ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ନାନପୁର

ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ନାନପୁର

ବାଲିଚନ୍ଦ୍ରପୁର: ଦର୍ପଣ ତହସିଲ ଅନ୍ତର୍ଗତ ବାଲିଚନ୍ଦ୍ରପୁରର ନାନପୁର ବିରୁପା ନଦୀ ପୋଲ ନିକଟରେ କେତେକ ଅସାଧୁ ବାଲି ମାଫିଆ ରିତିମତ ବାଲି ଉତୋଳନ କରି ଶହଶହ ଟ୍ରିପ ବାଲି ବିକ୍ରି କରିବାରେ ଲାଗିଛନ୍ତି । ବାଲି ଉତ୍ତୋଳନ ବିରୂପା ନଦୀର ପୋଲ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ଜାତୀୟ ରାଜପଥ ନଂ ୫୩ର ଅନତି ଦୂରରେ ହେଉଥିବା ଏହି ବେଆଇନ ଚୋରା ବ୍ୟବସାୟ କିପରି ପ୍ରଶାସନିକ ଅଧିକାରୀ ମାନଙ୍କ ନଜରକୁ ଆସୁନାହିଁ ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । 
ବାଲି ଉତୋଳନ ବ୍ୟତୀତ ବେଆଇନ ଗଛିତ ରଖାଯିବା କିପରି ଖଣି ବିଭାଗର ନଜରକୁ ଆସୁନାହିଁ ତାହା ଚିନ୍ତାର ବିଷୟ । ହଜାର ହଜାର ଘନଫୁଟ ବାଲି ଉତୋଳନ କରାଯିବା ଫଳରେ ଏହା ନଦୀର ଗତିପଥ ବଦଳାଇ ଦେବାର ଆଶଙ୍କା ପ୍ରକାଶ ପାଇଛି । ଆହୁରି ମଧ୍ୟଏହି ମାଫିଆ ଖୁଲମଖୁଲା ମାଟି ଖନନ କରି ବାର୍ଷିକ ଲକ୍ଷ ଲକ୍ଷ ଇଟା ପ୍ରସ୍ତୁତ କରି ବ୍ୟବସାୟ କରୁଥିବାର ଦେଖିବାକୁ ମିଳୁଛି । ନାମକୁ ମାତ୍ର ସରକାରୀ ଖଜଣା ପୈଠ କରି ବାଲି, ମାଟି ବ୍ୟବସାୟ କରିବା ଫଳରେ ରାଜସ୍ୱ ବିଭାଗର କିଛି ତଳିଆ କର୍ମଚାରୀ ଏହି ଚୋରା ବ୍ୟବସାୟରେ ମୋଟା ମୁନାଫା କମାଉଥିବାର ସାଧାରଣରେ ଆଲୋଚନା ହେଉଛି । ଖୋଲା ଇଟା ଭାଟି ଉପରେ ସରକାର କଡା ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ କୁ ନିଦେ୍ର୍ଦଶ ଦେଇଥିଲେ ହେଁ କର୍ମଚାରୀ ମାନେ ଧର୍ମକୁ ଆଖିଠାର ସଦୃଶ ଚଢାଉ ଓ ଫାଇନ କରିବା ଫଳରେ ଚୋରା ବ୍ୟବସାୟୀ ଅଧିକରୁ ଅଧିକ ଉତ୍ସାହିତ ହେଉ ଥିବାର ଦେଖିବାକୁ ମିଳୁଛି । ଚୋରା ଇଟା ବ୍ୟବସାୟ ଉଭୟ ନଦୀର କ୍ଷତି କରିବା ସହ ପରିବେଶ ଉପରେ ପ୍ରଭାବ ପକାଉଥିବାରୁ ତୁରନ୍ତ ଏହି ଉପରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।