ଡା.ଉମେଶ ଚନ୍ଦ୍ର ପାତ୍ର : ବିଶ୍ୱର ବିଭିନ୍ନ ଧର୍ମ ଚେତନାରେ ଭଗବାନ ଓ ଭକ୍ତ ଦୁଇଟି ସ୍ୱତନ୍ତ୍ର ସତ୍ତା ଭାବେ ପରସ୍ପରଠାରୁ ଅନତିକ୍ରମ୍ୟ ଦୂରତ୍ୱରେ ରହିଥିବା ବେଳେ ହିନ୍ଦୁ ଧର୍ମ ଭାବନାରେ ଦେବଦେବୀମାନେ ସର୍ବଦା ମାନବୀୟ ପ୍ରକୃତି ଓ ଆଚରଣ ପ୍ରଦର୍ଶନ କରି ମଣିଷର ପାଖେ ପାଖେ ରହିଛନ୍ତି । ଦେବ-ମାନବର ଏହି ସମନ୍ୱିତ ଲୀଳାଖେଳାର ମହତ୍ତମ ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ସେ ସାଧାରଣ ମଣିଷଟିଏ ପରି ଦୈନନ୍ଦିନ ଓ ଅନ୍ୟାନ୍ୟ ବିଶେଷ କର୍ମମାନ ସମ୍ପାଦନ କରିବା ସହିତ ଜନ୍ମ ଓ ମୃତ୍ୟୁ ମଧ୍ୟ ପ୍ରାପ୍ତ ହୁଅନ୍ତି । ଜନ୍ମ-ଜୀବନ-ମୃତ୍ୟୁ, ମୃତ୍ୟୁ ପରେ ପୁଣି ଜୀବନ ଓ ଜୀବନର ପୁନଶ୍ଚ ମୃତ୍ୟୁ; ସାରା ଜୀବଜଗତ ପାଇଁ ଏହା ଏକ ସ୍ୱାଭାବିକ ପ୍ରବାହ ।
ମାତ୍ର, ଜୀବ-ପରମ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଯେତେବେଳେ ମର୍ତ୍ତ୍ୟ ବୈକୁଣ୍ଠରେ ନିଜକୁ ଏହି ଜନ୍ମ ମୃତ୍ୟୁର ପ୍ରବାହରେ ଭସାଇ ଦିଅନ୍ତି; ତା'ଭକ୍ତଙ୍କ ପାଇଁ ପାଲଟିଯାଏ ଏକ ଦିବ୍ୟ ଅନୁଭବ । ମହାପ୍ରଭୁ ଏହି ଅନୁପମ ଲୀଳା ମାଧ୍ୟମରେ ସୂଚେଇ ଦିଅନ୍ତି ଯେ ଜନ୍ମ, ଜୀବନ କି ମୃତ୍ୟୁ; କୌଣସିଟି ସମ୍ପୂର୍ଣ୍ଣ ନୁହେଁ । ସମ୍ପୂର୍ଣ୍ଣର ଏହା ଗୋଟିଏ ଗୋଟିଏ ଅଂଶ କେବଳ । ତେଣୁ, ତାକୁ ଅବଲୋକନ କରୁଥିବା ଭକ୍ତଟିର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିବା ସଙ୍ଗେ ସଙ୍ଗେ ମୃତ୍ୟୁ ଭୟରୁ ମଧ୍ୟ ସେ ମୁକ୍ତି ପାଇଥାଏ । ଭାରତୀୟ ଧର୍ମ ଓ ସଂସ୍କୃତିକୁ ପ୍ରାଥମିକ ରୂପ ଦେଇଥିବା ବେଦାନ୍ତ ଦର୍ଶନ ଯେଉଁ ନିରୁପାଧି ପରଂବ୍ରହ୍ମ ସତ୍ତାର ପରିକଳ୍ପନା କରିଥିଲା ତା'ର ସାକାର ବିଗ୍ରହ ହିଁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ସ୍ୱରୂପକୁ ନିରକ୍ଷଣ କଲେ ସ୍ପଷ୍ଟ ହୁଏ ଯେ ତାହା ଅନ୍ୟ ଦେବତାଙ୍କ ପରି ନୁହେଁ; ଏକ ଭିନ୍ନ ରୂପରେ ସେ ପ୍ରମୂର୍ତ୍ତ । ବ୍ରହ୍ମଙ୍କ ଏକ ପ୍ରତୀକାତ୍ମକ ଚରିତ୍ର ହେଉଛନ୍ତି ଏ ବିଗ୍ରହ ।
ଭାରତୀୟ ଧର୍ମ ଓ ସଂସ୍କୃତିକୁ ପ୍ରାଥମିକ ରୂପ ଦେଇଥିବା ବେଦାନ୍ତ ଦର୍ଶନ ଯେଉଁ ନିରୁପାଧି ପରଂବ୍ରହ୍ମ ସତ୍ତାର ପରିକଳ୍ପନା କରିଥିଲା ତା'ର ସାକାର ବିଗ୍ରହ ହିଁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ସ୍ୱରୂପକୁ ନିରୀକ୍ଷଣ କଲେ ସ୍ପଷ୍ଟ ହୁଏ ଯେ ତାହା ଅନ୍ୟ ଦେବତାଙ୍କ ପରି ନୁହେଁ; ଏକ ଭିନ୍ନ ରୂପରେ ସେ ପ୍ରମୂର୍ତ୍ତ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ - ଶ୍ରୀଜଗନ୍ନାଥଙ୍କର ହାତ ନାହିଁ, ଅର୍ଥାତ୍ ସେ କାହାକୁ ଧରନ୍ତି ନାହିଁ । ତାଙ୍କୁ ଧରିବାକୁ ହୁଏ । ତାଙ୍କୁ ଧରିଲେ, ତାଙ୍କର ଆଦେଶ ପାଳନ କରିଚାଲିଲେ ମନୁଷ୍ୟ ତ୍ରିତାପଜ୍ୱାଳାକୁ ଏଡ଼ାଇବାକୁ ସକ୍ଷମ ହୁଏ । କୃପାମାନେ କରି ପାଇବା । ଶ୍ରୀ ଜଗନ୍ନାଥଙ୍କର ହାତ ନାହିଁ ଅର୍ଥ ଧରିବା ଓ କରିବାର ଦାୟିତ୍ୱ ଭକ୍ତ ମାନଙ୍କର, ପ୍ରଭୁଙ୍କର ନୁହେଁ । ଶ୍ରୀଜଗନ୍ନାଥ କହୁଛନ୍ତି - ମୋତେ ଧର, ଜୀବନରେ ଗ୍ରହଣ କର, ମୋର ଅନୁଶାସନ ମାନି ଚାଲ, ମୋତେ ରକ୍ଷା କର, ନ ମେ ଭକ୍ତ ପ୍ରଣଶ୍ୟତିି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମର ସ୍ୱରୂପ ସବୁ ଧର୍ମ, ସବୁ ଉପାସନା ଚିନ୍ତନ, ସବୁ ସମ୍ପ୍ରଦାୟ ଓ ସବୁ ଆଧ୍ୟାତ୍ମିକ ଚେତନା ଭିତରେ ତାଙ୍କ ଦାରୁ ଉପାସନାକୁ ସ୍ୱୀକାର କରନ୍ତି ।
ଇସ୍ଲାମ ଧର୍ମଗ୍ରନ୍ଥ କୋରାନ୍ ମତରେ ସ୍ୱର୍ଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେଉଥିବା ଏ ବିଶ୍ୱ ଏକ ବୃକ୍ଷ ଯାହାର ଅଗ୍ରଭାଗ ସ୍ୱର୍ଗ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହି ବୃକ୍ଷରେ ଆହ୍ଲା ବିରାଜମାନ କରିଥାନ୍ତି । ଖ୍ରୀଷ୍ଟିୟାନ ଧର୍ମର ଦି ବୁକ୍ ଅଫ୍ ଖ୍ରୀଷ୍ଟିୟାନିଟିରେ ଜ୍ଞାନତରୁ ବିଷୟରେ ବର୍ଣ୍ଣିତ । ସେହିପରି ବୌଦ୍ଧମାନଙ୍କ ବୋଧିଦ୍ରୁମ ଓ ଜୈନମାନଙ୍କର କଳ୍ପପାଦପ ଉପାସନାରେ ଏହି ବୃକ୍ଷ ବା ଦାରୁ ଉପାସନା ହିଁ ପରିଲକ୍ଷିତ ହୋଇଥାଏ । ତେଣୁ ବୈଦିକ ସଂସ୍କୃତିରେ ଦାରୁ ଉପାସନା ଏକ ବହୁ ପ୍ରଚଳିତ ପଦ୍ଧତି । ଶ୍ରୀପୁରୁଷୋତ୍ତମ ମହାପ୍ରଭୁ ଶ୍ରୀଜଗନ୍ନାଥ କୌଣସି ଜଣକର ନୁହଁନ୍ତି ସେ ହେଉଛନ୍ତି ଗଣର ଦେବତା । ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଭଗବାନଙ୍କର ଅମୂଲ୍ୟ ଦାନ । ତେଣୁ ଏହାର ସଦ୍ବ୍ୟବହାର କରାଯିବା ଆବଶ୍ୟକ । କେବଳ ଧନୀ ବା ବିତ୍ତଶାଳୀ ନୁହଁନ୍ତି ଜଣେ ନିର୍ଧନ ବି ନିଜ ମୁଖରେ ସନ୍ତୋଷପୂର୍ବକ ହୃଦୟ ଆନନ୍ଦକୁ ପରିପୂର୍ଣ୍ଣ କରୁଥିବା ମିଷ୍ଟବାଣୀ ଦ୍ୱାରା ଜଣକୁ ସନ୍ତୋଷ ପ୍ରଦାନ କରିପାରିବ । ପାଣି ମୁନ୍ଦାଏ ହେଉ ବା ଅସହାୟ ମୁହୂର୍ତ୍ତରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ କରୁଣାର ହାତ ବଢ଼ାଇବା ଦ୍ୱାରା ଜଣେ ଜୀବନ ରଥର ଶ୍ରେଷ୍ଠ ସାରଥୀ ଭାବେ ନିଜ ଜୀବନକୁ ଦିବ୍ୟପଥରେ ଅଗ୍ରଗାମୀ କରିପାରିବ । ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଭଗବାନଙ୍କର ଅମୂଲ୍ୟ ଦାନ । ତେଣୁ ଏହାର ସଦ୍ବ୍ୟବହାର କରାଯିବା ଆବଶ୍ୟକ ।
ମୋ: ୯୪୩୭୦୫୧୯୫୭