ଆଧ୍ୟାତ୍ମିକ ଚେତନାର ଉନ୍ମୀଳନ
ଡ. ସୁରେଶ କୁମାର ନାୟକ :
ସତରେ ଆମ ଭଗବାନ, ଗୁରୁ, ଇଷ୍ଟ ବା ଆଧ୍ୟାତ୍ମିକ ମାର୍ଗ ଦର୍ଶକମାନେ କ'ଣ ସଦାସର୍ବଦା ଆମ ପାଖରେ ଦିବ୍ୟ ଉପସ୍ଥିତିକୁ ହୃଦୟ ଭିତରେ ବିରାଜିତ ହୋଇ ଦିଗଦର୍ଶନ ଦେଇଥାନ୍ତି? ଏହିପରି ଅନେକ ପ୍ରଶ୍ନ ଅନେକଙ୍କ ଭିତରେ ଉଠିବା ସ୍ୱାଭାବିକ । ସତ୍ୟ ଯୁଗରେ ଅଧିକାଂଶ ଲୋକ ଆଧ୍ୟାତ୍ମିକ ଜୀବନକୁ ପ୍ରକୃତ ଜୀବନ ରୂପେ ଗ୍ରହଣ କରୁଥିଲେ । ଏବଂ ସାଂସାରିକ ଜୀବନଚର୍ଯ୍ୟା ତାଙ୍କ ପ୍ରତି ବିଶେଷ ଗୁରୁତ୍ୱ ନଥିଲା । ସେମାନଙ୍କର ହୃଦବୋଧ ଥିଲା ଯେ ଏହା କ୍ଷଣସ୍ଥାୟୀ, ମାୟାପୂର୍ଣ୍ଣ ଓ ଯନ୍ତ୍ରଣାଦାୟକ, ମହାନ ଋଷିମାନେ ସେ ସମୟର ଈଶ୍ୱରାନୁଭୂତି ଲାଭ କରିଥିବାରୁ ପ୍ରତ୍ୟେକ ଲୋକଙ୍କର ଆଧ୍ୟାତ୍ମିକ ବିବର୍ତ୍ତନ ଓ ସଦ ଜୀବନ ନିମନ୍ତେ ପ୍ରଣୀତ ନୀତି ଓ ଶୃଙ୍ଖଳା ଆଧାରିତ ଏକ ସାମାଜିକ ବ୍ୟବସ୍ଥା ପ୍ରଣୟନ କଲେ । ଗୁରୁଦେବ ପରମହଂସ ପ୍ରଜ୍ଞାନନନ୍ଦଙ୍କ ଶିକ୍ଷା ଜୀବନୀକୁ ଅନୁଶୀଳନ କଲେ । ସେ ପ୍ରଦାନ କରିଥିବା ଦିଗଦର୍ଶନ ଓ ଜୀବନ ଚିନ୍ତନର ପରାମର୍ଶକୁ ଯଥାର୍ଥ ଦୃଷ୍ଟିରେ ଅନୁସରଣ କରାଗଲେ ସାମ୍ପ୍ରତିକ ବିଶ୍ୱରେ ଆଧ୍ୟାତ୍ମିକ ବିବର୍ତ୍ତନ ନିମନ୍ତେ ସବୁଠାରୁ ସହଜ ମାର୍ଗ ବୋଲି ମନେହୁଏ । ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ସତ୍ୟ ଯୁଗରେ ଆଧ୍ୟାତ୍ମିକ ବିବର୍ତ୍ତନ କାମନା କରୁଥିବା ଅଧିକାଂଶ ଲୋକ ଧ୍ୟାନ ଏବଂ ସଦାଚାର ଜୀବନର ମାର୍ଗ ଅନୁସରଣ କରୁଥିଲେ । ତ୍ରେତୟା ଓ ଦ୍ୱାପର ଯୁଗରେ ଯୋଗ ଓ ଯଜ୍ଞ ଆଧ୍ୟାତ୍ମିକ ବିବର୍ତ୍ତନର ମାର୍ଗ ରୂପେ ପରିଣତ ହେଲା । ସେହି ସମୟରେ ଲୋକମାନେ ଶୁଦ୍ଧପୂତ ଜୀବନ ଯାପନକୁ ଅଗ୍ରାଧିକାର ଦେଇ ମୋକ୍ଷ ଏବଂ ଈଶ୍ୱର ସାକ୍ଷାତକାର ମାର୍ଗରେ ଅଗ୍ରସର ହେଲେ ।
ଆମେ ଆମ ନିତିଦିନିଆ ଜାଗତିକ ମହାଚ୍ଛନ୍ନ ସଂସାର ଭିତରେ ଈଶ୍ୱରଙ୍କ ସୃଷ୍ଟିର ସୂକ୍ଷ୍ମତତ୍ତ୍ୱକୁ ବୁଝିବାରେ ସମର୍ଥ ହୋଇପାରୁନାହୁଁ । ଏହି ପୃଷ୍ଠଭୂମିରେ ସବୁଠାରୁ ସରଳ ମାର୍ଗ ହେଉଛି ନାମ ସ୍ମରଣ କିମ୍ବା ଭଗବାନ ଅଥବା ସଦଗୁରୁ ବା ନିଜ ଈଷ୍ଟଙ୍କ ନାମ ନିରବଚ୍ଛିନ୍ନ ଭାବେ ସ୍ମରଣ କରିବା । ପୂର୍ବ ଯୁଗ ମାନଙ୍କରେ ବହୁ ସନ୍ଥ ସାଂସାରିକ ଜୀବନ ମଧ୍ୟରେ ରହି ଈଶ୍ୱରସାକ୍ଷାତକାର କରିଥିବା ଦୃଷ୍ଟାନ୍ତ ରହିଛି । ପ୍ରାଚୀନ ଋଷିଙ୍କ ମଧ୍ୟରେ ଅତ୍ରି, ଗୌତମଙ୍କର ପରିବାର ଥିଲା କିନ୍ତୁ ନୀତିନିଷ୍ଠ ଓ ଅନୁଶୀଳନ ଯୁକ୍ତ କଠୋର ଆଧ୍ୟାତ୍ମିକ ସାଧନା ମାଧ୍ୟମରେ ସେମାନେ ନିଜର ଆଧ୍ୟାତ୍ମିକ ଉନ୍ନତି ଘଟାଇଥିଲେ ମାତ୍ର ଆଜିର ମନୁଷ୍ୟ ସଂସାରର ମାୟା ଜାଲରେ ଏପରି ଛନ୍ଦି ହୋଇଯାଇଛି ଯେ ସେ ଭାବୁଛି କି ଏଥିରୁ ଆଉ ମୁକ୍ତି ପାଇବା ତା ପକ୍ଷରେ ସମ୍ଭବ ନୁହେଁ । ଆଧ୍ୟାତ୍ମିକ ଉନ୍ନତି ନିମିତ୍ତ ମାୟା ଜାଲରୁ ମୁକୁଳି ଏକ ଦିବ୍ୟ ମାର୍ଗ ଅନ୍ୱେଷଣ କରୁଥିଲେ ମଧ୍ୟ ସମସ୍ତେ ଯାବତୀୟ ଜଞ୍ଜାଳରୁ ମୁକ୍ତ ହୋଇପାରୁନାହାଁନ୍ତି । ସମସ୍ତ ପ୍ରକା ବୈଷୟିକ ଓ ବୈଜ୍ଞାନିକ ସୁବିଧାର ଅଧିକାରୀ ହୋଇଥିବା ସତ୍ତ୍ୱେ ଏକ ପ୍ରକାର ହତାଶା, ଶୂନ୍ୟତା, ନୈରାଶ୍ୟ, ଅଭାବବୋଧ ଓ ଅସ୍ଥିରତାର ଜୀବନ ନିର୍ବାହ କରୁଛି ।
ଗୁରୁଦେବ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ଜୀବନ ଚରିତ ଓ ତାଙ୍କ ଦିଗଦର୍ଶନ ଅନୁଶୀଳନ କଲେ ଜଣାଯାଏ ଯେ ପାର୍ଥିବ ଜଞ୍ଜାଳଗ୍ରସ୍ତ ଏପରି ଗୃହୀ ଲୋକଙ୍କୁ ପ୍ରତ୍ୟେକ ଉପଲବ୍ଧି ବା ଅଲିକ୍ଷିତ ଅନୁଭୂତି ମାଧ୍ୟମରେ ସେମାନଙ୍କ ଆଧ୍ୟାତ୍ମିକ ଉନ୍ନତି ନିମିତ୍ତ ସେମାନଙ୍କ ଜୀବନକୁ ଶାନ୍ତିମୟ କରିବା ନିମନ୍ତ ପ୍ରୟାସ କରୁଛନ୍ତି । ଗୁରୁଦେବଙ୍କ ସବୁଠାରୁ ମହତ୍ୱପୂର୍ଣ୍ଣ ଅବଦାନ ହେଉଛି କଳିଯୁଗର ଏହି ଘୂର୍ଣ୍ଣି ବତାସପୂର୍ଣ୍ଣ ତମସାଚ୍ଛନ୍ନ ସାଗର ମଧ୍ୟରେ ଏକ ବତିଘର ଭଳି ସେ ଦଣ୍ଡାୟମାନ ହୋଇଛନ୍ତି ଏବଂ ତାଙ୍କର ଆଶ୍ରିତ ଶ୍ରଦ୍ଧାଳୁମାନଙ୍କୁ ପ୍ରେମପୂର୍ଣ୍ଣ ଦିବ୍ୟବାଣୀର ଜୀବନ ଚେତନାର ମୂର୍ଚ୍ଛନା ଶୁଣାଇ ତାଙ୍କର ପ୍ରେମପୂର୍ଣ୍ଣ କାରୁଣିକ ହସ୍ତ ସେମାନଙ୍କ ଉପରେ ରଖି ବରାଭୟ ପ୍ରଦାନ କରୁଛନ୍ତି । ଗୁରୁଦେବଙ୍କ ଆହ୍ୱାନ ଓ ଆନନ୍ଦମୟ ଚେତନା ହେଉଛି "ତୁମ ଗୁରୁଦେବ ଯେତେବେଳେ ତୁମ ସହ ଅଛନ୍ତି ଭୟ କାହିଁ କରୁଛ?' ସେ ସଂସାରର ଘୂର୍ଣ୍ଣିଳ ମାୟା ଜାଲରେ ହଜି ଯାଇଥିବା ଆଧ୍ୟାତ୍ମିକ ମୁମୁକ୍ଷୁ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି ଯେ "କଳିଯୁଗର ଏହି କଳୁଷିତ ପୃଥିବୀରେ ନାନା ପରୀକ୍ଷା ଓ ଦୁଃଖକଷ୍ଟ ମଧ୍ୟରେ ତୁମେ ଆଧ୍ୟାତ୍ମିକ ଉନ୍ନତି କରି ଈଶ୍ୱରଙ୍କ ଅନୁଭୂତି ଲାଭ କରିପାରିବ ଏଥିପାଇଁ କଠିନତମ ଯୋଗ, ତପ, ଧ୍ୟାନର ସାଧନା କରିବା ଦରକାର ନାହିଁ । କେବଳ ନିଜ ଈଷ୍ଟ, ନିଜ ଆରାଧ୍ୟ, ନିଜ ଗୁରୁଦେବଙ୍କ ନାମ ସ୍ମରଣ କର, ନିଗୁଣ ବା ସଗୁଣ ଭାବରେ ଧ୍ୟାନ କରି ଗୁରୁଙ୍କ ଉପଦେଶ ଅନୁସରଣ କରି ସର୍ବଦା ଗୁରୁଦେବ ତୁମ ପାଖରେ ରହିଛନ୍ତି ବୋଲି ଦୃଢ଼ ବିଶ୍ୱାସ କରି ଧୈର୍ଯ୍ୟ ଓ ଶ୍ରଦ୍ଧାର ସହ ତାଙ୍କୁ ତୁମର ସ୍ଥିତିର ମୂଳଭିତ୍ତି କରିଦିଅ ।
ଗୁରୁଦେବଙ୍କ ପାବନ ଚେତନା ହେଉଛି ତୁମେ ଏହି ପୃଥିବୀରେ ଯେଉଁ ଗରିବ ଲୋକଟିକୁ ସାହାଯ୍ୟ କରୁଛ ତାହା ଭିତରେ ମୋତେ ଅନୁଭବ କର ।
ଆଜିର ସ୍ୱାସ୍ଥ୍ୟସର୍ବସ୍ୱ ବସ୍ତୁ ସର୍ବସ୍ୱ ଦୁନିଆରେ ଉପର ବର୍ଣ୍ଣିତ ସମସ୍ତ ମାର୍ଗ ପାଳନ ଓ ଅନୁସରଣ କରିବା ସହଜ ନୁହେଁ । କିନ୍ତୁ ସାଧନାର ପଥେ ଅବିଚଳିତ ଭାବେ ଆଗେଇ ଚାଲିବା ପାଇଁ ପଡ଼ିବ । ଗୁରୁଦେବ ଆମର ଉଭୟ ପାପ ଓ ପୁଣ୍ୟ, ଶୁଦ୍ଧତା ଓ ଅଶୁଦ୍ଧତାକୁ ସମାନ ଭାବରେ ଗ୍ରହଣ କରିନେଇଥାନ୍ତି । ତାହାଲେ ଆଜିର ଆହ୍ୱାନ ଭରା ସମୟରେ କାତର ବା କଷ୍ଟଭରା ମୁହୂର୍ତ୍ତରେ ଯେତେ ବାଧାବିଘ୍ନ, ଝଡ଼ଝଞ୍ଜା ଆସୁନା କାହିଁକି ଭୟ କରିବାରେ କ'ଣ ଅଛି? ଯେତେବେଳେ ଆମ ରକ୍ଷାକର୍ତ୍ତା ଗୁରୁଦେବ ଆମ ସହିତ ଜୀବନୋତ୍ତର ଜୀବନରେ ଅଛନ୍ତି ଏବଂ ତାଙ୍କର ପ୍ରତିଶ୍ରୁତି ରକ୍ଷା କରୁଛନ୍ତି ଆମେ କାହିଁକି ହତାଶ ହେବା? ଆଶାଶୂନ୍ୟ ଓ ଦୁଃଖ ଯନ୍ତ୍ରଣାରେ ବ୍ୟଥିତ ହେବା । ଆଜିର ଦୁନିଆରେ ହିନ୍ଦୁ ଧର୍ମରେ ବର୍ଣ୍ଣିତ ଚର୍ତୁଃଶ୍ରାମ ପଦ୍ଧତି ଅବଲମ୍ବନ କରିବା କଷ୍ଟକର । ଏହି ଆଶ୍ରମ ଗୁଡ଼ିକ ହେଉଛି ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ । ତେଣୁ ଗୁରୁଦେବ ଆମ ମାନଙ୍କୁ ପରିବାର ମଧ୍ୟରେ ରହି ମଧ୍ୟ ଏହି ଚତୁର୍ମାର୍ଗ ଅବଲମ୍ବନ କରିବାର ମାର୍ଗ ଦର୍ଶନ କରିଛନ୍ତି । ଗାର୍ହ୍ୟସ୍ଥ ବା ପାରିବାରିକ ଜୀବନ ଅନ୍ୟତମ କଷ୍ଟକର ଆଶ୍ରମ କିନ୍ତୁ ସାଂସାରିକ ମଣିଷ ହୋଇ ମଧ୍ୟ ଜଣେ ଚାରୋଟି ଯାକ ଆଶ୍ରମର ନିୟମ ଚର୍ଯ୍ୟା ପାଳନ କରିପାରିବ । ଏହି ଆଧ୍ୟାତ୍ମିକ ଅନୁଚିନ୍ତନର ଭାବାର୍ଥଟି ଅତି ସ୍ପଷ୍ଟ । ଏହି କଳି ଯୁଗରେ ମଧ୍ୟ ଜଣେ ଯଦି ଶ୍ରଦ୍ଧା, ନିଷ୍ଠା, ସମର୍ପଣ, ଆତ୍ମ ନିବେଦନ ସହ ଗୁରୁଙ୍କ ଦ୍ୱାରା ନିରୂପିତ ସୁଗମ ମାର୍ଗ ଗୁଡ଼ିକ ଅନୁସରଣ କରନ୍ତିି ତାହାହେଲେ ସାଂସାରିକ ଓ ଜାଗତିକ ଜୀବନରୁ ତାଙ୍କର ସମସ୍ତ ଦୁର୍ଦ୍ଦଶା, ନିରାଶା ଓ ହତାଶା ଦୂର ହୋଇଯାଇ ଆଧ୍ୟାତ୍ମିକ ଚେତନାର ଉନ୍ମୀଳନ ଘଟିବ ଓ ଜୀବନ ଆନନ୍ଦମୟ ହୋଇପାରିବ ।
ମୋ: ୯୪୩୭୨୨୫୫୯୨