ହେଉନି ପ୍ରତିକାର; ଜଳକଷ୍ଟ ଭୋଗୁଛନ୍ତି ହଳଦୀଗଡ଼ିଆର ଦେଢଶହ ପରିବାର

ପାଣିକୋଇଲି : ଜଳକଷ୍ଟ ଦୂର ପାଇଁ ସରକାର ମେଗା ପ୍ରକଳ୍ପ ଠାରୁ ଆରମ୍ଭ କରି ବସୁଧା ଯୋଜନାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପମାନ ନିର୍ମାଣ କରିଛନ୍ତି । ହେଲେ ଜଳକଷ୍ଟ ଦୂର ହେଉନି । କୋରେଇ ବ୍ଲକ ହଳଦୀଗଡ଼ିଆ ଗ୍ରାମରେ ଜଳକଷ୍ଟ ଦେଖିବାକୁ ମିଳିଛି । ଏଠାରେ ଦିର୍ଘଦିନ ହେବ ହେବ ଜଳକଷ୍ଟ ଭୋଗୁଛନ୍ତି ପ୍ରାୟ ଦେଢଶହ ପରିବାର । ପାଣିମୁନେ୍ଦ ପାଇଁ ଗ୍ରାମର ମହିଳା ମାନେ ମାଇଲ ଯାଏଦୂର ଚାଲିବାକୁ ପଡୁଛି । ଗ୍ରାମବାସୀ ବ୍ଲକ୍ କର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ । ଖବର ମତେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ ପ୍ରାୟ୫ବର୍ଷ ତଳେ ବସୁଧା ଯୋଜନାରେ ୮ଇଞ୍ଚ ବିଶିଷ୍ଟ ଏକ ବୋରିଂ କରଯାଇଥିଲା । ହଳଦିଗଡ଼ିଆ ଗ୍ରାମର ୩ଟି ସାହିର ପ୍ରାୟ୧୫୦ପରିବାରଙ୍କୁ ଜଳ ଯୋଗାଇବା ଲକ୍ଷ୍ୟରେ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ହେଁ ବର୍ଷେ ହେବ ପ୍ରକଳ୍ପଟି ବନ୍ଦ ହୋଇ ପଡିରହିଛି । ପଞ୍ଚାୟତ ପକ୍ଷରୁ ବିଦୁ୍ୟତ ବିଲ୍ ପୈଠ କରାଯାଇନଥିବାରୁ ବିଭାଗର କର୍ମଚାରୀ ପ୍ରକଳ୍ପରୁ ବିଜୁଳି କାଟିଦେଇଛନ୍ତି । ଯାହା ଫଳରେ ବର୍ଷେ ହେବ ହଳଦୀଗଡ଼ିଆ ଗ୍ରାମବାସୀ ଜଳକଷ୍ଟ ଭୋଗି ଆସୁଛନ୍ତି । ରାଜନୈତିକ ଛକାପଞ୍ଜା ପାଇଁ ପଞ୍ଚାୟତ ଅଧିକାରୀ ବିଦୁ୍ୟତ ବିଲ୍ ପୈଠ କରୁନଥିବା ଚର୍ଚ୍ଚା ହେଉଛି । ଯାହାର ପରିଣାମ ସ୍ୱରୂପ ଗ୍ରାମବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ।