ଅବ୍ୟବସ୍ଥା ଘେରରେ କପିଳାସ ପୀଠ
ଢେଙ୍କାନାଳ: ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ ତଥା ଓଡିଶାର କୈଳାସ ଭାବେ ପରିଚିତ କପିଳାସ ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉପୀଠରେ ସବୁବେଳେ ନାନା ଅବ୍ୟବସ୍ଥା ଲାଗି ରହିଛି । ସେଠାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏପରିକି ରାଜ୍ୟ ବାହାରୁ ବୁଲିବାକୁ ଆସିଥାନ୍ତି । ମାତ୍ର ବିଭିନ୍ନ ସମସ୍ୟା ତଥା ଅବ୍ୟବସ୍ଥା ଯେପରି କପିଳାସର ପିଛା ଛାଡୁନି । ମୁଖ୍ୟ ମନ୍ଦିର ସମେତ ପାର୍ବତୀଙ୍କ ମନ୍ଦିର ଫାଟି ବର୍ଷାପାଣି ଗଳୁଥିବାରୁ ଜିଲ୍ଲାର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ଏ ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ତାହାର ସମାଧାନ ପାଇଁ ସତେ ଯେପରି କାହାର ଇଚ୍ଛାନାହିଁ । ସେହିପରି ପୀଠର ବିଭିନ୍ନ ସ୍ଥାନ ଅନ୍ଧାରରେ ରହୁଥିବାବେଳେ କିଛି ସ୍ଥାନରେ ଦିନେ ଲାଇଟ୍ ଜଳିଲେ ଆଉ କିଛିଦିନ ବନ୍ଦ ରହେ । ପାହାଡର ପାଦଦେଶର ରାସ୍ତା ଜବରଦଖଲ ପାଇଁ ସଂକୁଚିତ ହୋଇଥିବାବେଳେ ପ୍ରଶାସନ ଜବରଦଖଲ ମୁକ୍ତ କରିପାରୁନାହିଁ । ସେହିଭଳି ପୀଠର ବିଭିନ୍ନ ଉତ୍ସବ ସମୟରେ ପାଣି ସଂକଟ ଏକ ସାଧାରଣ କଥା ହେଲାଣି । ତେବେ ଏବେ ପୀଠରେ ଆଉ ଏକ ଗୁରୁତର ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚôଛି । ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ଜନୈକ କପିଳାସ ପୀଠରେ ଥିବା ଯାତ୍ରୀ ବିଶ୍ରାମଗାରକୁ ନିଜ ଦଖଲକୁ ନେଇ ସେଠାରେ ପ୍ରସାଦ ସେବନ ନାମରେ ଅରୁଆ ହୋଟେଲର ବ୍ୟବସାୟ ଚଲାଇଛି । ସେବାୟତମାନେ ଖଲିରେ ଅନ୍ନଖାଇ ବାହାରେ ଫିଙ୍ଗୁଛନ୍ତି ବୋଲି ପୂର୍ବରୁ ଉକ୍ତ ବ୍ୟକ୍ତି ସେବାୟତଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ମାତ୍ର ସେବାୟତମାନେ କେବେ ହେଲେ ଖଲିରେ ଖାଆନ୍ତି ନାହିଁ ଓ ସେମାନେ ସର୍ବଦା ଥାଳି ଓ ଗିନାରେ ପ୍ରସାଦ ସେବନ କରିଥାନ୍ତି ବୋଲି ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥିସହିତ ସେ ପୁଣି ଅଭିଯୋଗ କରିଛନ୍ତି ଯେ, ଉକ୍ତ ବ୍ୟକ୍ତି ବିଶ୍ରାମଗାରକୁ ଦଖଲ କରିଥିବାରୁ ପର୍ଯ୍ୟଟକମାନେ ବିଶ୍ରାମ ନେବା ପାଇଁ ହଇରାଣ ହରକତ ହେଉଛନ୍ତି । ଉକ୍ତ ବ୍ୟକ୍ତି ମନ୍ଦିର ଆଗରେ ଟେବୁଲ ପକାଇ ଛତାମାରି ଦହିବରା ବ୍ୟବସାୟ କଲା ଭଳି ମାଇକ ପ୍ରଚାର କରି ଯାତ୍ରୀମାନଙ୍କୁ ଦର୍ଶନ କରିବା ପୂର୍ବରୁ ଖାଇବା ବୁକିଂ କରିବାକୁ ବାଧ୍ୟ କରୁଛନ୍ତି । ଏଥିସକାଶେ ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି । ଏହାଦ୍ୱାରା ପୀଠର ମର୍ଯ୍ୟଦା ଓ ସଂସ୍କୃତିର ହାନି ମଧ୍ୟ ଘଟୁଛି । ତେଣୁ ଏହାର ସମାଧାନ ପାଇଁ ସେବାୟତ ମାନେ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇବା ସହିତ ୭ ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ଆସନ୍ତା ୧୬ ତାରିଖରୁ ସେବାୟତ ମାନେ ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିବେ ବୋଲି ଲିଖିତ ଭାବେ ଜଣାଇବା ସହିତ ଯଦି ଏଥିପାଇଁ କିଛି ଅପ୍ରିତିକର ପରିସ୍ଥିତି ଉପୁଜେ ତେବେ ଦେବୋତ୍ତର ପ୍ରଶାସନ ସଂପୂର୍ଣ୍ଣ ଦାୟୀ ରହିବ ବୋଲି ଜଣାଇଛନ୍ତି ।