ଲକ୍ଷାଧିକ କାଉଡିଆଙ୍କ ଜଳଲାଗି ବୋଲବମ ଡାକରେ କମ୍ପିଲା କପିଳାସ 


ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର  ପ୍ରସିଦ୍ଧ ଶୈବପୀଠ କପିଳାସର ଅଧୀଶ୍ୱର ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଠାରେ ଚଳିତ ଶ୍ରାବଣ ମାସ ଚତୁର୍ଥ ସୋମବାର ପାଳିରେ ବିଭିନ୍ନ ସ୍ଥାନରୁ ଏଠାକୁ ପ୍ରାୟ ଏକ ଲକ୍ଷ କାଉଡିଆ ଭକ୍ତ ଶ୍ରାବଣୀ ଭାର କାନ୍ଧରେ ଧରି ଆସି ପାଣି ଲଗାଇଛନ୍ତି । କଉଡ଼ିଆଙ୍କ ବୋଲବମ ଡାକରେ ସାରା କପିଳାସ ପ୍ରକମ୍ପିତ ହୋଇଥିଲା । ରବିବାର ଠାରୁ ଭକ୍ତମାନଙ୍କର ସମାଗମକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ଶାନ୍ତିଶୃଙ୍ଖଳା ସହିତ ଭକ୍ତମାନେ ସୁବିଧାରେ ପାଣି ଠାକୁରଙ୍କୁ ଲଗାଇପାରିବେ, ସେଥିପ୍ରତି ଦେବୋତ୍ତର ବିଭାଗ ଦ୍ୱାରା ନୀତି ନିର୍ଦ୍ଧାରଣ କରି ମଧ୍ୟ ରାତ୍ରିରୁ ଭକ୍ତମାନଙ୍କ ସୁବିଧା ନିମନ୍ତେ ମୁଖ୍ୟ ମନ୍ଦିର ଖୋଳାଯାଇ ପାଣି ଢାଳିବା ଆରମ୍ଭ ହୋଇଥିଲା ।  ଭକ୍ତମାନେ ସିଂହଦ୍ୱାର ଠାରୁ ଲମ୍ବା ଧାଡିରେ ରହି ଶୃଙ୍ଖଳାର ସହିତ ଠାକୁରଙ୍କ ଦର୍ଶନ କରିଥିଲେ । ସ୍ଥାନୀୟ ଅଞ୍ଚଳ ଠାରୁ ଆରମ୍ଭ କରି ପଡୋଶୀ ବ୍ଲକ ଭୁବନ, କାମାକ୍ଷାନଗର, ସଦର ଓଡାପଡା ସହିତ ବିଭିନ୍ନ ଜିଲ୍ଲା ଯାଜପୁର, କଟକ, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ ପୁରୀ ଓ ଭୁବନେଶ୍ୱରରୁ ଭକ୍ତମାନେ ଆସିଥିବାର ଦେଖିବାକୁ ମିଳିଥିଲା ।  ଅନ୍ୟପକ୍ଷରେ ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଅତିରିକ୍ତ ତହସିଲଦାର ପ୍ରକାଶ କୁମାର ନାୟକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିବାସ୍ଥଳେ ଗଁଦିଆ ଥାନ ଅଧିକାରୀ ସଲିଳ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗଁଦିଆ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।