ଆଜି ବାରିପଦା ଯିବେ ମୋହନ ‘ଆଦିବାସୀ ଶକ୍ତି ସମାବେଶ’ରେ ଯୋଗଦେବେ


ସ୍ୱତନ୍ତ୍ର ପ୍ରତିନିଧି ପ୍ରୟାଗରାଜ କର   : ଆଜି ଦିନିକିଆ ବାରିପଦା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ପଞ୍ଚମଥର ପାଇଁ ଶ୍ରୀ ମାଝୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତରେ ଆସୁଛନ୍ତି  । ଏହି ଅବସରରେ ‘ଆଦିବାସୀ ଶକ୍ତି ସମାବେଶ’ରେ ସେ ଯୋଗଦେବେ  । ମୁଖ୍ୟମନ୍ତ୍ରୀଙ୍କ ନିରାପତ୍ତା ପାଇଁ ‘ଜେଡ୍ ପ୍ଲସ୍’ସ୍ତରର ଉଚ୍ଚ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଆଜି ଏନେଇ ଜିଲ୍ଲାପାଳ ହେମକାନ୍ତ ସୟ, ଏସପି ବରୁଣ ଗୁଣ୍ଟୁପାଲି, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ପିଏ ଆଇଟିଡିଏ ପ୍ରଣୟ ରଞ୍ଜନ ବେହେରା ପ୍ରମୁଖ ଆଜି ଜିଲ୍ଲାରେ ସମୀକ୍ଷା କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତର କାର୍ଯ୍ୟସୂଚୀ ଅନୁସାରେ ସେ ସକାଳ ୧୦ଟା ୪୫ରେ ହେଲିକପ୍ଟର ଯୋଗେ ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ  । ଏହାପରେ ସକାଳ ୧୦ଟା ୫୦ରେ ସଡକ ପଥରେ ଛଉ ପଡ଼ିଆ ଅଭିମୁଖେ ଯାତ୍ରା କରି ସକାଳ ୧୧ଟାରେ ପହଞ୍ଚିବେ  । ସେଠାରେ ‘ଆଦିବାସୀ ଶକ୍ତି ସମାବେଶ’ରେ ଯୋଗଦେବେ । ମଧ୍ୟାହ୍ନ ୧ଟାରେ ସେ ଛଉ ପଡ଼ିଆରୁ ସଡ଼କ ପଥରେ ସର୍କିଟ ହାଉସକୁ ଯାତ୍ରା କରିବେ । ୧ଟା୧୫ରେ ସେ ସେଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନକରିବା ସହ ବିଶ୍ରାମ କରିବେ । ଅପରାହ୍ନ ୩ଟା୧୫ରେ ସର୍କିଟ ହାଉସରୁ ସେ ଅସ୍ଥାୟୀ ହେଲିପ୍ୟାଡକୁ ଯାତ୍ରା କରିବେ । ଅପରାହ୍ନ ୩ଟା୩୦ରେ ପହଞ୍ଚିବା ପରେ ଅପରାହ୍ନ ୩ଟା ୩୫ରେ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ପ୍ରସ୍ଥାନ କରିବେ ।