ସହରର ଗଳିକନ୍ଦିରେ ନିଶା କାରବାର: ଚେଇଁ ଶୋଇଛି ପୁଲିସ ଓ ଅବକାରୀ ବିଭାଗ
ବ୍ରହ୍ମପୁର : ଗତ କିଛି ଦିନ ହେବ ବ୍ରହ୍ମପୁର ସହରର ବିଭିନ୍ନ ଗଳି କନ୍ଦିରେ ଥିବା ଚା’ ଦୋକାନ ଠାରୁ ଆରମ୍ଭ କରି ତେଜରାତି ଦୋକାନରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଯେଉଁଠି ଚାହିଁବ ସେଠି ମଦ ବିକ୍ରି ହେଉଥିବା ଯୋଗୁଁ ମଦ୍ୟପଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ବେଆଇନ ମଦ ବିକ୍ରି ଅବକାରୀ ଓ ପୁଲିସ ବିଭାଗର ଇସାରାରେ ବିକ୍ରି ହେଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏତେ ପରିମାଣରେ ମଦ କେଉଁଠାରୁ ଆସୁଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି । ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ରାଜ୍ୟରେ ବ୍ରହ୍ମପୁର ସହର ପ୍ରଥମ ରହିଛି । ତେଣୁ ଏହି ସବୁ ମଦ ଅପମିଶ୍ରଣ ନାଁ ନାହିଁ ତାହାର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।
ପ୍ରକାଶ ଥାଉକି, ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପମିଶ୍ରଣ ମଦ ପ୍ରସ୍ତୁତ ହେବାର ନଜିର ରହିଛି । ବ୍ରହ୍ମପୁର ବିଏନପୁର ଥାନା ଅଧିନସ୍ଥ ଲାଞ୍ଜିପଲ୍ଲୀ ଅଞ୍ଚଳରେ ବେଆଇନ ମଦ କାରବାର ଚାଲୁଥିବାବେଳେ ପ୍ରଶାସନ ନୀରଦ୍ରଷ୍ଟା ସାଜିଛି । ଯାହାଫଳରେ ଦଲାଲମାନେ ସକ୍ରିୟ ହୋଇ ବେଧଡକ ଭାବେ ଚଳାଇଛନ୍ତି କାରବାର । ଏ ନେଇ ବାରମ୍ବାର ଅଞ୍ଚଳବାସୀ ଅଭିଯୋଗ କଲେ ବି ନା ଶୁଣୁଛି ପୋଲିସ ନା ଅବକାରୀ ବଭାଗ କେବଳ ମଦ ନୁହେଁ ଗଂଜେଇ ଓ ଧଳା ଜହର ବି ବିକ୍ରି ହେଉଥିବା ଅଭିଯୋଗ ଆସୁଛି । କେବଳ ଲାଞ୍ଜିପଲ୍ଲୀ ନୁହଁ ବ୍ରହ୍ମପୁର ବସଷ୍ଟାଣ୍ଡ, ବଡବଜାର ଥାନା, ଗୋଶାଣୀ ନୂଆଗାଁ ଥାନା ଅଞ୍ଚଳ, ନିମଖଣ୍ଡି ଥାନା ଅଞ୍ଚଳରେ ବ୍ୟାପକ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବହୁଳ ମାତ୍ରାରେ ଚାଲିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।