ଅଭିଯୁକ୍ତଙ୍କ ହେବ ଡିଏନ୍ଏ ଟେଷ୍ଟ; ଫେରାର ମାଷ୍ଟର ମାଇଣ୍ଡଙ୍କୁ ପାଉନି ପୁଲିସ
ସହଦେବ ନାୟକ ହତ୍ୟାକାଣ୍ଡ ଘଟଣା:
ଭୁବନେଶ୍ୱର, ୧୪ା୧ : ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ ଉପରେ ପୁଲିସ ମିତ୍ର ସହଦେବ ନାୟକ ହତ୍ୟା ଘଟଣାରେ ସଂଗୃହିତ ରକ୍ତର ହେବ ଡିଏନଏ ଟେଷ୍ଟ । ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ଡିଏନଏ ପରୀକ୍ଷା କରାଯିବ । ନମୁନାକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି । ଘଟଣାସ୍ଥଳରୁ ମିଳିଥିବା ରକ୍ତ ଛିଟା ଓ ଅଭିଯୁକ୍ତଙ୍କ କପଡାରୁ ମିଳିଥିବା ନମୁନାକୁ ମେଳ କରାଯିବ । ଏ ନେଇ ସୂଚନା ଦେଇଛି କମିଶନରେଟ ପୁଲିସ । ଅନ୍ୟ ପଟେ ୫୫ଟି କ୍ୟାମେରା ଯାଞ୍ଚ ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡÿ । ହେଲେ ଏବେବି ଦୁଇ ଜଣ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତଙ୍କ ଟେର ପାଇପାରୁନାହିଁ ପୁଲିସ । ଫଳରେ ବିପଦରେ ଏବଂ ଭୟରେ ମୃତ ସହଦେବ ନାୟକଙ୍କ ପରିବାର । କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ସଫେଇ ସଂଘର ନେତୃତ୍ୱ ନେଉଥିବା ବେଳେ, ସେ ପୁଲିସ ମିତ୍ର ଭାବେ ପୁଲିସ ସହ ରହି ନିଶା ବେପାରୀଙ୍କୁ ଗିରଫ କରାଉଥିବାକୁ ନେଇ ତାଙ୍କୁ ନିଶା ବେପାରୀ ମାନେ ସୁପାରି ଦେଇ ହତ୍ୟା କରାଯାଇଥିଲା । ଯାହାକୁ ନେଇ ପୁଲିସ ଏହି ଘଟଣାକୁ ପର୍ଦ୍ଦାଫାସ କରି ୫ ଜଣ ଅଭିଯୁକ୍ତଙ୍କୁ ଘଟଣାର ୧୨ ଘଣ୍ଟା ଭିତରେ ଗିରଫ କରିବାରେ ସଫଳ ହୋଇଥିଲା । କିନ୍ତୁ ଏହି ଘଟଣାର ଅନ୍ୟ ମାଷ୍ଟର ମାଇଣ୍ଡ ମାନଙ୍କୁ ଗିରଫ କରାଯାଇପାରିନାହିଁ । ଯାହାକୁ ନେଇ ଚିନ୍ତାରେ କମିଶନରେଟ୍ ପୁଲିସ । ଅନ୍ୟପଟେ ବିପଦରେ ସହଦେବଙ୍କ ପରିବାର ଲୋକ ।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୮ ତାରିଖ ବୁଧବାର ସକାଳ ୮ ଟାରେ କେଦାରପଲ୍ଲୀ ଅଞ୍ଚଳର ସହଦେବ ନାୟକ ନିଜ ୯ବର୍ଷର ଝିଅକୁ ରାମ ମନ୍ଦିର ନିକଟରେ ଥିବା ଏକ ଘରୋଇ ସ୍କୁଲରେ ଛାଡ଼ି ରସୁଲଗଡ଼ ଅଭିମୁଖେ ଯାଉଥିଲେ । ଏହି ସମୟରେ ରସୁଲଗଡ଼ ରେଳୱେ ଲାଇନ ଓଭରବ୍ରିଜ ଉପରେ ୨ ଜଣ ଯୁବକ ଦୁଇଟି ବାଇକରେ ଆସି ପ୍ରଥମେ ପଛପଟରୁ ସହଦେବଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ସହଦେବ ଭାରସାମ୍ୟ ହରାଇ ତଳେ ପଡ଼ିଯିବା ପରେ ଅଭିଯୁକ୍ତମାନେ ତାଙ୍କୁ ପ୍ରଥମେ ହେଲମେଟରେ ତାଙ୍କ ମୁଣ୍ଡକୁ ନିସ୍ତୁକ ମାଡ଼ ମାରି ଚାଲିଥିଲେ । ସହଦେବ ନାୟକ ନିଜେ କିଛି ବୁଝିବା ପୂର୍ବରୁ ଦୁବୃର୍ତ୍ତମାନେ ସାଙ୍ଗରେ ଆଣିଥିବା ମାରଣାସ୍ତ୍ର ବାହାର କରି ସହଦେବଙ୍କୁ ମରଣାନ୍ତକ ଆକ୍ରମଣ କରି ଚାଲିଗଲେ । ଫଳରେ ସହଦେବଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କ ବେକକୁ କଟୁରୀରେ ଦୁବୃର୍ତ୍ତମାନେ ହାଣି ସେଠାରୁ ବାଇକରେ ପକାଇଯାଇଥିଲେ ।