ବଢୁଛି ଯୌନ ଅପରାଧ
ଗତ କେତେମାସ ହେଲା ଲକ୍ଷ୍ୟ କରାଯାଉଛି ଯେ ରାଜ୍ୟରେ ବିଭିନ୍ନ ପ୍ରକାରର ଯୌନ ଅପରାଧ ସମ୍ପର୍କିତ ଘଟଣା ସବୁ ବଢ଼ି ବଢ଼ି ଚାଲିଛି । ଏପରିକି ଏସବୁ ଘଟଣାକୁ ନେଇ କେତୋଟି ଆତ୍ମହତ୍ୟା ମଧ୍ୟ ଘଟିଗଲାଣି । ଆଉ କେତେକ କ୍ଷେତ୍ରରେ ଏହାକୁ ହତ୍ୟାର ରୂପ ମଧ୍ୟ ଦିଆଯାଇଛି । ତେବେ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି ଯେ ଦିନକୁ ଦିନ ଯୌନ ଜୀବନକୁ ନେଇ ବିଶୃଙ୍ଖଳା ଏବଂ ଅପରାଧ ବଢୁଛି କାହିଁକି? ପୁଣି ପ୍ରଶ୍ନ ଉଠୁଛି ଯେ ଏହାକୁ ରୋକାଯିବ କିପରି? ଏସବୁ ଚିନ୍ତା କରାଯିବା ବେଳକୁ ପ୍ରଥମ ପ୍ରସଙ୍ଗଟି ଆସୁଛି ଯେ ଏପ୍ରକାରର ପରିସ୍ଥିତି ସୃଷ୍ଟି ହେଲା କାହିଁକି? ଭାରତୀୟ ସମାଜରେ ଏକ ପତ୍ନୀପତୀ ବ୍ରତ ସର୍ବଜନଗୃହୀତ ହୋଇଥିବା ବେଳେ ଏହା କ୍ରମେ କ୍ରମେ ପରକୀୟା ପ୍ରୀତି ଓ ବହୁପତି ବା ବହୁବତ୍ନୀକ ବ୍ୟବସ୍ଥା ଆଡ଼କୁ ଗତି କରୁଛି । ବାହାରକୁ ଏକ ପତି ବା ଏକପତ୍ନୀ ସମ୍ପର୍କର ରୂପଟିଏ ଦେଖା ଯାଉଥିବା ବେଳେ ଅନ୍ତଃସ୍ରୋତରେ କିଛି ପୁରୁଷ ଏକାଧିକ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି ଏବଂ କିଛି ମହିଳା ମଧ୍ୟ ଏକାଧିକ ପୁରୁଷଙ୍କ ସହିତ ସମ୍ପର୍କ ରଖୁଛନ୍ତି । ତେବେ ଏଭଳି ଏକ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବା ପଛରେ ବର୍ତ୍ତମାନ ମନୋରଞ୍ଜନ ଜଗତକୁ ଅନେକ ଲୋକ ଦାୟୀ କରୁଛନ୍ତି । ବର୍ତ୍ତମାନ ମନୋରଞ୍ଜନ ଜଗତ କହିଲେ ଜଣେ ପୁରୁଷ ସହିତ ଏକାଧିକ ନାରୀର ସମ୍ପର୍କ ଏବଂ ଜଣେ ନାରୀର ଏକାଧିକ ପୁରୁଷଙ୍କ ସହିତ ସମ୍ପର୍କ ହିଁ ମୁଖ୍ୟ ବିଷୟବସ୍ତୁ । ଆଜି ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମନିଯୁକ୍ତି, ରୋଜଗାର, ଭୂସମ୍ପତ୍ତିର ପରିଚାଳନା, ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ, ପରିବେଶ ପ୍ରଦୂଷଣର ପ୍ରତିକାର, ବିଭିନ୍ନ ରୋଗର ନିରାକରଣ, ଅନ୍ଧବିଶ୍ୱାସ ଭଳି ଅନେକ ପ୍ରାକରର ପ୍ରସଙ୍ଗ ଥିବା ବେଳେ ଏସବୁ କୌଣସି ପ୍ରସଙ୍ଗକୁ ଗୁରୁତ୍ୱ ଦିଆନଯାଇ କେବଳ ଏକ ପରକୀୟା ପ୍ରୀତିକୁ ମୁଖ୍ୟ ଉପଜୀବ୍ୟ ଭାବରେ ସବୁତକ ମନୋରଞ୍ଜନ ଜଗତ ଗ୍ରହଣ କରି ନେଇଛି । ଏହା ଫଳରେ କିଶୋର ଏବଂ ଯୁବଗୋଷ୍ଠୀ ଏସବୁ ଦୃଶ୍ୟରେ ପ୍ରଭାବିତ ହେଉଛନ୍ତି । ସେଥିପାଇଁ ସାମାଜିକ ଭାବରେ ଯୌନ ଜୀବନରେ ବିଶୃଙ୍ଖଳା ଏସବୁକୁ ନେଇ ହତ୍ୟା, ଅପରାଧ ଆଦି ଘଟୁଛି । ଜାତୀୟ ଅପରାଧ ରେକର୍ଡ୍ ବୁ୍ୟରୋର ତଥ୍ୟରୁ ଜଣାପଡିଛି ଯେ ଗତ ୧୦ ମାସ ଭିତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଯୌନ ଶୋଷଣ, ପରକୀୟା ପ୍ରୀତି ଆଦି ଘଟଣାଗୁଡ଼ିକୁ ନେଇ ୪ ହଜାରରୁ ଅଧିକ ମାମଲା ରୁଜୁ ହେଲାଣି । ଗତ ୧୦ ମାସରେ ଯଦି ଏତିକି ମାମଲା ପୁଣି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ମାମଲା ବୃଦ୍ଧି ପାଇଛି ତାହା ହେଲେ ଆସନ୍ତା ଦିନମାନଙ୍କରେ ସମାଜର ଅବସ୍ଥା କଣ ହେବ ତାହା କଳନା କରି ହେଉନାହିଁ । ଗତ ୨ ବର୍ଷ ମଧ୍ୟରେ ୩୫୨ ଜଣ ଯୁବତୀ ସାଇବର୍ ଅପରାଧୀଙ୍କ ବ୍ଲାକ୍ମେଲ୍ର ଶିକାର ହୋଇଛନ୍ତି । ବର୍ତ୍ତମାନ ସମୟରେ ବ୍ଲାକ୍ମେଲ୍କୁ ନେଇ କେତେଯେ ଅପରାଧ ପ୍ରତିଦିନ ଘଟୁଛି ତାହାର ହିସାବ ନାହିଁ । ବିଶେଷ କରି ଯୁବତୀମାନେ ନିଜର ସମ୍ମାନ ଦୃଷ୍ଟିରୁ ସମସ୍ୟା ଚରମସୀମାରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରକାଶ କରୁନାହାନ୍ତି କିମ୍ବା ପୁଲିସ୍ ନିକଟକୁ ଯାଉନାହାନ୍ତି । ଏହି କାରଣରୁ ହତ୍ୟା, ଆତ୍ମହତ୍ୟା, ଗଣଦୁଷ୍କର୍ମ ଭଳି ଘଟଣା ସବୁ ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ଘଟୁଛି । ଏ କ୍ଷେତ୍ରରେ ଆଣ୍ଡ୍ରଏଡ୍ ମୋବାଇଲ୍ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଏକ ସହାୟକ ଉପକରଣ ଭାବରେ ରହୁଥିବା ଦେଖାଯାଉଛି । ଆଣ୍ଡ୍ରଏଡ୍ ମୋବାଇଲ୍କୁ ଯଦି ବନ୍ଦ କରି ଦିଆଯିବ ତେବେ ହୁଏତ ଏ ପ୍ରକାରର ଅପରାଧ ଶତକଡ଼ା ୯୦ ଭାଗ କମିଯିବ । ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଆଣ୍ଡ୍ରଏଡ୍ ମୋବାଇଲ୍କୁ ଅବିଚ୍ଛେଦ୍ୟ ଅଙ୍ଗ କରି ଦିଆଯିବାରୁ କିଶୋର ଗୋଷ୍ଠୀ ମଧ୍ୟରେ ଯୌନ ଅପରାଧପ୍ରବଣତା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଗଲାଣି । ତେବେ ପୁରୁଣା କଳାପଟାର ଶିକ୍ଷାଦାନ ପଦ୍ଧତିକୁ ଫେରି ଆସିଲେ ସମାଜର ସ୍ଖଳିତ ଚିତ୍ର କିଛି ପରିମାଣରେ ସୁଧୁରିଯିବ ।