ଜନ୍ମମାଟିରେ ଅବହେଳିତ ଉକ୍ରଳଘଣ୍ଟ ଯଦୁମଣି 

 ନୟାଗଡ: ଓଡ଼ିଆ ରୀତି ଯୁଗର ଅନ୍ୟତମ ଶ୍ରେଷ୍ଠ ସାରସ୍ୱତସାଧକ ଉକ୍ରଳଘଣ୍ଟ ଯଦୁମଣି ନିଜ ଜନ୍ମମାଟିରେ ଅବହେଳିତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଇଟାମାଟି ହେଉଛି ଏହି କବିଙ୍କ ଜନ୍ମସ୍ଥାନ । ଇଟାମାଟି ଏକ ଐତିହ୍ୟସମ୍ପନ୍ନ ଗ୍ରାମ ହୋଇଥିଲେ ମଧ୍ୟ ଏହି ମାଟିର ପ୍ରତିଭାଦୀପ୍ତ ସୁଯୋଗ୍ୟ ସନ୍ତାନଙ୍କ ଅମ୍ଲାନ ସ୍ମୃତି ରକ୍ଷା ନିମନ୍ତେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ରହିଥିଲେ ମଧ୍ୟ ତାଙ୍କ ନାମରେ କୌଣସି ଅନୁଷ୍ଠାନ ନାମିତ ହୋଇନାହିଁ । ଏପରିକି ଏହି ଗ୍ରାମର ନାମ ଯଦୁମଣିନଗର କରିବାକୁ କିଛିବର୍ଷତଳେ ଉଠିଥିବା ଦାବି କ୍ରମଶଃ ମଳିନ ପଡ଼ିଯାଇଛି । ଯଦୁମଣିଙ୍କ ରାଘବ ବିଳାସ ଏବଂ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟ ଓଡ଼ିଆ ଭାଷା ସାହିତ୍ୟକୁ କେବଳ ବୈଭବଶାଳୀ କରିଛି । ଅନ୍ୟପକ୍ଷରେ, ସେ ବ୍ୟଙ୍ଗସାହିତ୍ୟକୁ ଏକ ନୂତନ ଦିଶା ପ୍ରଦର୍ଶିତ କରିଛନ୍ତି । ଜିଲ୍ଲା ସଦର ମହକୁମାରେ ତାଙ୍କ ନାମରେ ଏକ ପାଠାଗାର ପ୍ରତିଷ୍ଠା ସହିତ ରାଜଧାନୀ ଭୁବନେଶ୍ୱରରେ ତାଙ୍କର ଏକ ପ୍ରତିମୂର୍ତ୍ତିସ୍ଥାପନ କରି ସେହି ରାସ୍ତାକୁ ଅନ୍ତତଃପକ୍ଷେ ଯଦୁମଣି ମାର୍ଗ ନାମରେ ନାମିତ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଆ ଭାଷା ସାହିତ୍ୟର ଏହି ସମର୍ପିତ କାଣ୍ଡାରୀଙ୍କୁ ହୁଏତ ଆଗ ପୀଢ଼ି ଧିରେ ଧିରେ ଭୁଲିଯିବ ।