ଅବହେଳିତ ଢେଙ୍କାନାଳ : ହେଉନି ବିକାଶର ଅଗ୍ରଗତ

 ।ା ପ୍ରଭାନୁ୍ୟଜ ।ା ଢେଙ୍କାନାଳ, ୩ା୪: ଢେଙ୍କାନାଳ ଜିଲ୍ଲା ଏକ ଆକାଂକ୍ଷୀ ଜିଲ୍ଲା ହୋଇ ମଧ୍ୟ ସବୁ କ୍ଷେତ୍ରରେ ପଛୁଆ ଓ ସରକାରୀ ଅବହେଳାର ଶିକାର ହେଉଛି ବୋଲି ଅଭିଯୋଗ ଆଣିଛନ୍ତି ଜିଲ୍ଲା ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ । ରାଜାରାଜୁଡା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଗମନାଗମନ କ୍ଷେତ୍ରରେ ରାଜ୍ୟରେ ଅଗ୍ରଗତି କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ସରକାରୀ ଅବହେଳାରୁ ଯେଉଁଭଳି ଭାବେ ଜିଲ୍ଲାର ବିକାଶ ହେବା କଥା ତାହା ହେଉପାରୁନାହିଁ । ବିଭିନ୍ନ ସମୟରେ ଗଢି ଉଠିଥିବା ଜିଲ୍ଲାରେ ବହୁ କଳକାରଖାନାରୁ ଅଧିକାଂଶ ଏବେ ବନ୍ଦ ହୋଇ ପଡି ରହିଥିବା ବେଳେ ସେଗୁଡିକର ପୁନରୁଦ୍ଧାର ପାଇଁ ଯେପରି କାହାର ଆନ୍ତରିକତା ନାହିଁ ବୋଲି ବୋଲି ଅଭିଯୋଗ ହୋଇଛି ।
ଓଡିଶାର ପୂର୍ବ ଉପକୂଳ ଓ ପଶ୍ଚିମ ଅଂଚଳକୁ ଯୋଡୁଥିବା ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ ସବୁ କ୍ଷେତ୍ରରେ ପଛୁଆ ଓ ସରକାରୀ ଅବହେଳାର ଶିକାର ହେଉଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ବିଜେଡି ସରକାରରେ ଯାହା ଅବସ୍ଥା ଥିଲା ନୂତନ ବିଜେପି ସରକାରରେ ମଧ୍ୟ ଏହି ଧାରା ଅବ୍ୟାହତ ଥିବାର ଦେଖାଯାଉଛି । ସ୍ୱାଧିନତୋର ମହାରାଜା ଭଗିରଥ ମହୀନ୍ଦ୍ର ବାହାଦୂରଙ୍କ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି କ୍ଷେତ୍ରରେ ଓଡିଶାର ଅନ୍ୟ ଗଡଜାତ ଠାରୁ ଢେଙ୍କାନାଳ ଯଥେଷ୍ଟ ଆଗରେ ଥିଲା । ଏବେ କିନ୍ତୁ କୌଣସି ଉନ୍ନୟନ ମୂଳକ ପ୍ରକଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଢେଙ୍କାନାଳ ଅଗ୍ରାଧିକାର ଚିଠାର ବହୁ ପଛରେ ଥାଏ । ୨୦୧୭ରୁ ୮ ବର୍ଷ ମଧ୍ୟରେ ଢେଙ୍କାନାଳରେ ମେଡିକାଲ୍ କଲେଜ୍ ହସ୍ପିଟାଲ ଖୋଲିବା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟୟବରାଦ ଏଯାବତ୍ ହୋଇନାହିଁ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ତ ସରକାରୀ ଯୋଜନାରେ ଥିବା ଭଳି ମନେ ହୁଏନାହିଁ । ନିକଟରେ ସରକାର ୮ଟି ସହରରେ ମୋ' ବସ୍ ଯୋଜନା ପ୍ରଚଳନ କରୁଥିବାବେଳେ ସେଥିରେ ଢେଙ୍କାନାଳ ସହରକୁ ବାଦ୍ ଦିଆଗଲା । ଉଚ୍ଚନ୍ୟାୟାଳୟ, କଟକ ବଡ ଡାକ୍ତରଖାନା, ଉଚ୍ଚଶିକ୍ଷା ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ କଟକ ସହର ଉପରେ ବହୁ ଭାବରେ ନିର୍ଭରଶୀଳ ଢେଙ୍କାନାଳ ଜିଲ୍ଲାବାସୀଙ୍କ ପାଇଁ ସକାଳ ୭ଟା ରୁ ରାତ୍ରି ୭ଟା ମଧ୍ୟରେ କଟକକୁ କୌଣସି ରେଳ ସଂଯୋଗ ନାହିଁ । ଅଥଚ ନିର୍ଗୁଣ୍ଡି-ତାଳଚେର ସେକ୍ସନ୍ର ଢେଙ୍କାନାଳ ରେଳଷ୍ଟେସନ୍ ୧୯୨୭ରୁ ରେଳ ମାନଚିତ୍ରରେ ସ୍ଥାନ ପାଇ ଆସୁଛି । ୫୦ବର୍ଷ ତଳେ ୭୦ଦଶକରେ ପ୍ରତିଷ୍ଠିତ ଗୋବିନ୍ଦପୁର ସୂତାକଳ ଗତ ୩୦ବର୍ଷ ଧରି ପୁନରୁଦ୍ଧାର ନ ହୋଇ ପଡିରହିଛି । କେବଳ ସେତିକି ନୁହେଁ ତା'ସହ ରହିଛି ଝାରଗାଡିଆର ରିଲାଏନ୍ସ ପଲିଷ୍ଟର କାରଖାନା, ଗୁଣ୍ଡିଚାପଡାର ଅକ୍ସିଜେନ୍ ଉତ୍ପାଦନକାରୀ ଓଡିଶା ଏୟାର୍ ପ୍ରଡକ୍ଟସ୍, ଇପିଷ୍ଟିଲ୍, ଇପିଟାଟା ରିଫ୍ରୋକ୍ଟୋରିଜ୍ ଓ ସିମିନଇ କଳତନ୍ତ ଆଦି କୌଣସି ଗୋଟିଏ ବି ପୁରୁଣା ଶିଳ୍ପ ପୁନରୁଦ୍ଧାର ହୋଇନାହିଁ । ୭ବର୍ଷ ହେଲା ଯେଉଁ ୫୫ନଂ ଜାତୀୟ ରାଜପଥ ମଙ୍ଗୁଳିରୁ ସମ୍ବଲପୁର ଯାଏଁ ପରିବ୍ୟାପ୍ତ ହୋଇଛି, ସେଥିରେ ଢେଙ୍କାନାଳବାସୀ ଅଧିକ ଉପକୃତ ହେବା ଦୂରେ ଥାଉ ବରଂ ଅନୁଗୁଳ-ତାଳଚେର ଏବଂ କଟକ-ଭୁବନେଶ୍ୱର ଏହି ଦୁଇପଟକୁ ଯାତାୟତ ପାଇଁ ପ୍ରତିଦିନ ଟୋଲ୍ ଟିକସ ଦେବେ । ୫୩ନଂ ଜାତୀୟ ରାଜପଥରେ ବି ସମାନ ଅବସ୍ଥା । ତାଳଚେର ଶିଳ୍ପାଂଚଳ ଯାଆନ୍ତୁ କି ଯାଜପୁର ଶିଳ୍ପାଂଚଳ ଯାଆନ୍ତୁ ବିନା ଟୋଲ୍ ଟିକସରେ ଯିବା ସମ୍ଭବ ନୁହେଁ । ଏ ହେଉଛି ଜିଲ୍ଲାବାସୀଙ୍କ ଦୁଃଖ । ଅଥଚ ପରଜଙ୍ଗର ପୂର୍ବତନ ବିଧାୟକ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ପ୍ରଭାବଶାଳୀ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଏବଂ ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ଜିଲ୍ଲାର ଏହି ମୌଳିକ ସମସ୍ୟାଗୁଡିକର ସମାଧାନ ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତର ସହ ଦୃଷ୍ଟି ଦେବେ ବୋଲି ଜିଲ୍ଲା ଶ୍ରୀ ଜଗନ୍ନାଥ ସେବା ପରିଷଦର ଉପଦେଷ୍ଟା ଅମରଜ୍ୟୋତି ସିଂହଦେଓ, ଜିଲ୍ଲା ସକ୍ରିୟ ନାଗରିକ ପରିଷଦ  ଓ ପଦ୍ମଭୂଷଣ ଡଃ ରାଧାନାଥ ରଥ ଜୟନ୍ତୀ କମିଟିର ସଭାପତି ପ୍ରଦୁ୍ୟମ୍ନ ରଥ, ସଂପାଦକ ଅଶୋକ ନନ୍ଦ, ଜିଲ୍ଲା ସର୍ବୋଦୟ ମଣ୍ଡଳର ଶିଶିର ଶତପଥୀ, ଅକ୍ଷମ କଲ୍ୟାଣ ସମିତିର ମଳୟ ପାଣିଗ୍ରାହୀ, ପ୍ରଦୀପ କୁମାର ଧଳ ଓ କୃଷ୍ଣଚନ୍ଦ୍ର ଦ୍ୱିବେଦୀ, ଭଗିରଥ ମହୀନ୍ଦ୍ର ବାହାଦୂର ଫାଉଣ୍ଡେସନ୍ର ସଂପାଦିକା ଯୁବରାଣୀ ମିର୍ଣ୍ଣାଳ କୁମାରୀ ପ୍ରମୁଖ ଆଶା ପ୍ରକଟ କରିଛନ୍ତି ।