ଅଫିସର ‘ଶୂନ୍ୟ’ ହୋଇ ପଡିଛି ଆସିକା
ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବ୍ଲକରେ ଅଫିସର ମରୁଡି ହୋଇଥିବା ଦେଖିବାକୁ ମିଳୁଛି । ଭାରତର ରାଜଧାନୀ ଠାରୁ ଆରମ୍ଭ କରି ଓଡିଶା ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଆସିକା ସହର ନାମ ବିଖ୍ୟାତ ଥିଲା । ଆଜି ଆସିକାରେ ଥିବା ଅନେକ ଅଫିସରେ ମୁଖ୍ୟ ଅଧିକାରୀ ଅବସର କିମ୍ବା ବଦଳି ପରେ ଆଉ କିଏ ଆସିବାକୁ ମନୁ ନଥିବା ଶୁଣିବାକୁ ମିଳୁଛି । ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଜଣେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ପାତ୍ରଙ୍କ ବଦଳି ପରେ ଏହି ପଦବୀ ଖାଲି ପଡ଼ିଛି । ଅନେକ ବିଦ୍ୟାଳୟରେ ଅବସର ପରେ ସ୍ଥାୟୀ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ନାହାନ୍ତି । ଚଳିତ ଶିକ୍ଷା ବର୍ଷରେ ବଦଳିଲେ ଶିକ୍ଷକ ୧୧ ଜଣ କିନ୍ତୁ ବଦଳରେ ଆସିଲେ ୦୩ ଜଣ । ସ୍ୱାସ୍ଥ୍ୟ ବିଭାଗରେ ଆସିକା ଉପଖଣ୍ଡ ଚିକିତ୍ସାଳୟ, ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଅଫିସ କର୍ମଚାରୀ ଅନେକ ଅଭାବ ରହିଛି । ଯଦ୍ୱାରା ଅନେକ ଅଫିସ କାର୍ଯ୍ୟରେ ଅବହେଳା ହୋଇଥିବା ଦେଖିବାକୁ ମିଳୁଛି । ଆସିକା ପୂର୍ତ୍ତ ବିଭାଗର ଏସଡିଓ ଅଫିସରେ ସ୍ଥାୟୀ ସହକାରୀ ନିର୍ବାହୀ ଅଧିକାରୀ ନଥିବା ଯୋଗୁଁ କୋଠା ବାଡ଼ି ନିର୍ମାଣରେ ଘୋର ଅବ୍ୟବସ୍ଥା, ଅନୁରୂପ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ଥାୟୀ ସହକାରୀ ନିର୍ବାହୀ ଇଂଜିନିୟର ନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନାର କାମରେ ମନ୍ଥରତା, ରାସ୍ତା ଘାଟର ମରାମତି ନ ହେବା ଯୋଗୁଁ ଜନ ସାଧାରଣ ବହୁ ହଇରାଣ ହରକତ ହେଉଛନ୍ତି । ଗ୍ରାମ୍ୟ ଜଳ ପରିମଳ ବିଭାଗ ଓ ଏବଂ ଜନ ସ୍ୱାସ୍ଥ୍ୟ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି ଫଳରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଆସିକାରେ ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ, ମୃତ୍ତିକା ଅଧିକାରୀ, ସବୁବେଳେ କାର୍ଯ୍ୟାଳୟରେ ରହୁନଥିବା ନେଇ ଜିଲ୍ଲା ପରିଷଦ ବୈଠକରେ ତୁମ୍ବି ତୁଫାନ ହୋଇଥିଲା । ଆସିକା ଏନଏସିରେ କନିଷ୍ଠ ଯନ୍ତ୍ରୀ, ଟାସ୍କ କଲେଟର ନଥିବା ଯୋଗୁଁ ବହୁ ସରକାରୀ ଯୋଜନା କାର୍ଯ୍ୟକାରୀରେ ବିଳମ୍ବ ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଆସିକାରେ ମରୁଡ଼ି ପଡ଼ିଥିବା ଅଫିସର ପଦବୀ ଶୀଘ୍ର ପୂରଣ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।