ଦୁଇ ବେପାରୀ ଗିରଫ; ୮ ଲକ୍ଷର ଧଳାଜହର ଜବତ
ଭୁବନେଶ୍ୱର, ୧୪ା୧ : ବାଇକରେ ଆସି ପଟିଆ ଖେଳ ପଡ଼ିଆ ନିକଟରେ କିଛି ଅଟୋ ଚାଳକ ଓ କିଛି ଗ୍ରାହକଙ୍କୁ ବ୍ରାଉନସୁଗାର ବିକ୍ରି ବେଳେ ଖବର ପାଇ ୨ ଜଣ ବେପାରୀଙ୍କୁ ମାଡି ବସିଲା ଇନଫୋସିଟି ଥାନା ସ୍କ୍ୱାର୍ଡ । ଜଣେ ମହିଳା ବ୍ୟବସାୟୀ ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଷ ବେପାରୀ । ଏମାନଙ୍କ ଠାରୁ ୮ ଲକ୍ଷ ଟଙ୍କାର ୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଗିତାଞ୍ଜଳୀ ବାରିକ ଓ ପ୍ରଶାନ୍ତ ବାରିକ । ଏମାନେ ନନ୍ଦନକାନନ ଥାନା ଅଧିନ ରଘୁନାଥପୁର ଅଞ୍ଚଳରେ ରହି ଏହି କାରବାର ଚଳାଉଥିଲେ । ଆଜି ଦୁହିଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏକ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଆଧାରରେ ଇନଫୋସିଟି ଥାନାର ଏକ ସ୍ପେଶାଲ ଟିମ ମଙ୍ଗଳବାର ସକାଳୁ ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଖେଳ ପଡ଼ିଆ ନିକଟରେ ଅତର୍କିତ ଚଢ଼ାଉ କରି ଜଣେ ମହିଳା ଓ ଜଣେ ପୁରୁଷ ବେପାରୀଙ୍କୁ କାବୁ କରିଥିଲେ । ସେମାନଙ୍କ ତଲାସି ବେଳେ, ସେମାନଙ୍କ ଠାରୁ ୧୦ ଗୟାମ ବ୍ରାଉନସୁଗାର, ଏକ ମୋବାଇଲ ଓ ଏକ ସ୍କୁଟି ବାଇକ ଜବତ କରାଯାଇଛି ।