ଏଥର ଖଣ୍ଡଗିରିରେ ଅଶ୍ଳୀଳ ନାଚକୁ ନା

ଯାତ୍ରା ପରିବେଷଣ କରିବେ ୧୨ ପାର୍ଟି; ୪ରୁ ଲାଗିବ ଗହଳି
 ଭୁବନେଶ୍ୱର, ୧୪ା୧ : ଏଥର ଖଣ୍ଡଗିରିରେ ଅଶ୍ଳୀଳ ନାଚକୁ ନା । ୬ଟି ପେଣ୍ଡାଲରେ ଯାତ୍ରା ପରିବେଷଣ କରିବେ ୧୨ଟି ଦାମି ପାର୍ଟି । ୪ ତାରିଖରୁ ଲାଗିବ ହଜାର ହଜାର ଲୋକଙ୍କ ଗହଳି । ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ ।ଖଣ୍ଡଗିରି ଯାତ୍ରା ମଞ୍ଚରେ ହେବନି ଆଉ ଅଶ୍ଳୀଳ ନୃତ୍ୟ । ଏଥର ୬ଟି ପେଣ୍ଡାଲରେ ଖେଳିବ ୧୨ଟି ନାମି ଦାମି ଯାତ୍ରା ପାର୍ଟି । ମଞ୍ଚରେ ନାଚିବେନି ସାହୁ ଭାଉଜ ଓ ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା । ଆଜି ପୁଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ହୋଇଛି ଏଭଳି ନିଷ୍ପତ୍ତି । ଅନ୍ୟପଟେ କୁମ୍ଭମେଳା ପାଇଁ ସଜାଗ ହେଲେଣି ଲୁଟେରା ଓ ଅସମାଜିକ ଯୁବକ । ବଢ଼ିବ ଗଣ୍ଡଗୋଳ, ଅସଦାଚରଣ, ଲୁଟ୍, ଚୋରି ଭଳି ଅପରାଧ । ପୁଲିସ ପାଇଁ ବଢ଼ିବ ଚିନ୍ତା, ଥାନାରେ ପାସ ପାଇଁ ଜମିବ ଭିଡ଼ । ଲୋକଙ୍କୁ ସୁରକ୍ଷା ବଦଳରେ ପାସ ପାଇଁ ଥାନାରେ ଲାଗିବ ଲମ୍ବା ଧାଡି । ଏନେଇ ବୁଧବାର ଦିନ ଯାତ୍ରା କମିଟି, ପୁଲିସ, ବିଏମ୍ସି ଓ ବିଡ଼ିଏର ପକ୍ଷରୁ ବୈଠକ ରଖାଯାଇଥିବା ଜଣାପଡ଼ିଛି । ଏହାସହ ଫେବୃୟାରୀ ୪ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା କୁମ୍ଭମେଳାରେ କମିଶନରେଟ୍ ପୁଲିସ ପକ୍ଷରୁ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ, ସବୁଆଡେ ସିସିଟିଭି କ୍ୟାମେରା ଲାଗିବା ସହ ଲୁଟ୍, ଚୋରି, ଛିନତାଇ ଓ ଅସଦାଚରଣ ପାଇଁ ଖଣ୍ଡଗିରିରେ ସାଧା ପୋଷାକରେ ପଇନ୍ତରା ମାରିବ ସ୍ପେଶାଲ ପୁଲିସ ଟିମ ଓ ହର ଟିମ ।
 ସୂଚନାଯୋଗ୍ୟ ଯେ, ଫେବୃୟାରୀ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ । ରଙ୍ଗୀନ ଆଲୋକ ମାଳାରେ ଝଲସିବ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ପାଦଦେଶ । ଆଉ ଫେବୃୟାରୀ ୬ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୬ଟି ପେଣ୍ଡାଲ ତଥା, ସନାତନ ସେବା ସମିତି ପେଣ୍ଟାଲରେ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ୧୨ରୁ ୧୭ କୋଣାର୍କ ଗଣନାଟ୍ୟ, ହରେକୃଷ୍ଠ ମହତାବ ପେଣ୍ଡାଲରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ପୃଥିବୀରାଜ୍ ଗଣନାଟ୍ୟ ଓ ୧୦ରୁ ୧୭ ତାରିଖ ତୁଳସୀ ଗଣନାଟ୍ୟ, ଇନ୍ଦିରା ସାଂସ୍କୃତିକ ଯୁବ ପରିସଦ ପେଣ୍ଡାଲରେ ୬ରୁ ୧୧ ଶିବାନୀ ଗଣନାଟ୍ୟ ଓ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ସିଂହବାହିନୀ ଗଣନାଟ୍ୟ, ଜୟଦୁର୍ଗା ସାଂସ୍କୃତିକ ଯୁବ ପରିସଦ ପେଣ୍ଡାଲରେ ୬ରୁ ୧୧ ପର୍ଯ୍ୟନ୍ତ ବିଶ୍ୱଦରବାର ଓ ୧୨ରୁ ୧୭ ସ୍ୱପ୍ନମହଲ, ମା ମଙ୍ଗଳା ଯୁବ ଅନୁଷ୍ଠାନ ପେଣ୍ଡାଲରେ ୬ରୁ ୧୧ ଦୁର୍ଗା ମନ୍ଦିର ଓ ୧୨ରୁ ୧୭ ସ୍ୱର୍ଣ୍ଣମହଲ ଓ ନୀଳକଣ୍ଠେଶ୍ୱର ଅନୁଷ୍ଠାନରେ ୭ରୁ ୧୧   ଏବଂ ୧୨ରୁ ୧୭ ରଙ୍ଗମହଲ ଗଣନାଟ୍ୟ । ଏହି ସମୟରେ ଖଳନାୟକଙ୍କ ଗୁରୁ ଗମ୍ଭୀର ଡାଇଲଗରେ ପ୍ରକମ୍ପିତ ହେବ ପରିବେଶ, ହେଲେ ହେବନାହିଁ କୌଣସି ଯାତ୍ରାରେ ଅଶ୍ଳୀଳ ନୃତ୍ୟ । କାରଣ ଗତ କିଛି ବର୍ଷ ହେଲା ଅଶ୍ଲୀଳ ନୃତ୍ୟକୁ ନେଇ ବଦନାମ ହୋଇଛି ଯାତ୍ରା ମହାକୁମ୍ଭ ଓ ଯାତ୍ରା କମିଟି । ସରକାରଙ୍କ ବାରମ୍ୱାର ତାଗିଦ୍ ସତ୍ୱେ ଅଶ୍ଳୀଳ ଡ୍ୟାନ୍ସ ପରିବେଷଣ ହେଉଛି । ଯାହାକୁ ନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ଏଥର କଠୋର ହୋଇଛନ୍ତି ସରକାର । ଯାତ୍ରା ମହାକୁମ୍ଭରେ ହେବନାହିଁ ଅଶ୍ଲୀଳ ନୃତ୍ୟ । ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ । ସେମାନଙ୍କୁ ଏଥର ମଞ୍ଚରେ ଡ୍ୟାନ୍ସ କରିବାକୁ ସୁଯୋଗ ଦିଆଯିବ ନାହିଁ । ଶୃଙ୍ଖଳିତ ଯାତ୍ରା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଖେଳିବେ ୧୨ଟି ଯାତ୍ରା ପାର୍ଟି । ଅନ୍ୟପଟେ ୧୪ ଦିନ କାଳ ହେବାକୁ ଯାଉଥିବା ମହାକୁମ୍ଭ ମେଳାକୁ ଦେଶ ଓ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିବ । ଏହି ସମୟରେ ଆତଙ୍କ ଖେଳାଇବେ ଲୁଟେରା, ଡକାୟତ, ଅସମାଜିକ ଯୁବକ, ମଦୁଆ ଏବଂ ବଢ଼ିବ ଅସଦାଚରଣ ।