ପ୍ରକାଶ ମିଶ୍ରଙ୍କ ‘ଖାକି ମଉଜ’ ଉନ୍ମୋଚିତ; ଜୀବନକୁ ମଉଜ ମନେକରିବା ଏକ କଳା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ଶ ପ୍ରକାଶ ମିଶ୍ରଙ୍କ ସ୍ୱରଚିତ ପୁସ୍ତକ "ଖାକୀ ମଉଜ’ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରି ବହିଟିକୁ ପ୍ରଶଂସା କରିବା ସହ ଏହାକୁ ପ୍ରତ୍ୟେକ ଓଡ଼ିଆ ପାଠକମାନେ ପଢ଼ିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ଏଥିସହିତ ଜୀବନକୁ ମଉଜ ମନେକରିବା ଏକ କଳା ଓ ଶ୍ରୀ ମିଶ୍ରଙ୍କ ପୁସ୍ତକ ସେ କଳାର ଏକ ସଫଳ ପରିପ୍ରକାଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପୁଲିସର ପୂର୍ବତନ ମହାନିଦେ୍ର୍ଦଶକ, ପୂର୍ବତନ ସିଆରପିଏଫ ନିଦେ୍ର୍ଦଶକ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ନିଜର ପିଲାଦିନ ଓ ଦୀର୍ଘ ଚାକିରି ଜୀବନର ବହୁ ରୋଚକ ଅନୁଭୂତିକୁ ଚଟୁଳ ବ୍ୟଙ୍ଗାତ୍ମକ ଶୈଳୀରେ ‘ଖାକି ମଉଜ’ ପୁସ୍ତକ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ପୁସ୍ତକଟିକୁ ମୂଳ ଇଂରାଜୀରୁ ଅନୁବାଦ କରିଛନ୍ତି ଚିନ୍ମୟ ହୋତା । ପୁସ୍ତକଟିକୁ ପ୍ରକାଶ କରିଛନ୍ତି ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ । ସୋମବାର ସଂଧ୍ୟାରେ ସଚିବାଳୟଠାରେ ପୁସ୍ତକ ଉନ୍ମୋଚନ ଅବସରରେ ଲେଖକ ଓ ଅନୁବାଦକଙ୍କ ସମେତ ବରିଷ୍ଠ ଲେଖକ ଓ ସ୍ତମ୍ଭକାର ଦାଶ ବେନହୁର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।