ମାଗିଥିଲେ ବୋଲି ଶ୍ରୀ ମୋଦି ଦାବି କରିଛନ୍ତି । ଭାବପ୍ରବଣ ସ୍ୱରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ନିବେଦନ କରିଛନ୍ତି । "ମୁଁ ତାଙ୍କୁ କେବଳ ଭିଡିଓ କଲରେ ଦେଖିଛି, ତାଙ୍କୁ ନିକଟରେ ରଖିନାହିଁ । ଜଣେ ଜେଜେବାପାଙ୍କ ପାଇଁ ତାଙ୍କ ନାତି ତାଙ୍କ ପୁଅ ଠାରୁ ବି ଅଧିକ ସ୍ୱତନ୍ତ୍ର ବୋଲି ସେ କାନ୍ଦି କାନ୍ଦି କହିଥିଲେ ।
ଅତୁଲ ସୁଭାଶଙ୍କ ଭାଇ ବିକାଶ କୁମାର ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ଅଭିଯୋଗ ଆଣିଥିବା ବେଳେ ନିଖୋଜ ଶିଶୁକୁ ନେଇ ତାଙ୍କ ବାପା ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ଆମର ସବୁଠାରୁ ବଡ ଚିନ୍ତା ହେଉଛି ଯେ ଆମେ ଜାଣିନାହୁଁ ମୋ ପୁତୁରା କେଉଁଠି ଅଛି  । ପୁଲିସ ଦ୍ୱାରା ପ୍ରସାରିତ ଫଟୋରେ ଆମେ ତାଙ୍କୁ ପାଇନଥିଲୁ  । ଆମେ ଜାଣିବାକୁ ଚାହୁଁଛୁ ଯେ ସେ କେଉଁଠି ଅଛନ୍ତି । ନିକିତା ସିଂଘାନିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିଥିବାରୁ ବିକାଶ କର୍ଣ୍ଣାଟକ ପୁଲିସକୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଆହୁରି ଦୁଇ ଜଣଙ୍କୁ ଗିରଫ କରିବା ବାକି ରହିଛି ବୋଲି ଉଲ୍ଲେଖ କରିଛନ୍ତି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।