ଅଳିଆ ଆବର୍ଜନା ଭର୍ତ୍ତି ହରଚଣ୍ଡୀ ପୀଠ

 ନିଶ୍ଚିନ୍ତକୋଇଲି : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ସ୍ୱଚ୍ଛ ଭାରତ ଯୋଜନା, ସଂପୂର୍ଣ୍ଣ ବର୍ଜ୍ୟବସ୍ତୁ ମୁକ୍ତ ଭାରତ ଆଦି ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ ବରାଦରେ ପରିବେଶକୁ ସୁସ୍ଥ ରଖିବା ପାଇଁ ସଫେଇ କାର୍ଯ୍ୟକ୍ରମ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବଜାର, ମଠ ମନ୍ଦିର ପରିସରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସଫା ସୁତୁରା କରାଯିବା କଥା । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି  ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେରିଲୋ ପଞ୍ଚାୟତ ପ୍ରସିଦ୍ଧ ମା’ ହରଚଣ୍ଡୀ ପୀଠରେ । ବିଭିନ୍ନ ସମୟରେ ମନ୍ଦିର ପରିସରରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ସହ ଭୋଜିଭାତ ହୋଇଥାଏ । ହେଲେ କାର୍ଯ୍ୟକ୍ରମ ସରିଲା ପରେ ମନ୍ଦିର ପରିବେଶରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଭୋଜି ଭାତରେ ବ୍ୟବହୃତ ବହୁ ଠୋଲା, ପ୍ଲାଷ୍ଟିକ୍ ପାଣି ଗ୍ଲାସ, ଚା’ ଗ୍ଲାସ, ଅଇଁଣ୍ଠା ପତ୍ର, ଜରି, ପ୍ଲାଷ୍ଟିକ ପାଣି ବୋତଲ ଆଦି ସେହି ସ୍ଥାନରେ ଗଦା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହା ସହ ଏହି ବ୍ୟବହୃତ ସାମଗ୍ରୀମାନ ଉଡି ଚାଷ ଜମିରେ ପଡିଥିବା ବେଳେ ଚାଷ କାର୍ଯ୍ୟରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛି । ପ୍ରଶାସନ ଓ ସ୍ଥାନୀୟ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ଏ ସବୁକୁ ସଫେଇ କରିବା ପାଇଁ ସାଧାରଣରେ ଦାବି ହେଉଛି ।