ବରଗଡ଼ର ପାରମ୍ପାରିକ ଧନୁଯାତ୍ରା
ଅଭୟ କୁମାର ଦାସ : ପରମ୍ପରା କ୍ରମେ ଏହି ଧନୁଯାତ୍ରା ପାଇଁ ବରଗଡ଼କୁ ମଥୁରା ଓ ଅମ୍ବାପାଲିକୁ ଗୋପପୁର ଭାବରେ ପରିକଳ୍ପନା କରାଯାଇଥାଏ । ମହାରାଜ କଂସଙ୍କ କାରାଗାରରେ ବନ୍ଦୀ ହୋଇଥାନ୍ତି ବସୁଦେବ ଓ ଦେବକୀ । କହିହେବ ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ କଂସର ମୃତ୍ୟୁ ପର୍ଯ୍ୟନ୍ତ ଘଟଣାବଳୀ ଏହି ବିରାଟ ଉତ୍ସବର ଉପଜୀବ୍ୟ । ମହାରାଜ କଂସ ଆୟୋଜନ କରିଛି ଧନୁଯାତ୍ରା ଏବଂ ନିରୂପଣ କରିଛି ନିଜ ମୃତ୍ୟୁର ସ୍ଥାନ । ଶ୍ରୀକୃଷ୍ଣ, ବଳରାମ ଗୋପରୁ ଆସି ମଥୁରାରେ ପହଞ୍ôଚ ଅନେକ କାରନାମା ଦେଖାଇବା ପରେ ହାଜର ହୋଇଛନ୍ତି କଂସର ରାଜ ଦରବାରରେ । ଶ୍ରୀକୃଷ୍ଣଙ୍କର ଦର୍ଶନମାତ୍ରେ ମଞ୍ଚାରୁ ପଡ଼ି ମୋକ୍ଷପ୍ରାପ୍ତି ହୋଇଛି କଂସ । ଏହା ହିଁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ସଂକ୍ଷିପ୍ତ ରୂପ । ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନଙ୍କ ଦ୍ୱାରା କଂସର ବିନାଶ ଲୀଳାର ନାଟ୍ୟରୂପ, ଧନୁଯାତ୍ରା ।
ଧନୁଯାତ୍ରାର ପରିକଳ୍ପନା, ଆୟୋଜନ ଏବଂ ଯାତ୍ରାର ବିବରଣୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପ୍ରଣୀତ ଚିତ୍ତବୋଧ ବା ଚିତ୍ତବିନୋଦ ଗ୍ରନ୍ଥରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି । ଗୋପରେ ଗୋପଲୀଳା ବା ରାସଲୀଳା ଶେଷରେ କଂସର ନିୟନ୍ତ୍ରଣକ୍ରମେ ଶ୍ରୀକୃଷ୍ଣ ବଳରାମ ଅକ୍ରୁରଙ୍କ ସହ ମଥୁରାରେ ପ୍ରବେଶ, କଂସର ମୋହ ଓ ଦେବୀଙ୍କୁ ଆରାଧନା, ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣଙ୍କ ଗମନ, ରଜକ ବିନାଶ, ଭାବବତୀ ପୁତ୍ରକୁ ଜୀବଦାନ, ଶ୍ରୀକୃଷ୍ଣଙ୍କୁ କୁବୁଜା ଗନ୍ଧଚନ୍ଦନ ଦେବା, କୁବୁଜାର ସୁନ୍ଦରରୂପ ପ୍ରାପ୍ତି, ତେଜବତୀର ଜୀବଦାନ, ସୁଦାମାର ବରମାଲ୍ୟଦାନ ଓ ବରପ୍ରାପ୍ତି, ପ୍ରିୟବତୀ ଓ ତାର ପୁତ୍ରାଦିର ଜୀବଦାନ, ଶ୍ରୀକୃଷ୍ଣଙ୍କ ଧନୁଭଙ୍ଗ, ରଙ୍ଗସଭାରେ ପ୍ରବେଶ, କୁବଳୟା ହସ୍ତୀ, ଓ ମାହୁନ୍ତର ବିନାଶ, ଚାଣୁର ମୁଷ୍ଟିକ, କୁକୁଟ ପ୍ରମୁଖ ମଲ୍ଲଙ୍କ ବିନାଶ, କଂସର କୃଷ୍ଣଦର୍ଶନ ଓ ମଞ୍ଚାରୁ ପଡ଼ି ମୃତ୍ୟୁ ତଥା ଉଗ୍ରସେନଙ୍କର ରାଜ୍ୟାଭିଷେକ ପ୍ରଭୃତି ଦୃଶ୍ୟ ଗୀତିନାଟ୍ୟ ଅଥବା ଲୋକନାଟ୍ୟ ଶୈଳୀରେ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଥାଏ । ରଙ୍ଗମହଲ ବା ରଙ୍ଗସଭାରେ ମଞ୍ଚ ଉପରେ ମଧ୍ୟ ଅନେକ ଦୃଶ୍ୟ ପରିବେଷିତ ହୋଇଥାଏ । ଏଥିରେ ଆକର୍ଷଣୀୟ ଚିତ୍ତଗ୍ରାହୀ ସଂଳାପ ଏବଂ ସଙ୍ଗୀତର ମଧ୍ୟ ପ୍ରୟୋଗ କରାଯାଇଥାଏ । ହଜାର ହଜାର ଲୋକ ପ୍ରତ୍ୟହ ଏହି ଦୃଶ୍ୟାବଳୀକୁ ଆନନ୍ଦର ସହ ଉପଭୋଗ କରିଥାନ୍ତି ।
ପ୍ରତ୍ୟହ ଅପରାହ୍ନରେ ମହାରାଜା କଂସ ନଗର ପରିଭ୍ରମଣ କରି ସନ୍ଧ୍ୟାରେ ସୁସଜ୍ଜିତ ରଙ୍ଗମହଲର ମଣ୍ଡପରେ ବିରାଜମାନ କରିଥାନ୍ତି । ଏଠାରେ ପାତ୍ର ମନ୍ତ୍ରୀଙ୍କ ସହ ମନ୍ତ୍ରଣା ଏବଂ ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଦେଶର ବିଭିନ୍ନ ଅଞ୍ଚଳ ତଥା ବିଦେଶର ଲୋକକଳା ମଧ୍ୟ ପରିବେଷିତ ହୋଇଥାଏ । ନାଚଗୀତର ମଜା ନିଅନ୍ତି ଦେଖଣାହାରୀ । ଏଥି ନିମନ୍ତେ ଭବ୍ୟ ଆୟୋଜନ ମଧ୍ୟ ହୋଇଥାଏ । ସମଗ୍ର ସହର ରସମୟ ଓ ଚଳଚଞ୍ଚଳ ହୋଇପଡେ଼ । ଜୀରାନଦୀ ଯମୁନାନଦୀରେ ପରିଣତ ହୋଇଥାଏ ଏ ଧନୁଯାତ୍ରାରେ । ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ୧୯୪୭-୪୮ରେ ସର୍ବପ୍ରଥମେ ଧନୁଯାତ୍ରା ଶୁଭାରମ୍ଭ ହୋଇଥିଲା । ବୈଷ୍ଣବ ଧର୍ମର ଅଭ୍ୟୁଦୟ ଫଳରେ ବିଭିନ୍ନ ଗ୍ରାମରେ ଭାଗବତ ଟୁଙ୍ଗିମାନ ସ୍ଥାପିତ ହୋଇଥିଲା । ଗ୍ରାମେ ଗ୍ରାମେ ଭାଗବତ ପାରାୟଣ ଓ ନାମଯଜ୍ଞ ଆୟୋଜିତ ହେଉଥିଲା । ଏଥିସହ ରାସଲୀଳା ଓ ରାମଲୀଳା ପ୍ରଭୃତି ଭୂମିକା ଗ୍ରହଣ କରିଥିଲା । ବରଗଡ଼ରେ ଜୀରାନଦୀ କୂଳରେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଏକ ମନ୍ଦିରରେ ପ୍ରତିଷ୍ଠିତ ହୋଇଥିଲା । ଗୌନ୍ତିଆ ରଘୁନାଥ ଦାଶଙ୍କ ପ୍ରଚେଷ୍ଟାରେ ବିିଭିନ୍ନ ନାଟକ ପରିବେଷଣ କରାଯାଉଥିଲା । ୧୯୪୪-୪୫ରେ ଅପର୍ତ୍ତି ପାଣିଗ୍ରାହୀ ବରଗଡ଼ରେ ଏକ ଥିଏଟର ପ୍ରତିଷ୍ଠା କରିଥିଲେ । କାଳକ୍ରମେ ଧନୁଯାତ୍ରାର ପରିକଳ୍ପନା ସାକାର ରୂପ ନେଲା । ସମ୍ପ୍ରତି ଏହା ବିଶ୍ୱର ବୃହତ୍ତମ ଲୋକନାଟକର ମର୍ଯ୍ୟାଦା ଲାଭ କରିଛି ।
ପ୍ରଥମ ଧନୁଯାତ୍ରା ୧୯୪୮ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହୋଇ ୧୯୪୮ ଜାନୁଆରୀ ମାସ ୨୬ ତାରିଖରେ ସମାପ୍ତ ହୋଇଥିଲା । ପ୍ରଥମ ବର୍ଷ ଯୁଧିଷ୍ଠିର ଦାଶ ଏବଂ ଦ୍ୱିତୀୟ ବର୍ଷ ରାଧାଶ୍ୟାମ ଦାଶ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ପୂର୍ବରୁ ମଧ୍ୟ ଧନୁଯାତ୍ରାର କେତେକ ଦୃଶ୍ୟକୁ ନେଇ ଯାତ୍ରା ହେଉଥିଲା ବୋଲି ଜଣାଯାଏ । ଅମ୍ବାପାଲିରେ ଥିବା ଭଗ୍ନ ଓ ଜରାଜୀର୍ଣ୍ଣ ଧନୁଯାତ୍ରା ମଣ୍ଡପ ଏହାର ସାକ୍ଷୀ ରୂପେ ରହିଛି । ତେବେ ସ୍ୱୟଂ ସମ୍ପୂର୍ଣ୍ଣ ଧନୁଯାତ୍ରା ୧୯୪୮ରେ ହୋଇଥିଲା ଓ ୧୯୯୮ରେ ସୁବର୍ଣ୍ଣ ଜୟନ୍ତୀ ଧନୁଯାତ୍ରା ଆୟୋଜିତ ହୋଇଥିଲା । ଶ୍ରୀକୃଷ୍ଣ ୧୧ ବର୍ଷ ବୟସରେ ଗୋପପୁରରୁ ମଥୁରାକୁ ଆସିଥିଲେ । ତେବେ ସେ ପୌଷମାସରେ ଆସିନଥିଲେ ବୋଲି କେତେକ ପୌରାଣିକ ଆଖ୍ୟାନରୁ ସୂଚୀତ ହୁଏ । ସମ୍ପ୍ରତି ହୃଷିକେଶ ଭୋଇ କଂସ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ତାଙ୍କ ପୂର୍ବରୁ ଜନୈକ ପୁଲିସ୍ ଅଧିକାରୀ ଗୋପାଳ ସାହୁ ଓରଫ୍ ଏଲି ସାହୁ ମଧ୍ୟ ଏହି ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କର ଚିତ୍ତ ହରଣ କରୁଥିଲେ । ହିଲିପାଲି ଗ୍ରାମର ଅପେରା କଳାକାର ଦେବେନ୍ଦ୍ର ବିଶ୍ୱାଳ ମଧ୍ୟ ୨ ବର୍ଷ କଂସ ଭୂମିକାରେ ଅଭିନୟ କରିଥିଲେ । ଧନୁଯାତ୍ରା ସମୟରେ ବହୁ ଆକର୍ଷଣୀୟ ଦୃଶ୍ୟ ତଥା ଅନୁଭୂତି ଉପଲବ୍ଧ ହୁଏ । ବହୁ ସଂଖ୍ୟକ ଅସ୍ଥାୟୀ ଦୋକାନ, ମୀନାବଜାର, ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ଆଦି ଅନୁଷ୍ଠିତ ହୋଇଥାଏ । ଧନୁଯାତ୍ରା ଅଞ୍ଚଳ ଲୋକାରଣ୍ୟ ହୁଏ । ଘରେ ଘରେ ଅତିଥି ମାନଙ୍କର ଭିଡ଼ ଜମେ । ହଜାର ହଜାର କଳାକାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି । ମଞ୍ଚ କଳା ଏହି ଯାତ୍ରାର ମନୋରଞ୍ଜନ କାର୍ଯ୍ୟକ୍ରମର ମୂଳାଧାର ହୋଇଥିବାରୁ ଏଥିପ୍ରତି ଯଥେଷ୍ଟ ଗୁରୁତ୍ୱାରୋପ କରାଯାଇଥାଏ । ପୂର୍ବେ ନିରାଡ଼ମ୍ବର ଭାବରେ ପାଳିତ ହେଉଥିଲା ଏହି ଯାତ୍ରା । ସମ୍ପ୍ରତି ଭବ୍ୟ ଆୟୋଜନ ଏବଂ ଆଲୋକସଜ୍ଜା ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକମାନଙ୍କର ଆଖି ଝଲସାଇ ଦେଇଛି । ସ୍ଥାନୀୟ କଳାପ୍ରେମୀ ତଥା ଆଧ୍ୟାତ୍ମିକପ୍ରେମୀ ଜନସାଧାରଣଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଧନୁଯାତ୍ରା ସମ୍ପ୍ରତି ପ୍ରାୟତଃ ଏକ ସରକାରୀ କାର୍ଯ୍ୟକ୍ରମର ରୂପ ନେଇଛି । ପୂର୍ବେ ହାଟପଦାରେ ଆୟୋଜିତ ହେଉଥିଲା ମୁକ୍ତାକାଶରେ । ପରେ ଏକ ସୁଦୃଶ୍ୟ ମଣ୍ଡପ ନିର୍ମାଣ କରାଯାଇଥିଲା । ଏ ବର୍ଷ ନିଶାମଣି ପଡ଼ିଆର ନବନିର୍ମିତ ରଙ୍ଗମହଲରେ ଏହି କାର୍ଯ୍ୟକ୍ରମର ପ୍ରମୁଖ ଦୃଶ୍ୟାବଳୀ ପରିବେଷିତ ହେଉଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଆୟୋଜନର ସକଳ ଦାୟିତ୍ୱ ଗ୍ରହଣ କରିଛି । ଧନୁଯାତ୍ରାରେ କଂସର ଦର୍ପ ଅନେକ । ଏହି ଯାତ୍ରା ସମୟରେ କଂସର ନିର୍ଦ୍ଦେଶନାମାକୁ ସରକାରୀ ତଥା ବେସରକାରୀ ସ୍ତରରେ ପ୍ରତୀକାତ୍ମକ ଭାବରେ ପାଳନ କରାଯାଇଥାଏ । ଏପରିକି ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଉଚ୍ଚପଦାଧିକାରୀମାନଙ୍କୁ ମଧ୍ୟ ଜୋରିମାନା ଦଣ୍ଡରେ ଦଣ୍ଡିତ କରନ୍ତି । ସେମାନଙ୍କୁ ବିଭିନ୍ନ ଉପଦେଶ ତଥା ଆଦେଶ ପ୍ରଦାନ କରନ୍ତି । ଏହା ଏକ ନିଆରା ପର୍ବ । କଂସଙ୍କ ଆଚରଣର ଚର୍ଚ୍ଚା ହୁଏ ସହରର ପ୍ରତ୍ୟେକ ଅଞ୍ଚଳରେ । ସମଗ୍ର ବରଗଡ଼ ସହରରେ ଉତ୍ସବ ମୁଖର ବାତାବରଣ। ମଥୁରା ପରିକ୍ରମା କାଳରେ ସ୍ଥାନେ ସ୍ଥାନେ କୃଷ୍ଣ ବଳରାମଙ୍କର ଆରାଧନା କରାଯାଇଥାଏ ।
ପୂର୍ବେ ଧନୁଯାତ୍ରା ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଓ କଷ୍ଟସାଧ୍ୟ ପ୍ରକ୍ରିୟାରେ ଆୟୋଜିତ ହେଉଥିଲା । ନାନାବିଧ କାରଣରୁ ୧୯୫୦ରୁ ୧୯୫୬, ୧୯୭୨, ୧୯୮୩ ଏବଂ ୧୯୯୧ରେ ଏହା ଆୟୋଜିତ ହୋଇପାରିନଥିଲା । ଆହୁରି ମଧ୍ୟ ୧୯୬୦ରୁ ୧୯୬୭ ପର୍ଯ୍ୟନ୍ତ ଧନୁଯାତ୍ରା ଆୟୋଜିତ ହୋଇଥିବାର କୌଣସି ପ୍ରମାଣ ନାହିଁ । ପୁନଶ୍ଚ ୧୯୯୦ରେ ୨ଥର ଧନୁଯାତ୍ରା ଆୟୋଜିତ ହୋଇଥିଲା । ୧୯୭୩ରୁ ଏଯାବତ୍ ଧନୁଯାତ୍ରା ୧୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । କେବଳ ୧୯୯୩ରେ ପ୍ରବଳ ବର୍ଷା ଯୋଗୁଁ ଧନୁଯାତ୍ରାର ଅବଧି ଦୁଇ ଦିନ ବଢ଼ାଇ ଦିଆଯାଇଥିଲା । ୧୯୯୨ରୁ ଏଯାବତ୍ ପ୍ରତ୍ୟେକ ବର୍ଷ ଧନୁଯାତ୍ରା ଆୟୋଜିତ ହୋଇଆସୁଛି ଏବଂ ଏହି ଧାରା ଅବ୍ୟାହତ ରହିବ ବୋଲି ଆଶା କରାଯାଏ । ସମ୍ପ୍ରତି ବରଗଡ଼ର ଆଖପାଖ ଗ୍ରାମାଞ୍ଚଳ ତଥା ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ଧନୁଯାତ୍ରା । ବରଗଡ଼ର ଧନୁଯାତ୍ରା ତାର ପୂର୍ବ ଲୋକପ୍ରିୟତା ବଜାୟ ରଖି ଅଧିକ ସୁସଂଗଠିତ ଓ ଆକର୍ଷଣୀୟ ହେବାରେ ଲାଗିଛି । ବରଗଡ଼ର ସାଂସ୍କୃତିକ ପରମ୍ପରାର ଏକ ଅଙ୍ଗରେ ପରିଣତ ହୋଇଛି ଧନୁଯାତ୍ରା । ଧନୁଯାତ୍ରା ସମୟରେ କଳା, ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧିତ ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବରଗଡ଼ରେ । ପ୍ରତ୍ୟେକ ବରଗଡ଼ବାସୀ କୌଣସି ନା କୌଣସି ପ୍ରକାରେ ଧନୁଯାତ୍ରାରେ ସାମିଲ ହେବାକୁ ବ୍ୟଗ୍ରତା ପ୍ରକାଶ କରୁଛନ୍ତି । ଏହା ଏକ ସାଂସ୍କୃତିକ ଚେତନା ଜାଗରଣର ପର୍ବ । ଯେଉଁମାନେ ଏହି ମହାନ ପର୍ବର ପରିକଳ୍ପନା କଲେ ଏବଂ ଯେଉଁମାନେ ତାର ଗତିପଥକୁ ଅବ୍ୟାହତ ରଖିବାରେ କାର୍ଯ୍ୟ କରିଆସିଛନ୍ତି ସେମାନେ ସମସ୍ତେ ପ୍ରଶଂସାର ପାତ୍ର ।
ଗୋତରା, ମାହାଙ୍ଗା, କଟକ,ମୋ : ୯୪୩୭୧୪୨୭୧୭
Samir Kumar Rout