ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ; ହତ୍ୟା ମାମଲା ରୁଜୁ

 ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ; ହତ୍ୟା ମାମଲା ରୁଜୁ
 ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ; ହତ୍ୟା ମାମଲା ରୁଜୁ

  •  ଭୁବନେଶ୍ୱର,୧୩ା୯ : ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟର ଆଉଟ୍ ହାଉସ ଘରୁ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହକୁ ଖଣ୍ଡଗିରି ପୁଲିସ ଉଦ୍ଧାର କରିଛି । ମୃତ ଯୁବତୀଙ୍କ ନାମ ଜ୍ୟୋତିରେଖା ପରିଡ଼ା (୨୮) ଓ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଦାମନଯୋଡ଼ିରେ ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଏମସିଏ ପାଠ୍ୟକ୍ରମର ପଢ଼ା ଶେଷ କରିବା ପରେ ଖଣ୍ଡଗିରି ସ୍ଥିତ ତୃଷ୍ଟି ରେସିଡେନସି ଆପାର୍ଟମେଣ୍ଟରେ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ଲିଭଇନରେ ରହୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଯୁବତୀଙ୍କ ସହ ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ଭଞ୍ଜନଗର ଅଞ୍ଚଳର ପ୍ରିୟରଞ୍ଜନ ପରିଡ଼ା । ସେ ଘଟଣା ପରଠାରୁ କେଉଁଆଡେ ଫେରାର ହୋଇଯାଇଛନ୍ତି । ଖବରପାଇ ଯୁବତୀଙ୍କ ପରିବାର ଲୋକେ ଦାମନଯୋଡ଼ିରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ସହ ତାଙ୍କ ଉପସ୍ଥିତିରେ ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଏମ୍ସ ହସ୍ପିଟାଲ ପଠାଇଛି । ଅନ୍ୟପକ୍ଷରେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ପ୍ରିୟରଞ୍ଜନ ହତ୍ୟା କରିଥିବା ନେଇ ମୃତା ଜ୍ୟୋତିଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।
    ସୂଚନା ଅନୁଯାୟୀ, ଦାମନଯୋଡ଼ିର ଜ୍ୟୋତିରେଖା ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ତୃଷ୍ଟି ଆପାର୍ଟମେଣ୍ଟରେ ନିଜ ପୁରୁଷ ବନ୍ଧୁ ପ୍ରିୟ ରଞ୍ଜନଙ୍କ ସହ ଲିଭଇନରେ ରହୁଥିଲେ । ସବୁଦିନ ଭଳି ଗୁରୁବାର ସନ୍ଧ୍ୟାରେ ମଧ୍ୟ ଜ୍ୟୋତି ଆଖପାଖ ମାର୍କେଟରେ ବୁଲୁଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଛନ୍ତି । ତେବେ ରାତି ଅଧରେ ଉଭୟଙ୍କ ମଧ୍ୟରେ ଏପରି କ’ଣ ହୋଇଥିଲା ଯେ ଜ୍ୟୋତିରେଖା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ତେବେ ପୁଲିସ କବାଟ ଭାଙ୍ଗି ସାଇଣ୍ଟିଫିକ୍ ଟିମ ଉପସ୍ଥିତିରେ ଶବ ଜବତ କରିଥିବା ବେଳେ ପ୍ରିୟରଞ୍ଜନ ଫେରାର ହୋଇଯିବା ଦ୍ୱାରା ତାଙ୍କ ସମ୍ପୃକ୍ତିକୁ ଅଧିକ ସନେ୍ଦହ ଘେରକୁ ଟାଣିଛି । ଅନ୍ୟପକ୍ଷରେ ପ୍ରିୟରଞ୍ଜନ ତାଙ୍କ ଝିଅକୁ ଗତ ରାକ୍ଷୀ ପୂର୍ଣ୍ଣୀମାରୁ ଜୋରଜବଦସ୍ତି ଘରୁ ଉଠାଇ ଆଣିଥିବା ପରିବାର ଲୋକେ କହିଛନ୍ତି । ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ତର୍ଜମା ଜାରି ରଖିଥିବା ଜୋନ ଏସିପି ତାପସ ପ୍ରଧାନ ସୂଚନା ଦେଇଛନ୍ତି ।