ଜମି ରେଜିଷ୍ଟେସନ ପାଇଁ ୨୦ ହଜାର ଲାଞ୍ଚ
ଜୁନିୟର କ୍ଲକଙ୍କୁ ଧରିଲା ଭିଜିଲାନ୍ସ; ୧୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ
ଭୁବନେଶ୍ୱର,୯ା୧୨ : ଖଣ୍ଡଗିରି ମୌଜାରେ ଥିବା ଏକ ଜମି ରେଜିଷ୍ଟେସନ ପାଇଁ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଣ୍ଡଗିରି ସବରେଜିଷ୍ଟର ଅଫିସର ଜୁନିୟର କ୍ଲକ ଦେବଯାନୀ କର । ଭିଜିଲାନ୍ସ ହାତରେ ଶ୍ରୀମତୀ କର ଧରାପଡ଼ିବା ପରେ ତାଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇଛି । ଲାଞ୍ଚ ନେବା ମାମଲାର ତଦନ୍ତ ଚାଲୁଥିବା ବେଳେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ମଧ୍ୟ ରୁଜୁ କରାଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଟିମ ହାତରେ ଶ୍ରୀମତୀ କର ଧରାପଡ଼ିବା ପରେ ତାଙ୍କ ଅଫିସ ଓ ଘରକୁ ସର୍ଚ୍ଚ କରାଯାଇଥିଲା । ଯେଉଁଠାରୁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଖଣ୍ଡଗିରି ସବ ରେଜିଷ୍ଟର ଅଫିସରେ ଜୁନିୟର କ୍ଲକ ଥିବା ଦେବଯାନୀ କର ବିଜେଡିର ଜଣେ ଆଗଧାଡ଼ିର ନାରୀ ନେତ୍ରୀଙ୍କ ଭଉଣୀ ହୋଇଥିବାରୁ ଉକ୍ତ ଅଫିସରେ ସମସ୍ତଙ୍କୁ ଧମକ ଚମକ ଦେଇ ରଖିବା ସହ ସେଠାକୁ ସରକାରୀ କାମରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ପାଖରୁ ମୋଟା ଅଙ୍କର ଅର୍ଥ ନେଉଥିଲେ । ଏନେଇ ଭିଜିଲାନ୍ସ ଟିମ ପାଖରେ ପୂର୍ବରୁ ବହୁବାର ଅଭିଯୋଗ ହୋଇଛି । ସୋମବାର ଜମି ରେଜିଷ୍ଟେସନ ପାଇଁ ଜୈନିକ ଅଭିଯୋଗକାରୀ ଶ୍ରୀମତୀ କରଙ୍କ ପାଖରେ ପହଞ୍ଚିବାରୁ ସେ ଉକ୍ତ କାମ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସକୁ ଜଣାଇବା ପରେ ପୂର୍ବ ପ୍ରସ୍ତୁତି ମୁତାବକ ବିଭାଗୀୟ ଅଧିକାରୀମାନେ ଶ୍ରୀମତୀ କର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରୀମତୀ କରଙ୍କୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଅଫିସରେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି ।