ଅଧିକ ବର୍ଷା ଯୋଗୁଁ ଧାନ ଗଛରେ ଲାଗିଲେ ପୋକ

 ପଟ୍ଟାମୁଣ୍ଡାଇ: ବାରମ୍ବାର ଲଗାଣ ବର୍ଷା ଓ ଲଗାତାର ୪ଥର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନୀ ଘଟିଛି । ଯାହାଫଳରେ ଚାଷୀମାନେ ଦାଣ୍ଡର ଭିକାରୀ ହୋଇଛନ୍ତି । ଏସବୁ ସତ୍ତ୍ୱେ ଚାଷୀଙ୍କ ପିଛା ଦୁର୍ଦ୍ଦଶା ଛାଡୁନି । ବନ୍ୟାଞ୍ଚଳ ବାଦଭେଡା ଅଞ୍ଚଳର ଚାଷୀମାନେ ବହୁ ଆଶା କରି ଧାନ ଚାଷ କରିଥିଲେ । କିନ୍ତୁ ଭାଗ୍ୟ ସାଥ ଦେଲାନି  । ଅତ୍ୟଧିକ ବର୍ଷା ଯୋଗୁ ଧାନ ଗଛରେ ପୋକ ଲାଗି ଗଛ ମରିବାକୁ ବସିଲାଣି । ରୁଆ ବେଉସା ସାରି ୨ୟ ପର୍ଯ୍ୟାୟ ସାର ଦେବା ବେଳକୁ ଧାନ ଗଛରେ ରୋଗ ପୋକ ଦେଖାଦେଇଛି । ସମ୍ପ୍ରତି ଧାନ ଗଛରେ ଗଣ୍ଠି ରୋଗ, ପତ୍ରପୋଡା ରୋଗ ଆଦି ବିଭିନ୍ନ ରୋଗପୋକ ଯୋଗୁଁ ଧାନ ଗଛ ସବୁ ନଷ୍ଟ ହେବାକୁ ଲାଗିଛି  । ଅନ୍ୟପକ୍ଷରେ ଉନ୍ନତମାନର ବିହନ ଅଭାବ ଯୋଗୁଁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ି ଥିବାବେଳେ ସାରର ଉକôଟ ଅଭାବ ଓ କଳା ବଜାରୀ ଚାଷୀଙ୍କ ଆଖିରେ ଲୁହ ଆଣି ଦେଇଛି । ବିହନ, ସାର ଓ କୀଟନାଶକ କ୍ରୟ କରିବାରେ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ସମ୍ପ୍ରତି ବହୁ ଆଶା ନେଇ ଧାନ ଚାଷ କରିଥିବା ଚାଷୀମାନେ ପୁଣି ଚିନ୍ତାରେ ପଡିଛନ୍ତି । ଏବେ ଧାନ ଗଛରେ ରୋଗ ପୋକ ଆବିର୍ଭାବକୁ ନେଇ ଚାଷୀ ହରଡ଼ଘଣାରେ ପଡି କଲବଲ ହେଉଛ । ଚାଷୀମାନେ ଧାର କରଜ କରି ବିହନ, ସାର ଓ କୀଟନାଶକ ଔଷଧ କିଣି ଚାଷ କରିଥିଲେ ମଧ୍ୟ ଧାନ ଫସଲ ଅବସ୍ଥା ଦେଖି ସଂପୂର୍ଣ୍ଣ ଭାଙ୍ଗି ପଡିଛି । ଚାଷ ଓ ଚାଷୀଙ୍କ ସଂକଟ ବେଳେ କୃଷି ବିଭାଗ ନୀରବ ଦ୍ରଷ୍ଟା ସାଜିଛନ୍ତି  । ପଟ୍ଟାମୁଣ୍ଡାଇର କୌଣସି କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଚାଷୀ ମାନଙ୍କୁ ଫସଲ ରକ୍ଷା ପାଇଁ ଉଚିତ ପରାମର୍ଶ ଓ ସହାୟତା ପ୍ରଦାନ କରିବା ଦେଖାଯାଉନାହିଁ  । ଏହି ବିଷୟରେ ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ଶରତ ଚନ୍ଦ୍ର ନାୟକଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇନଥିଲା  । ଏଥି ପାଇଁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର ଓ କୃଷି ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି ।