ଅପରାଜିତାଙ୍କ ବଡ଼ଗଡ଼ ହାଇସ୍କୁଲ୍ ସମୀକ୍ଷା
ଭୁବନେଶ୍ୱର : ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ଗଡ଼ସ୍ଥିତ ୱାର୍ଡ ନମ୍ବର ୪୪ରେ ଥିବା ୧୦୬ ବର୍ଷର ପୁରୁଣା ସ୍କୁଲକୁ ଯାଇ ଏହାର ସମସ୍ୟା ଉନ୍ନତିକରଣ ନେଇ ସମୀକ୍ଷା କରିଥିଲେ । ଏହି ପୁରାତନ ସ୍କୁଲ୍ରେ ଅନେକ ସମସ୍ୟା ରହିଛି । ସ୍କୁଲ ପରିସରରେ ଛାତ୍ରଛାତ୍ରୀ ସାଇକେଲ ରଖିବା ପାଇଁ ଷ୍ଟାଣ୍ଡ ନାହିଁ । ବହୁ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ସେମାନଙ୍କ ଭିତରୁ ଅନେକ ଖେଳରେ ଆଗ୍ରହ ରଖିଛନ୍ତି । କିନ୍ତୁ ଖେଳ ପଡିଆ ନ ଥିବାରୁ ସେମାନେ ସୁବିଧାରେ ଖେଳି ପାରୁନାହାନ୍ତି । ଖେଳପଡ଼ିଆର ବିକାଶ ପାଇଁ ବିଡିଏ ପାଖରେ ପ୍ରସ୍ତାବ ଅଛି କିନ୍ତୁ ଏହା ଆଗେଇ ପାରୁନି । ୨୦୨୧ରେ ବିଡିଏ ଏଥିପାଇଁ ପୁଲିସ ହାଉସିଂ ବୋର୍ଡ କର୍ପୋରେସନକୁ ୪କୋଟି ଟଙ୍କା ଦେଇଥିଲା । ଏଥିରେ ବହୁମୁଖୀ ଖେଳପଡ଼ିଆ ସହ ସାଇକେଲ ଷ୍ଟାଣ୍ଡ ଓ ନୂଆ ଶ୍ରେଣୀଗୃହ ତିଆରି ପ୍ରସ୍ତାବ ଥିଲା । ବିଭିନ୍ନ କାରଣ ପାଇଁ ଏହା ହୋଇ ପାରୁନଥିଲା । ସାଂସଦ ତକôାଳ ପୁଲିସ ହାଉସିଂ ବୋର୍ଡ ଅଧ୍ୟକ୍ଷ ଓ ଭୁବନେଶ୍ୱର ତହସିଲଦାରଙ୍କ ସହ ଏ ପ୍ରସଙ୍ଗରେ କଥା ହୋଇଥିଲେ । ଏପ୍ରିଲ ୨ ତାରିଖରୁ ପ୍ରସ୍ତାବରେ ଥିବା ଉନ୍ନତିକରଣ କାମ ଆରମ୍ଭ ହେବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଓ ବଡ଼ଗଡ଼ ଗାଁ କମିଟିର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସ୍କୁଲ ପାଇଁ ବହୁମୁଖୀ ଖେଳପଡ଼ିଆ ବିକାଶ କରାଯିବ । ତିନି ମାସ ଭିତରେ କାମ ସାରିବାକୁ ସମସ୍ତ ଅଧିକାରୀଙ୍କୁ ସେ ନିଦେ୍ର୍ଦଶ ଦେଇଛନ୍ତି । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁବଶୀଘ୍ର ଏକ ସାଇକେଲ ଷ୍ଟାଣ୍ଡ ତିଆରି କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହି ପରିଦର୍ଶନ ସମୟରେ ସ୍ଥାନୀୟ କର୍ପୋରେଟର ଅଜିତ ବେହେରା, ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ମନୋଜା ମଞ୍ଜରୀ ସାହୁ, ସ୍କୁଲ୍ ପୁରାତନ ଛାତ୍ର ସଙ୍ଘର ସଭାପତି ମାନସ ମହାନ୍ତି ଓ ଗାଁ କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।