ଅନୁପସ୍ଥିତ ସୁପରଭାଇଜର, ଶିଶୁ ବିକାଶ କାର୍ଯ୍ୟରେ ବାଧା

ରାଜନଗର: ରାଜନଗର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅନ୍ନାଥ ହୋଇଯାଇଥିବା ଅଭିଯୋଗ ହୋଇଛି । ସିଡିପିଓ ନିଯୁକ୍ତି ପାଇଥିଲେ ମଧ୍ୟ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ବସାଇ ଦିଆଯାଇଛି । ଯାହାଫଳରେ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଥିଲା । ବିଡିଓଙ୍କୁ ସିଡିପିଓ ଦାୟିତ୍ୱ ଦିଆଯିବା ପରେ ଶିଶୁ ବିକାଶ ପ୍ରକଳ୍ପ ସୂଚାରୁ ରୂପେ ଚାଲିବ ବୋଲି ସାଧାରଣ ଲୋକେ ଆଶା ରଖିଥିଲେ । ମାତ୍ର ଏହା ନିରାଶାରେ ପରିଣତ ହୋଇଛି । ସିଡିପିଓ ଦାୟିତ୍ୱ ବିଡିଓ ନେବା ପରଠାରୁ ବସ୍ତୁତ୍ୱ ଏହି କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଠପ ହୋଇଯାଇଥିବା ଅଭିଯୋଗ ହୋଇଛି । ବିଡିଓ ପୁନଃକାଳୀନ ସମୟ ଦେଇ ପାରୁ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି । ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ସୁପରଭାଇଜରମାନେ ତନଖି କରିବା ସହ ପରିଦର୍ଶନ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥାନ୍ତି । ପୂର୍ବରୁ ୮ଜଣ ସୁପରଭାଇଜର କାର୍ଯ୍ୟ କରି ଆସୁଥିବା ବେଳେ, ଦୁଇଜଣ ନୂତନ ସୁପରଭାଇଜର ଜ୍ୟୋତିସ୍ମିତା ଖଟୁଆ ଓ ସମୀକ୍ଷା ଦାସଙ୍କୁ କେନ୍ଦ୍ରାପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପରୁ ରାଜନଗର ଶିଶୁ ବିକାଶ ପ୍ରକଳ୍ପକୁ ବଦଳି କରାଗଲା । ସେମାନେ ରାଜନଗର ଆସି ଯୋଗଦେବା ପରେ ଆଉ କାର୍ଯ୍ୟାଳୟକୁ ଆସୁ ନ ଥିବା ଅଭିଯୋଗ ହୋଇଛି । ମାସକରୁ ଊଦ୍ଧ୍ୱର୍ ହେବ ଏହି ଦୁଇଜଣ ସୁପରଭାଇଜରଙ୍କୁ କାର୍ଯ୍ୟାଳୟରେ ଦେଖିବାକୁ ମିଳେ ନାହିଁ । ସେମାନେ କାର୍ଯ୍ୟାଳୟକୁ ନଆସିଲେ ମଧ୍ୟ ସପ୍ତାହକ ଅନ୍ତରରେ ଉପସ୍ଥାନ ପୁସ୍ତିକାରେ ସ୍ୱାକ୍ଷର କରି ଚାଲି ଯାଉଥିବା ଆମେ ଅନୁମାନ କରୁଛୁ । ସେମାନେ ବାସ୍ତବରେ ଅନୁପସ୍ଥିତ ଥିବା ସତ୍ୱେ ଉପସ୍ଥାନ ପୁସ୍ତିକାରେ ସେମାନଙ୍କ ସ୍ୱାକ୍ଷର ହେଉଛି କିପରି ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଅପରପକ୍ଷରେ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଉଚ୍ଚ କର୍ତ୍ତୁପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ଅଙ୍ଗନବାଡି କର୍ମଚାରୀ ସଂଘ ଜିଲ୍ଲା ସମ୍ପାଦିକା ପୁଷ୍ପଲତା ରଥ ଦାବି କରିଛନ୍ତି । ଏସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।