ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଥଇଥାନ କେନ୍ଦ୍ର ପାଲଟିଛି ପୂର୍ତ୍ତବିଭାଗ

ଭୁବନେଶ୍ୱର : ଅବସରପରେ ବରିଷ୍ଠ ଯନ୍ତ୍ରୀଙ୍କ ଥଇଥାନ କେନ୍ଦ୍ର ପାଲଟିଛି ଓଡ଼ିଶା ବି୍ରଜ୍ କନ୍ଷ୍ଟକ୍ସନ୍ କର୍ପୋରେସନ୍ (ଓବିସିସି) । ନିକଟ ଅତୀତରେ ଦୁଇ ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀଙ୍କୁ ଅବସର ପରିଦିନରୁ ଓବିସିିସି ଦ୍ୱାରା ଉଚ୍ଚ ବେତନରେ ପୂର୍ତ୍ତ ବିଭାଗରେ ପୁନଃନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଯନ୍ତ୍ରୀମାନେ ଅବସର ପରେ ନିଜ ପୁନଃନିଯୁକ୍ତି ପାଇଁ ପୂର୍ତ୍ତ ବିଭାଗରେ ଏକ ଅଲଗା କ୍ୟାଡ଼ର ବ୍ୟବସ୍ଥା କରିବା ପାଇଁ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣାର ବିରୋଧ କରି ଓଡ଼ିଶା ଯନ୍ତ୍ରୀ ସେବା ସଂଘ ପକ୍ଷରୁ ଗତ ମେ’ ୨୦ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିସନରଙ୍କୁ ଚିଠି  ଲେଖାଯାଇଥିଲା ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଏପି୍ରଲ ୫ରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଉପାଙ୍କନ ଶାଖାକୁ ଅଲଗା କ୍ୟାଡ଼ର ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଛି । ଏହି ନୂତନ କ୍ୟାଡର ହେବା ପର୍ଯ୍ୟନ୍ତ ଉଭୟ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆଉଟସୋର୍ସିଂ ମାଧ୍ୟମରେ ଯନ୍ତ୍ରୀମାନଙ୍କୁ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯିବ । ଏପରି ଯନ୍ତ୍ରୀଙ୍କ ମାସିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ନୂତନ କ୍ୟାଡ଼ର ହେବା ପର୍ଯ୍ୟନ୍ତ ସରକାରଙ୍କ ଉପରେ ବାର୍ଷିକ ଅତିରକ୍ତ ୩୪.୪ କୋଟି ଟଙ୍କାର ବୋଝ ପଡ଼ିବ । ଏପରି ପ୍ରସ୍ତାବ ଅନୁମୋଦନ ପାଇଁ ଅର୍ଥ ବିଭାଗକୁ ଫାଇଲ ପଠାଯାଇଛି । ଭବିଷ୍ୟତରେ ଏହି ଆଉଟସୋର୍ସିଂ ପଦବିଗୁଡ଼ିକରେ ଅବସର ଗ୍ରହଣ କରିବାକୁ ଯାଉଥିବା ଯନ୍ତ୍ରୀମାନଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ଏକ ପ୍ରକାର ଚେଷ୍ଟା କରାଯାଉଛି । ବର୍ତ୍ତମାନ ଆଉଟସୋର୍ସିଂ ମାଧ୍ୟମରେ ଅବସରପ୍ରାପ୍ତ ଅଧିକାରୀଙ୍କୁ କନସଲଟାଣ୍ଟ ଭାବେ ନିଯୁକ୍ତି ପାଇଁ ରହିଥିବା ପ୍ରସ୍ତାବ ସରକାରୀ ନୀତିନିୟମର ଉଲ୍ଲଂଘନ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉପାଙ୍କନ ବିଭାଗରେ ନୂତନ କ୍ୟାଡ଼ର ସୃଷ୍ଟି ପ୍ରସ୍ତାବକୁ ବିରୋଧ କରି ଓଡ଼ିଶା ଯନ୍ତ୍ରୀ ସେବା ସଂଘ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବି, ଅନ୍ୟ ମଞ୍ଜୁରୀପ୍ରାପ୍ତ ପଦବି ପୂରଣ କରାଗଲେ ଓ ଉପାଙ୍କନ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀଙ୍କୁ ଆବଶ୍ୟକ ମୁତାବକ ପ୍ରଶିକ୍ଷଣ ଦିଆଗଲେ ଏହି ବିଭାଗ ଅଧିକ ସୁଦୃଢ଼ ହେବ ।