ଅଧାରୁ ପାଠ ଛାଡୁଥିବା ପିଲା ପୁଣି ପାଠ ପଢିବେ : ଓସେପା 

 ମାଲକାନଗିରି  : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡା ଜନଜାତିର ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକ୍ରୁଷ୍ଟ କରିବା ସହ ଅଧାରୁ ପାଠ ଛାଡୁଥିବା ପିଲାଏ କିଭଳି ଭାବେ ବିଦ୍ୟାଳୟକୁ ଫେରିବେ ଓ ଶିକ୍ଷା ଗ୍ରହଣ କରିବେ ସେନେଇ ସମୀକ୍ଷା ଓ ସଚେତନ କରାଇବା ପାଇଁ ବଣ୍ଡାଘାଟିର ମୁଦୁଲିପଡାକୁ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଓସେପା ଉପ-ନିଦେ୍ର୍ଧଶକ ପ୍ରଦୋଷ କୁମାର ନାୟକ ଗସ୍ତ କରିଥିଲେ । ବଣ୍ଡାଗୁଡା, ବାଡେଇଗୁଡା, ମୁଦୁଲିପଡା, ଦାନ୍ତୀପଡା ଭଳି ଅଞ୍ଚଳକୁ ଯାଇ ଏହି ଆଦିମ ଜନଜାତିର ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ଭେଟି ଆଲୋଚନା କରିଥିଲେ । କେଉଁ କାରଣରୁ ଛାତ୍ର ଛାତ୍ରୀ ମାନେ ଅଧାରୁ ପାଠପଢା ଛାଡିଛନ୍ତି ସେନେଇ ବୁଝିବା ସହ ସମୀକ୍ଷା କରିଥିଲେ ।  ଏନେଇ ସ୍ଥାନୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଯେପରି ୪ବର୍ଷରୁ ୧୫ ବର୍ଷ ଯାଏଁ ସବୁ ପିଲାଏ ବିଦ୍ୟାଳୟକୁ ଯିବେ ଏବଂ ରାଜ୍ୟ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ କିପରି ଉଚିତ ଶିକ୍ଷା ମିଳିବ ସେନେଇ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱ ଦେବାକୁ ନିଦେ୍ର୍ଧଶ ଦେଇଥିଲେ । ଦାରିଦ୍ରତା ଓ ଗରିବ ସୀମାରେଖା ତଳେ ଅଧିକାଂଶ ଲୋକେ ରହୁଥିବାରୁ ପିଲାଏ ପାଠ ଛାଡି ଶିଶୁ ଶ୍ରମିକ ଏବଂ ଦାଦନ ଯାଉଥିବା ଏହି ସମୀକ୍ଷା ବେଳେ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ଏଣୁ ଏହା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବା ପାଇଁ ନାୟକ ମତ ରଖିଥିଲେ । ଏହି ଗସ୍ତ ସମୟରେ ଖଇରପୁଟ ଏବିଓ ସୀବନୀ ମୁଦୁଲି, ସ୍ଥାନୀୟ ଅଞ୍ଚଳର ଶିକ୍ଷକ ଏବଂ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।