ଲକ୍ଷପତି ଦିଦି ଦୀପାଞ୍ଜଳି

 ଭୁବନେଶ୍ୱର  : ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ବିକାଶର ମୂଳମନ୍ତ୍ର ଅଟେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସଶକ୍ତିକରଣ ଅନ୍ତର୍ଗତ ମହତ୍ତ୍ୱାକାଂକ୍ଷୀ ଯୋଜନା "ଲକ୍ଷପତି ଦିଦି'  ମାଧ୍ୟମରେ  ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି । ଓଡ଼ିଶାର ସଫଳତା ଏହାକୁ ରାଷ୍ଟ୍ରୀୟସ୍ତରରେ ଦ୍ୱିତୀୟ ସ୍ଥାନରେ ରଖିଛି । ୯.୩୬ ଲକ୍ଷରୁ ଅଧିକ ମହିଳା ବାର୍ଷିକ ୧ ଲକ୍ଷ କିମ୍ବା ତାଠାରୁ ଅଧିକ ଆୟ କରୁଛନ୍ତି । ଏହି ପରିବର୍ତ୍ତନର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛନ୍ତି ଖୋର୍ଦ୍ଧା ବ୍ଲକ୍ର ବଡସାହି ଗ୍ରାମ ପଞ୍ଚାୟତର କୁମ୍ଭିଲୋ ଗ୍ରାମର ଦୀପାଞ୍ଜଳି ଛୋଟରାୟ । ତାଙ୍କର ଉଦ୍ୟୋଗୀ ହେବା ଯାତ୍ରା ଆରମ୍ଭ ପୂର୍ବରୁ ଦୀପାଞ୍ଜଳିଙ୍କ ପରିବାର ଭାଗଚାଷ ଓ ଏକ ଛୋଟ ତେଜରାତି ଦୋକାନ ଉପରେ ନିର୍ଭରଶୀଳ ଥିଲେ । ଯାହା ପ୍ରାୟତଃ ଦୈନିକ ମୌଳିକ  ଆବଶ୍ୟକତାକୁ ପୂରଣ କରିପାରୁନଥିଲା । ୨୦୨୧ରେ ବିଶ୍ୱ ଜାଗୃତି ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗଦେବା ପରେ ତାଙ୍କ ଜୀବନରେ ଆଶାତୀତ ପରିବର୍ତ୍ତନ ଆସିଥିଲା । ଏସ୍ଏଚ୍ଜି ତାଲିମ ମାଧ୍ୟମରେ ଦୀପାଞ୍ଜଳି ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ଉଦ୍ୟୋଗ ଉନ୍ନୟନ ଯୋଜନା ଋଣ ଯୋଜନା ବିଷୟରେ ଜାଣିବାକୁ ପାଇଥିଲେ । ନିଜ ପରିବାରର ଆର୍ଥିକ ସ୍ଥିତି ଉନ୍ନତ କରିବାକୁ ଦୃଢ଼ ସଂକଳ୍ପବଦ୍ଧ ହୋଇ ସେ ପିଏମ୍ଏଫ୍ଏମ୍ଇ ଅଧୀନରେ ୪୦ ହଜାର ପୁଞ୍ଜି ଋଣ  କରିଥିଲେ ଏବଂ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘଠାରୁ ୧୫ ହଜାର ଅତିରିକ୍ତ ଋଣ ପାଇଲେ । ଏହି ଆର୍ଥିକ ସହାୟତା ମାଧ୍ୟମରେ ସେ ତାଙ୍କ ତେଜରାତି ଦୋକାନକୁ ଉଲ୍ଲେଖନୀୟ ଭାବେ ପ୍ରସାରିତ କରିବା ସହ ମସଲା ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବିକ୍ରୟରେ ବିବିଧତା ଦେଇଥିଲେ । ଆଜି ଦୀପାଞ୍ଜଳି ଗର୍ବର ସହ ବାର୍ଷିକ ୩ ଲକ୍ଷ ୩୬ ହଜାର ଟଙ୍କା ଆୟ କରୁଛନ୍ତି ଏବଂ ପ୍ରାୟ ୨ ଲକ୍ଷ ଟଙ୍କାରୁ ଊଦ୍ଧ୍ୱ ଲାଭ ଅର୍ଜନ କରୁଛନ୍ତି ।