ମା’ଙ୍କ ନାମରେ ମହାଲୁଟ୍  : ଏବେ ବି ଖୋଜା ପଡ଼ିଛି ୭ ଲକ୍ଷ ଫଳକର କାର୍ଯ୍ୟ

 ବିଞ୍ଝାରପୁର : ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କିଛି ଏଭଳି ଅଭିଯୋଗ ଆସିଥିଲା କି କଲ୍ୟାଣପୁର ପଞ୍ଚାୟତରେ ଥିବା ମା’ମଙ୍ଗଳଚଣ୍ଡୀ ପୀଠରେ ଲାଗିଥିବା ଏକ ୭ ଲକ୍ଷ ଟଙ୍କାର ଫଳକର କାର୍ଯ୍ୟ ମିଳୁନାହିଁ । ଅଭିଯୋଗକୁ ପ୍ରକୋଷ୍ଠରେ ଗ୍ରହଣ କରାଯାଇ ଏହାର ତଦନ୍ତ ଭାର ବିଡିଓଙ୍କୁ ଦିଆଯାଇଥିଲା । ଉକ୍ତ ଫଳକର କାର୍ଯ୍ୟ ସଂପର୍କରେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଥିଲେ  ଫଳକରେ ଲେଖାଯାଇଥିବା କାର୍ଯ୍ୟ ଓ ଅର୍ଥ ମା’ଙ୍କ ମନ୍ଦିର କାର୍ଯ୍ୟରେ ଲାଗିଛି । ସମସ୍ତ ପେମେଣ୍ଟ ଭେଣ୍ଡରଙ୍କୁ ପ୍ରଦାନ କରାଯାଇଛି । ପ୍ରକୃତରେ ଏହି ଅର୍ଥ ମନ୍ଦିରରେ ଲାଗିଛି କି ନାହିଁ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାନାହିଁ ବୋଲି ତାଙ୍କ ଉତରରୁ ବୁଝା ପଡିଯାଇଥିଲା । ଯାହାକୁ ନେଇ ବିଡିଓଙ୍କ ପ୍ରକୋଷ୍ଠରେ କିଛି ଦିନ ପୂର୍ବେ ସହକାରୀ ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ବ୍ଲକ ଅଧ୍ୟକ୍ଷା, ଉପାଧକ୍ଷା, କନିଷ୍ଠଯନ୍ତ୍ରୀ ଓ ଅଭିଯୋଗକାରୀଙ୍କୁ ନେଇ ଏକ ତଦନ୍ତର ବୈଠକ ବସିଥିଲା । ଆଲୋଚନାରେ ଏହା ସିଦ୍ଧାନ୍ତ ହୋଇଥିଲା କି ଯଦି ଉକ୍ତ ଅର୍ଥ ମା’ଙ୍କ ମନ୍ଦିର କାର୍ଯ୍ୟରେ ଲାଗିଛି ତେବେ ମନ୍ଦିର ନିର୍ମାଣ ହେଉଥିବାର ସଠିକ୍ ସ୍ଥାନ କନିଷ୍ଠ ଯନ୍ତ୍ରୀ ଚିହ୍ନଟ କରି ଉକ୍ତ ଫଳକକୁ ତୁରନ୍ତ ବସାଇବେ । ଏହି ଆଲୋଚନାର ୧୫ଦିନରୁ ଊର୍ଦ୍ଧ ହେଇଯାଇଥିଲେ ସୁଦ୍ଧା କନିଷ୍ଠଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ ଦିନ ପରେ ଦିନ ଗଡ଼ାଇ ଭୁଆଁ ବୁଲାଉଛନ୍ତି । ମନ୍ଦିର ନିର୍ମାଣ ଦାୟିତ୍ୱ ନେଇ କରାଉଥିବା ବ୍ୟକ୍ତି କହୁଛନ୍ତି କି ମନ୍ଦିରର ଶେଷ ପର୍ଯ୍ୟାୟ କାର୍ଯ୍ୟ ସରିବାକୁ ବସିଲାଣି ଯେଉଁଥିରେ ଗୋଟିଏ ଟଙ୍କା ବି ସରକାରୀ ଅର୍ଥ ଲାଗିନି । ତେବେ ୭ ଲକ୍ଷ୍ୟ କିଏ କେତେ ବେଳେ କାହାକୁ ଦେଇଛି, ଆଉ ଉକ୍ତ ଅର୍ଥ କେଉଁ କାର୍ଯରେ ଲାଗିଛି ତାହା କେବଳ କନିଷ୍ଠଯନ୍ତ୍ରୀ ତ୍ରିପାଠୀ ବାବୁ ହିଁ ଜାଣିଥିବେ । ମା’ଙ୍କ ମନ୍ଦିର କାର୍ଯ୍ୟ ଗ୍ରାମବାସୀ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ହୋଇଛି । ଯାହାକି ଫଳକ ଲଗାଇ ଦେଲେ କୁଆଡ଼େ ଲୋକଙ୍କ ଆଗରେ ଏହି ହଡ଼ପ ଧରା ପଡିଯିବ ତାକୁ ନେଇ କନିଷ୍ଠଯନ୍ତ୍ରୀ ସଠିକ ଫଳକ ନ ଲଗାଇ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି ଓ ୭ଲକ୍ଷ ଟଙ୍କାକୁ  ମିଳିଭଗତରେ ହରିଲୁଟ କରାଯାଇଛି ବୋଲି ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଜିଲାପାଳ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।