ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ବୈଠକ

 ପୁରୀ: ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ଏକ ସାଧାରଣ ବୈଠକ ସଭାପତି ଲକ୍ଷ୍ମୀକ୍ଷର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୬୫ବର୍ଷରୁ ୫ପ୍ରତିଶତ କରି ବର୍ଦ୍ଧିତ ପେନ୍ସନ୍ ପ୍ରଦାନ ଓ କମୁ୍ୟଟେଡ ପେନ୍ସନ୍ ୧୫ବର୍ଷ ପରିବର୍ତ୍ତେ ପୂର୍ବଭଳି ୧୨ବର୍ଷ କରିବା ଏବଂ ୧୨ ବର୍ଷ ପରେ ଅସୁଲ କରାଯାଇଥିବା ଅର୍ଥକୁ ପେନସନ୍ ଭୋଗୀଙ୍କୁ ଫେରାଇବାକୁ ସାଧାରଣ ସମ୍ପାଦକ ବିଶ୍ୱନାଥ ବେହେରା ଦାବି କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବେସରକାରୀ ସଂସ୍ଥାକୁ ନିୟୋଜିତ ନକରି ରାଜ୍ୟ ସିଲେକ୍ସନ ବୋର୍ଡକୁ କାର୍ୟ୍ୟକ୍ଷମ କରି ମାଧ୍ୟମିକ, ନିମ୍ନ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ସାଧାରଣ ସମ୍ପାଦକ ଦାବି କରିଥିଲେ । ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ଗତ ୬ମାସ ମଧ୍ୟରେ ଅସାଧୁ ଉପାୟରେ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଅର୍ଥ ଲୁଟ୍ କରି ଗିରଫ ହୋଇ ଜେଲ୍ୟିବା ଘଟଣା ବିଦ୍ଧିଜୀବୀ ମହଲକୁ ହତବାକ୍ କରିଛି । ଏହି ଲୁଟ୍ ଅର୍ଥକୁ ରାଜ୍ୟ ରାଜକୋଷକୁ ଆଣି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଚାକିରିରୁ ବହିଷ୍କାର କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ରାଜ୍ୟସଭା ସାଂସଦ ମୁନା ଖାଁ ରାମକୃଷ୍ଣ ନନ୍ଦଙ୍କ କାଳଜୟୀ ପ୍ରାର୍ଥନା ସଂଗୀତକୁ କଦର୍ଥ କରି ବକ୍ତବ୍ୟ ରଖିଥିବାରୁ କୋଟି କୋଟି ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ରାଜ୍ୟବାସୀଙ୍କ ମାନସିକତାକୁ ଘୋର ଆଘାତ ଦେଇଛି । ଏଭଳି ଆପତ୍ତିଜନକ ବକ୍ତବ୍ୟକୁ ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା । ବୈଠକରେ ପ୍ୟାରିମୋହନ ପଟ୍ଟନାୟକ, ଲକ୍ଷ୍ମୀଧର ମିଶ୍ର, ବ୍ରହ୍ମାନନ୍ଦ ଦାସ, ବାଇଧର ଜେନା, ସନ୍ତୋଷ ମହାନ୍ତି, ଆଶାଲତା ପ୍ରଧାନ, ମିନତୀ ଓତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଗଣେଶ୍ୱର ମହାପାତ୍ର ବୈଠକ ପରିଚାଳନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ମନୋଜ ସାମନ୍ତରାୟ ।