ଅବିସ୍ମରଣୀୟ ବିପ୍ଳବୀ ଧରଣୀଧର 

ସନାତନ ମହାକୁଡ଼: ବିଧାୟକ, ଚମ୍ପୁଆ : କେନ୍ଦୁଝର ରାଜବଂଶ ଓ ଭୂୟାଁ ଆଦିବାସୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ  । କେନ୍ଦୁଝର ରାଜ ସିଂହାସନକୁ ରକ୍ଷା କରିବା ପାଇଁ ଭୂୟାଁମାନେ ସବୁ ସମୟରେ ପ୍ରାଣବଳି ଦେଇଛନ୍ତି  । ମୟୂରଭଞ୍ଜ ରାଜବଂଶର ବାଳକକୁ ଚୋରାଇ ଆଣି କେନ୍ଦୁଝରରେ ରାଜା କରିବା ଓ ରାଜାଙ୍କ ଦେହାନ୍ତ ପରେ ନୂତନ ରାଜାଙ୍କୁ ଅଭିଷେକ କରାଇବା ଭୂୟାଁଙ୍କର ଏକ ପାରମ୍ପରିକ ପ୍ରଥା ଯାହା ଏବେ ମଧ୍ୟ ଅତୁଟ ରହିଛି  । ବି୍ରଟିଶ ଶାସନ ସମୟରେ ବିଭିନ୍ନ ଗଡ଼ଜାତମାନଙ୍କରେ ସୁବିଧାବାଦୀ ଦୁର୍ନୀତିଗସ୍ତ ରାଜକର୍ମଚାରୀମାନଙ୍କ ତୋଷାମଦି ଓ ଇଙ୍ଗିତରେ ଗଡ଼ଜାତ ରାଜା ତଥା ରାଜକର୍ମ•ରୀମାନଙ୍କ ଦ୍ୱାରା ପ୍ରଜାପୀଡ଼ନ, ବେଠି, ବେଗାରୀ ଓ କର ଆଦାୟର ଜୁଲମ୍ ସହିତ ଫାଶୀ ଦଣ୍ଡକୁ ନେଇ ସାଧାରଣ ଲୋକେ ଘୋର ନିର୍ଯାତନାର ଶୀକାର ହେଉଥିଲେ  । ସେହି ଅବସ୍ଥା ମଧ୍ୟ କେନ୍ଦୁଝରଗଡ଼ଜାତର ପ୍ରଜାମାନେ ଭୋଗକରୁଥିଲେ  । ରାଜା ପ୍ରଜାପାଳକ ହେବା ପରିବର୍ତ୍ତେ ପ୍ରଜାପୀଡ଼ନରେ ଲିପ୍ତ ହୋଇ ପ୍ରଜାମାନଙ୍କ ଉପରେ କଠୋର ଦଣ୍ଡବିଧାନ, ବିଭିନ୍ନ ପ୍ରକାର କର ଧାର୍ଯ୍ୟକରି ତାହା ଆଦାୟ ନିମନ୍ତେ ପ୍ରଜାମାନଙ୍କୁ ନିର୍ମମ ନିର୍ଯାତନା ଦେବା ସହ ସେମାନଙ୍କ ପରିବାରର ଗରିମା କ୍ଷୁଣ୍ଣ ହେବାଭଳି କାର୍ଯ୍ୟ କରୁଥିବା ବେଳେ କେନ୍ଦୁଝରର ତକ୍ରାଳୀନ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଓ ତାଙ୍କ ରାଜ କର୍ମଚାରୀମାନଙ୍କର ପ୍ରଜାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ସମସ୍ତ ସୀମା ଲଙ୍ଘନ କରିସାରିଥିଲା  । କେନ୍ଦୁଝର ପ୍ରଜାମାନେ ଶାନ୍ତ, ସରଳ, ସଚ୍ଚୋଟ, ସ୍ୱାଭିମାନୀ ଓ କଠୋର ପରିଶ୍ରମୀ ହୋଇଥିବା ବେଳେ ବାଧ୍ୟ ହୋଇ ପ୍ରଜାଙ୍କ ଉପରେ ଠେଙ୍ଗାପାଳି, ରସଦ ଯୋଗାଣ, ଅର୍ଥନୈତିକ ଜୁଲମ୍, ରାଜକାର୍ଯ୍ୟରେ ବେଠି ଖଟାଇବା, ଦଣ୍ଡ ଓ ଅତ୍ୟାଚାରକୁ ମଥାପାତି ସହି ନେଉଥିଲେ  । ସେମାନଙ୍କ ମନ ମଧ୍ୟରେ ରାଜକର୍ମଚାରୀ ଓ ରାଜାଙ୍କ ବିରୋଧରେ ସୃଷ୍ଟିହୋଇଥିବା ଅସନ୍ତୋଷ ସୁପ୍ତ ବିଦ୍ରୋହକୁ ଜାଗ୍ରତ କରିବା ପାଇଁ ଜନସାଧାରଣଙ୍କ ନିକଟରେ ବିକଳ୍ପ ନେତୃତ୍ୱର ଅଭାବ ଥିଲା  । ସେହି ନେତୃତ୍ୱ ଗ୍ରହଣ କରିଥିଲେ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)  । ବଣ, ପାହାଡ଼, ପର୍ବତ, ଝରଣା, ନଦୀ, ନାଳଘେରା ପ୍ରାକୃତିକ ଶୋଭା ରାଜିରେ ବିମଣ୍ଡିତ କେନ୍ଦୁଝର ଜିଲ୍ଲାର କୁସୁମିତା ପଲ୍ଲୀଗାଁରେ ଏକ ଆଦିବାସୀ ଭୂୟାଁ ପରିବାରର ପିତା-ଲକ୍ଷ୍ମଣ ନାଏକଙ୍କ ଔରସରୁ ମାତା-ବାଇଗଣୀ ଦେବୀଙ୍କ ଗର୍ଭରୁ କନିଷ୍ଠ ପୁତ୍ର ଭାବେ ୧୮୬୪ ମସିହା, ମଇମାସ ୫ ତାରିଖରେ ଜନ୍ମ ନେଇଥିବା ଧରଣୀଧର ନିଜର ଦୃଢ଼ କର୍ତ୍ତବ୍ୟନିଷ୍ଠା, ସାହସୀ ଓ ସଂଗ୍ରାମୀଜୀବନ ନେଇ ନିଜ ସାମଗ୍ରିକ ଜୀବନକୁ ତିଳତିଳ କରି ଦଗ୍ଧ କରି ମାନବ ସମାଜର ଉପକାର ପାଇଁ ନିଚ୍ଛକ ଉଦାହରଣ ସୃଷ୍ଟି କରିଯାଇଛନ୍ତି  । ନିଜ ବାଲ୍ୟକାଳରୁ ଜଣେ ମେଧାବୀ ଛାତ୍ରଭାବେ ସେ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରି କେନ୍ଦୁଝର ଗଡ଼ରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ କଟକ ସ୍ଥିତ ସର୍ଭେ ଟ୍ରେନିଂ ସ୍କୁଲରେ ମାତ୍ର ୨୩ ବର୍ଷ ବୟସରେ ସର୍ଭେ ଟ୍ରେନିଂ ସ୍ନାତକ ଶିକ୍ଷା ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ  । 
୧୮୮୭ ମସିହାରେ ସର୍ଭେ ତାଲିମ ଶେଷ ହେଲାପରେ ଧରଣୀଧର କେନ୍ଦୁଝରଗଡ଼ ଜାତରେ ସର୍ଭେୟର ଭାବରେ ରାଜ କାର୍ଯ୍ୟରେ ଯୋଗଦାନ କରିଥିଲେ, ଏ ବାବଦ କାର୍ଯ୍ୟ ପାଇଁ କୌଣସି ବେତନ ବା ପାରିଶ୍ରମିକ ରାଜାଙ୍କଠାରୁ ନେଉନଥିଲେ  । ମା’ ମାଟି ପାଇଁ କାର୍ଯ୍ୟ କରିତା ବାବଦରେ କୌଣସି ପାରିଶ୍ରମିକ ନ ନେବାକୁ ସେ ଦୃଢ଼ ସଂକଳ୍ପ ନେଇଥିଲେ, ଯାହାକି ତାଙ୍କର ଜନ୍ମମାଟି  ପ୍ରତି ଥିବା ନିଷ୍ଠା, ଭଲପାଇବା ଓ କର୍ତ୍ତବ୍ୟ ପରାୟଣତାର ଉଦାହରଣ  । ସ୍ୱାଧୀନ ଚେତା, ସ୍ୱାଭିମାନୀ ଧରଣୀଧର ରାଜକାର୍ଯ୍ୟରେ ନିୟୋଜିତ ଥିବାବେଳେ ତାଙ୍କ ପ୍ରତିଭାକୁ ତତ୍କାଳୀନ ରାଜକର୍ମଚାରୀମାନେ ସହ୍ୟ କରିପାରୁନଥିଲେ  । ବର୍ଣ୍ଣ ବୈଷମ୍ୟ, ହୀନ ଜାତିଭେଦର ଚକ୍ରବୂ୍ୟହରେ ସେ ଦୁର୍ବ୍ୟବହାର, ପାତରଅନ୍ତର ଓ ତାଚ୍ଛଲ୍ୟର କ୍ରମାଗତ ଶୀକାର ହେଉଥିଲେ  । ତାଙ୍କ ସମୟରେ ଉପରିସ୍ଥ ଅଧିକାରୀ, ସହକର୍ମୀଙ୍କ ତାଙ୍କ ପ୍ରତି ଥିବା ହୀନମନ୍ୟତା, କ୍ରମାଗତ ମାନସିକ ଅତ୍ୟାଚାର ସ୍ୱାଭିମାନୀ, ସ୍ୱାଧୀନଚେତା ଧରଣୀଧରଙ୍କୁ ଗଭୀର ମାନସିକ ଆଘାତ ପ୍ରଦାନ କରିଥିଲା  । ଯାହା ଫଳରେ ସେ ରାଜପଦବୀ ଛାଡିବାକୁ ବାଧ୍ୟ ହୋଇଥିଲେ  ।  ତାଙ୍କ ନେତୃତ୍ୱରେ ରାଜଶାସନ ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଯେଉଁ ବିପ୍ଳବର ବହ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା ତାହା ବିସ୍ଫୋରକ ରୂପ ନେଇ ୧୮୯୧ ମସିହାରେ ପ୍ରଜା ଆନେ୍ଦାଳନରେ ପରିଣତ ହେଲା  । ସେହି ଆନେ୍ଦାଳନର ମୁଖ୍ୟ କର୍ଣ୍ଣଧାର ଥିଲେ ବିପ୍ଳବୀ ଧରଣୀଧର ନାୟକ (ଭୂୟାଁ)  । ମାତ୍ର ୨୭ ବର୍ଷ ବୟସରେ ସେ ଏହି ଆନେ୍ଦାଳନରେ ମୁଖ୍ୟ ନେତୃତ୍ୱ ଗ୍ରହଣ କରିଥିଲେ  । କେବଳ ଯେ ନେତୃତ୍ୱ ଗ୍ରହଣ କଲେ ତାହା ନୁହେଁ ରାଜାଙ୍କ ବିରୋଧରେ ମହାସଂଗ୍ରାମର ଆହ୍ୱାନ ମଧ୍ୟ ଦେଇଥିଲେ  । ଏହି ସଂଗ୍ରାମର କଠୋର ପରିଣତି ବିଷୟରେ ଧରଣୀଧର ସଚେତନ ଥାଇ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ନିଜ ଜନ୍ମମାଟିର ସାଧାରଣ ମଣିଷଙ୍କ ପ୍ରତି ହେଉଥିବା ବର୍ବର ଅତ୍ୟାଚାରକୁ ବିରୋଧ କରିବା ସଙ୍ଗେସଙ୍ଗେ ସେମାନଙ୍କୁ ଶୋଷଣ ମୁକ୍ତ କରିବାକୁ ନିଜକୁ ଏହି ଆନେ୍ଦାଳନରେ ସାମିଲ୍ କରିଦେଇଥିଲେ  । ଆନେ୍ଦାଳନର ଆଭିମୁଖ୍ୟ ଥିଲା କେନ୍ଦୁଝର ରାଜ୍ୟରେ ନ୍ୟାୟ ବିଚାର ହେବ, କୌଣସି ପ୍ରଜା ବେଆଇନ ଖଜଣା ଦେବେ ନାହିଁ, କେହି ବେଠି ଖଟିବେ ନାହିଁ ଏବଂ ମାନବିକ ଅଧିକାର କ୍ଷୁଣ୍ଣ ହେବନାହିଁ ଏବଂ ରାଜକର୍ମଚାରୀଙ୍କ କୌଣସି ବର୍ବର ଅତ୍ୟାଚାର ହେବନାହିଁ ଓ ଶୋଷଣମୁକ୍ତ କେନ୍ଦୁଝର ରାଜ୍ୟ ଗଠନ ହେବ  । ଧରଣୀଧରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟକରି କେନ୍ଦୁଝର ଜିଲ୍ଲାର ଭୂୟାଁ, ଜୁଆଙ୍ଗ, କୋହ୍ଲ ଆଦି ଆଦିବାସୀ ସମ୍ପ୍ରଦାୟ ସହିତ ସାଧାରଣ ପ୍ରଜାମାନେ ମଧ୍ୟ ଏହି ଆନେ୍ଦାଳନରେ ସାମିଲ ହୋଇ ଆନେ୍ଦାଳନକୁ ସଫଳ କଲେ ଏବଂ ଉତ୍ତ୍ୟକ୍ତ ପ୍ରଜାମାନେ ରାଜବାଟୀକୁ ଅବରୋଧ କରିନେଲେ କିନ୍ତୁ ରାଜାଙ୍କ ତତ୍କାଳୀନ ଦେୱାନଙ୍କ ଚକ୍ରାନ୍ତର ଶୀକାର ହୋଇ ଧରଣୀଧର ଇଂରେଜମାନଙ୍କ ହାତରେ ବନ୍ଦୀ ହୋଇଥିଲେ  । ତାଙ୍କ ବିରୋଧରେ ରାଜଦ୍ରୋହ, ଲୁଣ୍ଠନ ଆଦି ଗୁରୁତର ଅପରାଧିକ ମାମଲାମାନ ରୁଜୁହୋଇଥିଲା  । ଆନେ୍ଦାଳନର ପୃଷ୍ଠଭୂମି ଓ  ଗୁରୁତ୍ୱକୁ ଉପଲବ୍ଧି କରି ତତ୍କାଳୀନ ବି୍ରଟିଶ ଶାସନର ପ୍ରତିନିଧି ଟୟନବୀ ସାହେବ କେନ୍ଦୁଝର ଆସି ଭୂୟାଁ ପ୍ରଜାମାନଙ୍କୁ ଡକାଇ ସେମାନଙ୍କ ଠାରୁ ଆପତ୍ତି ଅଭିଯୋଗ ଶୁଣିବା ସହିତ ରାଜା ଓ ରାଜକର୍ମଚାରୀମାନଙ୍କ ଅତ୍ୟାଚାରରୁ ପ୍ରଜାଙ୍କୁ ସୁରକ୍ଷା ଦେବାପାଇଁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କଲେ  । ଏହାସହିତ ଆନନ୍ଦପୁର କଚେରିରେ ଧରଣୀଧରଙ୍କ ବିରୋଧରେ ଥିବା ମାମଲା ରବିଚାରକରି ତାଙ୍କୁ ୭ବର୍ଷ କଠୋର ସଜ୍ଜାରେ ଦଣ୍ଡିତ କରି ଶୁଣାଣି କରାଗଲା  । ଦଣ୍ଡାଦେଶ ସଜ୍ଜା ଶୁଣିଲା ପରେ ଧରଣୀଧର ଦୁଃଖରେ ଭାଙ୍ଗି ନ ପଡ଼ି ନିଜ ପ୍ରତିକି୍ରୟାରେ ସାହସର ସହିତ କହିଥିଲେ ମୋତେ ସଜ୍ଜା ହେଲା ସେଥିରେ ମୋର ଦୁଃଖ ନାହିଁ, ମାତ୍ର କେନ୍ଦୁଝର ପ୍ରଜାମାନେ ଅତ୍ୟାଚାରରୁ ରକ୍ଷା ପାଇଲେ ସେଥିରେ ମୁଁ ଆନନ୍ଦିତ  । ଏଠାରେ ସନ୍ଥକବି ଭୀମଭୋଇଙ୍କ କବିତା“ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାରହେଉ ।’’  ଧରଣୀଧରଙ୍କ ତ୍ୟାଗ ଓ କାରାବରଣ ମାଧ୍ୟମରେ ପ୍ରକଟିତ ହୋଇଥିଲା  । 
ଉକôଳମାଟିରେ ଇଂରେଜ ଶାସନ ବିରୋଧରେ ଯେତେସବୁ ଆନେ୍ଦାଳନ ଯଥା-ମହୁରୀ ବିଦ୍ରୋହ, ଘୁମୁସର ବିଦ୍ରୋହ, ପାଇକ ବିଦ୍ରୋହ, ପାରଳା ବିଦ୍ରୋହ, ସିଂହଭୂମି ବିଦ୍ରୋହ, ଅନୁଗୋଳ ବିଦ୍ରୋହ ଓ ସମ୍ବଲପୁର ବିଦ୍ରୋହ ସଂଗଠିତ ହୋଇଥିଲା ତାହା ତତ୍କାଳୀନ ରାଜାମାନଙ୍କ ଇଙ୍ଗିତରେ ହୋଇଥିଲା ବେଳେ ଏକମାତ୍ର କେନ୍ଦୁଝରର ବିଦ୍ରୋହ ପ୍ରଜାଙ୍କ ଦ୍ୱାରା ଓ ପ୍ରଜାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ୧୮୫୭ ସିପାହୀ ବିଦ୍ରୋହ ପରେ ଓ ଭାରତ ଛାଡ଼ ଆନେ୍ଦାଳନ ପୂର୍ବରୁ କେନ୍ଦୁଝର ପ୍ରଜା ଆନେ୍ଦାଳନ ଥିଲା ଇଂରେଜ ଶାସନ ବିରୋଧରେ ଏକ ବିରାଟ ପ୍ରତିବାଦ ଓ ଏହା ଇଂରେଜ ବିରୋଧରେ ପ୍ରାକ୍ ସ୍ୱାଧୀନତା ଆନେ୍ଦାଳନର ମୂଳଦୁଆ ପକାଇଥିଲା  ।
କଟକ କାରାଗାରରେ ଧରଣୀଧର ୭ ବର୍ଷସଜ୍ଜା କାଟିଲା ପରେ କଟକରେ ରହିବାକୁ ନିଷ୍ପତ୍ତି ନେଇଥିଲେ  ଓ ଆଉ କେବେ ନିଜ ଜନ୍ମମାଟି ଓ କର୍ମଭୂମି କେନ୍ଦୁଝରକୁ ଫେରି ନଥିଲେ । ରାଜାଙ୍କ ଦ୍ୱାରା ପ୍ରଦତ୍ତ ଭତ୍ତାକୁ ପ୍ରତ୍ୟାଖାନ କଲେ, ଯେଉଁ ଗଡ଼ଜାତ ରାଜ୍ୟ ତାଙ୍କ ଶିକ୍ଷା, ସେବା, ଦକ୍ଷତା, ଆଦର୍ଶ ଓ ମମତାକୁ ସମ୍ମାନ ଦେଲାନାହିଁ, ତାରି ଅର୍ଥରେ ଜୀବନ ବଞ୍ଚôବାକୁ ସେ ପସନ୍ଦ କରିନଥିଲେ  । ତାଙ୍କ ଆନେ୍ଦାଳନ କେବଳ କେନ୍ଦୁଝରରେ ସୀମିତ ନଥିଲା, ସେ କଟକରେ ରହିବା ସମୟରେ ତତ୍କାଳୀନ ଦେଶପ୍ରେମୀ ଯୁବନେତୃତ୍ୱ ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ ପ୍ରମୁଖଙ୍କୁ ଜାତୀୟ କଂଗ୍ରେସରେ ମିଶି ଭାରତମାତାର ମୁକ୍ତିପାଇଁ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇ ଦେଇଥିଲେ  । ବ୍ୟକ୍ତି ସ୍ୱାଧୀନତା, ମାନବିକ ଅଧିକାର ସୁରକ୍ଷା, ନିଜକୁ ନିଜଦ୍ୱାରା ଶାସନ କରିବାର ଲକ୍ଷ୍ୟ ନେଇ ଉକôଳମାଟିରେ ପ୍ରଥମ କରି ସଂଗ୍ରାମର ମଞ୍ଜି ବୁଣିଥିବା ଧରଣୀଧର ପରବର୍ତ୍ତୀ ଅବସ୍ଥାରେ ସନ୍ନ୍ୟାସ ଜୀବନ ଗ୍ରହଣ କରି କିଛି ଦିନ ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାନ କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଆଳି ଗଡ଼ଜାତରେ ଅବସ୍ଥାନ କରିବାସହ ଅତ୍ୟାଧୁନିକ ପଦ୍ଧତିରେ କୃଷି କାର୍ଯ୍ୟ ସମ୍ପାଦନ ଓ ପ୍ରାକୃତିକ ଚିକିସôା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରୁଥିଲେ  ।  ଏହି ମହାନାୟକ ୧୯୧୪ ମସିହା ମଇ ମାସ ୧୬ ତାରିଖ ଦିନ ଆଳିଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ  । ତାଙ୍କ ସ୍ମୃତିରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ଧରଣୀଧର ଭୂୟାଁ ସ୍ମୃତିଚେୟାର ପ୍ରତିଷ୍ଠା ପୂର୍ବକ ସ୍ନାତକୋତ୍ତର ଶିକ୍ଷା ଓ ଗବେଷଣା ଶିକ୍ଷା ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ  । ପରିଶେଷରେ ଆଜିର ପୁଣ୍ୟତିଥିରେ ସେହି ଦିବଂଗତ ମହାନ୍ ବିପ୍ଳବୀଙ୍କ ପ୍ରତିଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଆଗାମୀ ଯୁବପିଢ଼ି ଧରଣୀଧରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେଲେଏହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କାମନା କରୁଅଛି ।