ଆଜି ଏସି/ଏସଟି କଲ୍ୟାଣ କମିଟି ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀ ଉଦ୍ଘାଟନ କରିବେ ଓମ ବିର୍ଲା
ଭୁବନେଶ୍ୱର : ଭୁବନେଶ୍ୱରଠାରେ ଆସନ୍ତା ୨୯ ଓ ୩୦ ତାରିଖରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଓଡିଶା ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଏହି ସମ୍ମିଳନୀକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରିବେ ବୋଲି ବାଚସ୍ପତି ସୁରମା ପାଢୀ ଆଜି ବିଧାନସଭାଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡିଶାରେ ଏହି ଧରଣର ଜାତୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି । ଏଥିରୁ ସ୍ପଷ୍ଟ ଜଣାପଡେ ଯେ ପାର୍ଲାମେଣ୍ଟ ଓଡିଶା ଭଳି ଏକ ଅନୁସୂଚିତ ଜାତି ଓ ଜନଜାତିବହୁଳ ରାଜ୍ୟକୁ ଗୁରୁତ୍ୱ ଦେଇଛନ୍ତି । ଏଥି ପାଇଁ ଲୋକସଭା ବାଚସ୍ପତି, ରାଜ୍ୟସଭା ଉପାଧ୍ୟକ୍ଷ ଏବଂ ତାଙ୍କର ସମସ୍ତ ସହଯୋଗୀଙ୍କୁ ବାଚସ୍ପତି କୃତଜ୍ଞତା ଜଣାଇ କହିଥିଲେ ଯେ ଏହି ସମ୍ମିଳନୀ ଅବସରରେ ଆଲୋଚନା ସହ ଅନ୍ୟ ସମସ୍ତ ରାଜ୍ୟକୁ ଓଡିଶାର ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟଙ୍କ ଚାଲିଚଳଣି, ପୋଷାକ ପରିଧାନ, କାର୍ଯ୍ୟକୁଶଳତା, କାରିଗରୀ ବିଦ୍ୟା, ହସ୍ତଶିଳ୍ପ ସଂପର୍କରେ ଅବଗତ କରାଇବା ପାଇଁ ଏକ ଦୁଇଦିନିଆ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଉଛି ।
ଓଡିଶାର ଐତିହ୍ୟ, ସଂସ୍କୃତି, ନୃତ୍ୟ-ସଂଗୀତ, ଚାରୁକଳା, କାରୁକଳା ସହିତ ଆଗନ୍ତୁକମାନଙ୍କୁ ପରିଚିତ କରାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅତିଥିମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଓ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡକଫର ଫଗନ ସିଂହ କୁଲସ୍ତେ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିବେ ।