ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ଚିଲିକା  ଚିଲିକା ବ୍ଳକ ଅନ୍ତର୍ଗତ ନଇରୀ ନିକଟ ଲୀଳାକ୍ଷେତ୍ର କାଙ୍କଣଶିଖରୀରେ ମହାସମାରୋହରେ ବିଶ୍ୱନିୟନ୍ତାଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଛି । ଚିଲିକାର ଅଥଳ ଜଳରାଶିରେ ସୁସଜ୍ଜିତ ନୌକା ରଥରେ ଚତୁର୍ଦ୍ଧାମୂର୍ତ୍ତି ଯାତ୍ରା କରିଥିଲେ । ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ବଡ଼ଦାଣ୍ଡ ଶରଧାବାଲିରେ ଯାଉଥିବା ବେଳେ କାଙ୍କଣଶିଖରୀରେ ତିନିଠାକୁର ନୀଳ ଜଳ ରାଶିରେ ନୌକା ରଥରେ ବିରାଜମାନ ହୋଇ ନୌବିହାର କରି ପୁଣି ପୀଠକୁ ଫେରି ଆସିଥିଲେ । ଚିଲିକା କୂଳରେ ସୁସଜ୍ଜିତ ତିନୋଟି ଡଙ୍ଗାକୁ ଯୋଡ଼ି ରଥରୂପରେ ନନ୍ଦିଘୋଷ ଡଙ୍ଗାର ପ୍ରତିଷ୍ଠା ପୂଜା ହୋଇଥିଲା । ଲୀଳାକ୍ଷେତ୍ର କାଙ୍କଣଶିଖରୀ ପୀଠର ଆବାହକ ଡ଼.ସୁଶାନ୍ତ କୁମାର ସାହୁ ଓ ପନôୀ ରୀତାରାଣୀ ସାହୁ ପୁରୋଧା ହୋଇଥିବା ବେଳେ ପୀଠର ବୟୋଜ୍ୟେଷ୍ଠ ସଭ୍ୟ ହାଡୁବନ୍ଧୁ ପଟ୍ଟନାୟକ ଛେରାପହଁରା କରିଥିଲେ । ମନ୍ଦିରର ସେବାୟତ ଓ ଭକ୍ତଙ୍କ ଗହଣରେ ଶ୍ରୀଜିଉମାନଙ୍କୁ ଘଣ୍ଟ, କାହାଳି, ମୃଦଙ୍ଗ ବାଦନ ସହ କରତାଳି, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ନନ୍ଦିଘୋଷ ନୌକା ରଥରେ ବିରାଜମାନ କରାଯାଇଥିଲା । ଚିଲିକା ଜଳରାଶିରେ ଠାକୁର ମାନଙ୍କୁ ବିଧିବଦ୍ଧ ଭାବେ ସାତ ଥର ପରିକ୍ରମା କରାଯାଇ ସ୍ୱସ୍ଥାନକୁ ନିଆଯାଇଥିଲା । ଏହି ଅବସରରେ ପୀଠ ପରିସରରେ ଭଜନ, କୀର୍ତନ ଅନୁଷ୍ଠିତ ହୋଇ ଏଜ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପରମ୍ପରା ରକ୍ଷା ପାଇଁ ପୂର୍ବରୁ ଶଗଡ଼ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଦୀର୍ଘ ବର୍ଷ ଧରି ନୌକା ରଥରେ ଚିଲିକାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।ଉକ୍ତ ପୀଠରେ ଘୋଷଯାତ୍ରା ଏକ ନିଆରା ଢଙ୍ଗରେ ପାଳିତ ହେଉଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ସମଗ୍ର ଅଞ୍ଚଳରେ ଏକ ଭାବମୟ ପରିବେଶ ଦେଖିବାକୁ ମିଳିଛି ।
ବାଲିଅନ୍ତା  ହୀରାପୁର ଗଡକଣ୍ଡୁଣିଆରେ ସୁଦର୍ଶନଙ୍କ ଦାରୁସ୍ଥଳୀରେ ଚଳିତବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି  । ସକାଳେ ମଙ୍ଗଳ ଆଳତି, ମଇଲମ୍, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଖେଚୁଡ଼ିଭୋଗ, ରଥ ପ୍ରତିଷ୍ଠା ପରେ ୯ଟା୩୦ରେ ଚତୁର୍ଦ୍ଧା ଦାରୁବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା  ।ନବକିଶୋର ନାୟକ ଛେରାପହଁରା କରବା ପରେ ରଥଟଣା ଆରମ୍ଭହୋଇଥିଲା  । କିଛି ସମୟ ପାଇଁ ରଥ ଚକାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ପରେ ରଥ ଟଣା ପୂର୍ବପରି ହୋଇଥିଲା । ହରିବୋଲ ଜୟ ଜଗନ୍ନାଥ ଧ୍ୱନୀ ପ୍ରକମ୍ପିତ ହୋଇଥିଲା । ସନ୍ଧ୍ୟାରେ ରଥଜେମା ମା’ଭଗବତୀଙ୍କ ମନ୍ଦିରରେ ପହଞ୍ଚିଥିଲା । କାର୍ଯ୍ୟକ୍ରମକୁ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ପରିଚାଳନା କମିଟି ସଦସ୍ୟ ଆୟୋଜନ କରିଥିଲେ । ପରିଚାଳନା ଟ୍ରଷ୍ଟି ଅଶୋକ ସାହୁ, ଅଧ୍ୟକ୍ଷ ରଞ୍ଜିତ ସାହୁ, କୋଷାଧ୍ୟକ୍ଷ ଚକ୍ରଧର ନାୟକ, ସରପଞ୍ଚ ରମଲତା ନାୟକ, ସମିତି ସଭ୍ୟ ରଞ୍ଜନ ମହାପାତ୍ର, ଲକ୍ଷଣ ଜେନା, ସୁବାଷ ଜେନା, ପ୍ରିୟବ୍ରତ ପାତ୍ର, ସହଦେବ ସ୍ୱାଇଁ ଓ ଦୀନବନ୍ଧୁ ଭୋଇ, ବାମଦେବ ପରିଡ଼ା ପ୍ରମୁଖ ପରିଚାଳନାରେ କରିଥିଲେ  ।
ବାଣପୁର  ବାଣପୁର ଅଞ୍ଚଳର ଦୁଇ ଆରାଧ୍ୟ୍ୟ ମହାପ୍ରଭୁ ରଙ୍କନାଥ ଦେବ ଓ ବଡ ହନ୍ତୁଆଡ଼ ସ୍ଥିତ ଚରଣ ଛକାଦେବଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ପ୍ରତୁ୍ୟଷରୁ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ରୋଷ ହୋମ କରାଯିବା ପରେ ରଥ ପ୍ରତିଷ୍ଠା ହୋଇ ଠାକୁରଙ୍କୁ ଗୋଟି ପହଣ୍ଡି କରି ତିନି ରଥରେ ରଥାରୂଢ କରା ଯାଇଥିଲା । ଶ୍ରୀ ରଂକନାଥ ଦେବଙ୍କ ରଥରେ ପାରିକୁଦ ରାଜା ଶ୍ରୀ ସନ୍ତୋଷ କୁମାର ମର୍ଦ୍ଦରାଜ ମାନସିଂହ ଛେରା ପହରା କରିବା ପରେ ବିଭିନ୍ନ ବ୍ୟବସାୟୀ ସଙ୍ଘ ଓ ମହିଳା ସଂଗଠନ ପକ୍ଷରୁ ଭୋଗ ଦିଆଯିବା ପାରେ ରଥ ଟଣା୫ତା ବେଳକୁ ହୋଇ ଥିଲା ଅନୁକୂଳ ପାଗଳ ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ରଥରେ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲେ । ମାଉସୀ ମା ମନ୍ଦିର ନିକଟରେ ତିନି ରଥ  ଅଟକି ଥିବା ବେଳେ ଶନିବାର ଦିନ ପୁଣି ରଥ ଟଣା ଯାଇଥିଲା । ଅନ୍ୟ ବର୍ଷ ପରି ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଟାଣିଥିଲେ । ଅନୁରୂପ ଭାବେ ଭାଟ ପଡା ଦଳବେହେରା ମାନବେନ୍ଦ୍ର ମହାରଥା ଚରଣ ଚକା ଦେବଙ୍କ ରଥରେ ଛେରା ପହରା କଲାପରେ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିବା ପରେ ରଥ ଟଣା ଯାଇଥିଲା । 
ବୈଶିଙ୍ଗା  ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଞ୍ଚଳରେ ଥିବା ମନ୍ଦିରରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଛି । ବୈଶିଙ୍ଗା ଉପକଣ୍ଠ ଡାହିବାଡି ହାଟ ନିକଟସ୍ଥ ମହୁରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ପଦ୍ମପୁର ଜଗନ୍ନାଥ ମନ୍ଦିରରେ ମଧ୍ୟ ଗୋଟିଏ ରଥରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ ହୋଇଥିଲେ । ପୂର୍ବାହ୍ନରେ ଗୋପାଳବଲ୍ଲଭ ଓ ସକାଳ ଧୂପରେ ଖେଚୁଡି ଭୋଗ ଲାଗି ହେବାପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଅପରାହ୍ନ ୫ ଟା ସମୟରେ ଉଭୟ ମନ୍ଦିରରେ ବିଧି ଅନୁଯାୟୀ ଛେରାପହଁରା ନୀତି ଅନୁଷ୍ଠିତ ହେବାପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇ ଶତାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇଥିଲା । ରଥ ଦ୍ୱୟ ଭକ୍ତମାନେ ଟାଣିଟାଣି ବୈଶିଙ୍ଗା ମୂଖ୍ୟ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆଣିଥିଲେ । ସେହିଭଳି ଖୁଣ୍ଟାପୁର ଗ୍ରାମରେ ମଧ୍ୟ ଉତ୍ସାହ ଉଦ୍ଦୀପନାର ସହ ଶ୍ରୀଗୁଣ୍ଡିଚା ଉତ୍ସବ ପାଳିତ ହୋଇଛି । ଅନ୍ୟପକ୍ଷରେ କଳମା ପଞ୍ଚାୟତର ବହୁ ପ୍ରାଚୀନ ଶ୍ରୀଚୈତନ୍ୟ ଦେବଙ୍କ ସ୍ମାରକୀ ବହନ କରୁଥିବା ଦେବୋତ୍ତର ବିଭାଗ ପରିଚାଳିତ କାନ୍ଥୀ ମଠରେ ମଧ୍ୟ ରଥଟଣା ଆୟୋଜିତ ହୋଇଛି ।