୧୭ ମହିଳାଙ୍କୁ ବିବାହ କରି ଠକେଇ ଘଟଣା
ପୂର୍ବରୁ ଧରା ହୋଇଥିଲା ମୁଖ୍ୟ; ଏବେ ଧରାହେଲା ସହଯୋଗୀ
ଭୁବନେଶ୍ୱର, ୨୪ ।୧ : ସାଦି ଡଟ କମ ନାମକ ଏକ ମ୍ୟାଟ୍ରିମୋନିଆଲ ସାଇଟରେ ଏକ ଜାଲ ପ୍ରୋଫାଇଲ କରି ନିଜକୁ ଜଣେ ସିଏଚଇଆଇଟିଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ପରିଚୟ ଦେଇ ୧୭ ମହିଳାଙ୍କୁ ବିବାହ ସହ ଠକେଇ । ଏହି ଘଟଣାରେ ୨୦୨୨ ମସିହା ଜାନୁୟାରୀ ମାସରେ ମହିଳା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମୁଖ୍ୟ ଅଭିଯୁକ୍ତ ରମେଶ ଚନ୍ଦ୍ର ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଏହି ମାମଲାରେ ଅଭିଯୁକ୍ତର ପରିବାର ଓ ସମ୍ପର୍କୀୟ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । କିନ୍ତୁ ସମସ୍ତେ ଫେରାର ରହିଥିଲେ । ସେବେଠାରୁ ପୁଲିସ ଫେରାର ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତ ଗଣେଶ୍ୱର ବେଉରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୁଲିସ ।
ସୂଚନାଯୋଗ୍ୟ ଯେ, ଉପରୋକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ରମେଶ ଚନ୍ଦ୍ର ସ୍ୱାଇଁ ଓରଫ ପ୍ରକାଶ ସ୍ୱାଇଁ, ଓରଫ ରମେଶ ରଞ୍ଜନ ସ୍ୱାଇଁ, ଓରଫ ବିଜୟ ଶ୍ରୀ ରମେଶ କୁମାର ନିଜର ନାଁ ବଦଳାଇ ନିଜକୁ ଜଣେ ସିଏଚଇଆରଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ପରିଚୟ ଦେଇ ସାଦି ଡଟକମ ନାମକ ଏକ ମ୍ୟାଟ୍ରିମୋନିଆଲ ସାଇଟ୍ରେ ଏକ ଜାଲ ପ୍ରୋଫାଇଲ କରିଥିଲେ । ସେ ନିଜକୁ ଅବିବାହିତ ଥିବାର ପରିଚୟ ଦେଇ ତଥା ଛଳନା କରି ଅଭିଯୋଗକାରିଣୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଓ ୫ ଲକ୍ଷ ଟଙ୍କାର ସୁନାଗହଣା ନେଇଥିଲେ । ଏହି ବିବାହ ବ୍ୟତୀତ ଅଭିଯୁକ୍ତ ରମେଶ ଏକାଧିକ ତଥା ୧୭ ଜଣ ମହିଳାଙ୍କୁ ଜାଲରେ ଫସାଇ କୋଟି କୋଟି ଟଙ୍କା ଓ ସୁନାଗହଣା ଲୁଟ କରିଥିଲେ । ବିଭିନ୍ନ ମହିଳାଙ୍କୁ ବିବାହ କରିବାର ମୂଳ ଉଦେ୍ଦଶ୍ୟ ଥିଲା ଟଙ୍କା ଓ ସୁନାଅଳଙ୍କାର ହଡ଼ପ କରିବା । ପୁଲିସର ଅଧିକ ତଦନ୍ତ ବେଳେ, ଜଣାପଡ଼ିଥିଲା ଅଭିଯୁକ୍ତ ରମେଶ ତାଙ୍କର ସହଯୋଗୀ ଭିଣୋଇ ଗଣେଶ୍ୱର ବେଉରା, ଦ୍ୱିତୀୟ ସ୍ତ୍ରୀ କମଳା ତିର୍କି, ଭଉରୀ ରଶ୍ମୀତା ବେଉରା, ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁ ଓ ବିଶ୍ୱରଞ୍ଜନ ଦାସ ଓରଫ ମୋଟା ପପୁଙ୍କ ସହିତ ମିଳିତ ଭାବେ ଏହିସବୁ ଅପରାଧରେ ସମ୍ପୃକ୍ତ ଅଛନ୍ତି । ଉପରୋକ୍ତ ସମସ୍ତ ଅଭିଯୁକ୍ତ ମାନେ ପୀଡ଼ିତାଙ୍କୁ ପ୍ରତାରଣା କରିବା ଏବଂ ସେମାନଙ୍କୁ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ବିବାହ ନିମନ୍ତେ ପ୍ରବର୍ତ୍ତାଇବା ପାଇଁ ଷଢ଼ଯନ୍ତ୍ର କରିଥିଲେ । ଅଭିଯୁକ୍ତ ଗଣେଶ୍ୱର ଓ ଡାଇଭର ଚିତ୍ତରଞ୍ଜନ ଏହି ବିବାହର ଆୟୋଜନକରୁଥିବା ବେଳେ, ଅଭିଯୁକ୍ତ ଗଣେଶ୍ୱରର ସ୍ତ୍ରୀ ରଶ୍ମୀତା ନଣନ୍ଦ ହୋଇ ନଣନ୍ଦପୁଟୁଳି ବାବଦକୁ ଟଙ୍କା, ଦାମୀ ଶାଢ଼ୀ ଓ ଅଳଙ୍କାର ଆଦି ପୀଡ଼ିତାଙ୍କ ଠାରୁ ନେଉଥିଲେ । ଏମାନଙ୍କ ସହ ଅନ୍ୟ ଅଭିଯୁକ୍ତ ବିଶ୍ୱରଞ୍ଜନ ମଧ୍ୟ ସାଙ୍ଗରେ ରହି ସହଯୋଗ କରିଆସୁଥିଲା । ମୁଖ୍ୟ ଅଭିଯୁକ୍ତ ନାମରେ ପୂର୍ବରୁ ମହିଳା ଥାନାରେ ୩ଟି ମାମଲା ରହିଥିବାରୁ ପୁଲିସ ଅଧିକ ଖୋଳତାଡ କରି ଘଟଣାର ପର୍ଦ୍ଦା ହଟାଇଛି ।