ଅମୃତ ଭାରତ ଯୋଜନାରେ ଓଡ଼ିଶାର ୫୯ ଷ୍ଟେସନର ପୁନର୍ବିକାଶ: ଅଶ୍ୱିନୀ
ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାର
ନୂଆଦିଲ୍ଲୀ : ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ-କେନ୍ଦୁଝର, ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବୁଢାମରା-ଚାକୁଲିଆ ରେଳ ଲାଇନ ନିର୍ମାଣ ପାଇଁ ବର୍ତ୍ତମାନ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ପ୍ରକ୍ରିୟା ଜାରି ରହିଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଆଜି ଲୋକସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜରେ ବିଶ୍ୱର ଅନ୍ୟତମ ପ୍ରାକୃତିକ ଐତିହ୍ୟ ଶିମିଳିପାଳ ଅଭୟାରଣ୍ୟ ରହିଛି ଏବଂ ଓଡିଶାର ଏହି ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏଠାରେ ରେଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ତିନୋଟି ଷ୍ଟେସନର ଉନ୍ନତିକରଣ କରାଯାଉଛି । ଉପରୋକ୍ତ ତିନୋଟି ରେଳ ଲାଇନକୁ ମଞ୍ଜୁରି ମିଳିଛି । ଦୀର୍ଘ ୫୦ରୁ ୬୦ ବର୍ଷ ଧରି ଏହି ତିନୋଟି ରେଳ ଲାଇନ ପ୍ରକଳ୍ପ କାମ ବିଳମ୍ବିତ ହୋଇ ପଡି ରହିଥିଲା ଏବଂ ବହୁଦିନରୁ ଏଥିପାଇଁ ଦାବି ହୋଇ ଆସୁଥିଲା । ବର୍ତ୍ତମାନ ଓଡିଶାରେ ଡବଲ ଇଞ୍ଜିନ ସରକାର ଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ବହୁତ ଭଲ ସହଯୋଗ ମିଳୁଛି ।
ଖୁବଶୀଘ୍ର ସମସ୍ତ ଜଙ୍ଗଲ ଅନୁମତି ଓ ଜମି ଅଧିଗ୍ରହଣ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ମଞ୍ଜୁରି ମିଳିବା ପରେ ରେଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାୟ ୭ କୋଟି ଟଙ୍କାର ନିବେଶ ସହିତ ବାରିପଦା ଷ୍ଟେସନର ପୁନର୍ବିକାଶ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ୧୨ କୋଟି ଟଙ୍କା ବ୍ୟୟରେ ବାଦାମପାହାଡ ଷ୍ଟେସନ ପୁନିର୍ବିକାଶ କାମ ଜାରି ରହିଛି । ଷ୍ଟେସନର ଅଟ୍ଟାଳିକା, ପ୍ଲାଟଫର୍ମ, ଚଳପ୍ରଚଳ ସ୍ଥାନ, ସମ୍ପ୍ରସାରିତ କ୍ଷେତ୍ରର ବିକାଶ କାମ କରାଯାଉଛି । ଏହାସହିତ ୭ କୋଟି ଟଙ୍କା ବିନିଯୋଗ କରି ରାଇରଙ୍ଗପୁର ଷ୍ଟେସନର ଅଟ୍ଟାଳିକା, ପ୍ଲାଟଫର୍ମ, ସଂଯୋଗ ରାସ୍ତା, ଆଲୋକିକରଣ କାମ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱର ସବୁଠୁ ବଡ ରେଳଷ୍ଟେସନ ପୁନର୍ବିକାଶ କାର୍ଯ୍ୟକ୍ରମ ଅମୃତ ଭାରତ ଯୋଜନା ଅଧୀନରେ ଓଡିଶାର ୫୯ଟି ଷ୍ଟେସନର ପୁନର୍ବିକାଶ କାମ ଚାଲିଥିବା କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ।