କରୋନାର ଭ୍ରମ ସୃଷ୍ଟି କରୁଛି ଡ଼ାଇରିଆ

ଯାଜପୁରରୁ ଶରତ ପଥାଳ : ତାରିଖ୍ ପରେ ତାରିଖ୍ରେ ଯେମିତି ମାମଲାଟିଏ ଚୂଡ଼ାନ୍ତ ନିଷ୍କର୍ସରେ ପହଁଚିପାରେନା, ଠିକ୍ ସେମିତି ସମୀକ୍ଷା ପରେ ସମୀକ୍ଷା, ମହାମାରୀରେ ବ୍ରେକ୍ ଲଗାଇପାରେନା  । ସମ୍ପ୍ରତି ଡେଉଁଥିବା ଡାଇରିଆ ଓ ପ୍ରଶାସନିକସ୍ତରରେ ବାରବାର ସମୀକ୍ଷାକୁ ଅନୁଶୀଳନ କଲେ ଏମିତି ହିଁ କୁହାଯାଇପାରିବ  । ରାଜ୍ୟର ୫ ଜିଲ୍ଲାକୁ ଡାଇରିଆ ବ୍ୟାପିଛି  । ହେଲେ ସବୁଠୁ ବେଶୀ କଲବଲ ହେଉଛି ଯାଜପୁର  । ଦୂଷିତ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବାବେଳେ ହୋଟେଲ୍ ଓ ଦୋକାନଗୁଡ଼ିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି  । ଫଳରେ ଏବେ ‘ଡାଇରିଆ’ କରୋନାର ଭ୍ରମ ସୃଷ୍ଟି କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି  ।
ଆଗ ଝାଡ଼ାବାନ୍ତି, ପରେ ଡାଇରିଆ, ତା’ପରେ ହଇଜା । ୯ଦିନ ହୋଇଗଲାଣି । କିନ୍ତୁ ଝାଡ଼ାବାନ୍ତି ହେଉ କି ଡାଇରିଆ କିମ୍ବା ହଇଜାରେ ଲାଗିପାରୁନି ବ୍ରେକ୍ । ଝାଡ଼ାବାନ୍ତିରେ ଏଯାବତ୍ ୧୭ରୁ ଅଧିକ ଲୋକଙ୍କ ମୃତୁ୍ୟ ଘଟିଲାଣି  । କିନ୍ତୁ ସରକାରୀ ଭାବେ ୬ ବୋଲି କୁହାଯାଇଛି । ମୃତୁ୍ୟ ସଂଖ୍ୟାରେ ତାଳମେଳ ନରହିବା ପଛରେ କାରଣ ଯାହାଥାଉନା କାହିଁକି, ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ବିଭିନ୍ନ ଜିଲାକୁ ବ୍ୟାପିବାରେ ଲାଗିଛି  । ସରକାର ଡାଇରିଆକୁ ରୋକିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି କହୁଛନ୍ତି । ସମୀକ୍ଷା ପରେ ସମୀକ୍ଷା କରୁଛନ୍ତି, ପ୍ରତିଷେଧକ ପାଇଁ ପଦକ୍ଷେପ ନିଆଯାଉଥିବା କଥା କହୁଛନ୍ତି, କିନ୍ତୁ ଆଠଦିନ ପରେ ବି ଡ଼ାଇରିଆରେ ଲାଗିପାରୁନି ବ୍ରେକ୍ । ଓଲଟି ଶିଶୁ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହେବା ଆରମ୍ଭ ହେଲାଣି  । ଯାହା ଆଜି ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ୩ ଶିଶୁଙ୍କ କ୍ଷେତ୍ରରୁ ଜଣାପଡ଼ିଛି । କିନ୍ତୁ କାରଣକୁ ଖୋଜି ପାଇବାକୁ ସମର୍ଥ ହୋଇପାରୁନଥିବା ଯାଜପୁର ଜିଲା ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପ କରୋନାର ଭ୍ରମ ସୃଷ୍ଟି କରିଛି । କରୋନା ବ୍ୟାପକତାକୁ ରୋକିବା ଦିଗରେ କେନ୍ଦ୍ର ସରକାର ଯେଭଳି ୨୦୧୯ରେ ଗାଇଡ଼ ଲାଇନ ଜାରି କରିବା ସହ କଟକଣା ଲାଗୁ କରିଥିଲେ ଠିକ୍ ସେହିପରି ପ୍ରଶାସନ ହୋଟେଲ, ଜଳଖିଆ, ଫାଷ୍ଟଫୁଡ଼, ମାଛ ଓ ଚିକେନ ଦୋକାନକୁ ଦୁଇସପ୍ତାହ ପର୍ଯ୍ୟନ୍ତ ବନ୍ଦ କରି ଏକ ପ୍ରକାର କରୋନାର ଭ୍ରମ ସୃଷ୍ଟି କରାଇଛନ୍ତି  । ପାଣି ଠାରୁ ଖାଦ୍ୟ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ପରେ ବି ଏଯାବତ ଝାଡ଼ାବାନ୍ତିର କାରଣ ଖୋଜିବାକୁ ସମର୍ଥ ହୋଇପାରିନଥିବା ସ୍ୱାସ୍ଥ୍ୟ ବିଭାଗ କି ଜିଲା ପ୍ରଶାସନ ‘ଅନ୍ଧାରରେ ବାଡ଼ି ବୁଲେଇବା’ ପରି ଖାଦ୍ୟ-ପାନୀୟ ଉପରେ କଟକଣା ଲଗାଇ ସଂକ୍ରମଣ ଚେନରେ ବ୍ରେକ୍ ଲଗାଇବାକୁ ଚେଷ୍ଟା କରିଛି  । ଜିଲା ପ୍ରଶାସନ ଗଲାକାଲି ଠାରୁ ୨ସପ୍ତାହ ପର୍ଯ୍ୟନ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ, ଚିକେନ ଓ ମାଛ ଦୋକାନ ଉପରେ କଟକଣା ଲଗାଇଛି । ବିଭିନ୍ନ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇ ଫାଷ୍ଟଫୁଡ, ଚାଟ, ଗୁପଚୁପ, ମାଛ, ଚିକେନ ଦୋକାନ, ଆଇସକ୍ରିମ କାରଖାନା, ପାଣି ପାଉଚ ତିଆରି କାରଖାନାକୁ ବନ୍ଦ କରିଦିଆଯାଇଛି । ଫଳରେ ରାଜପଥରେ ଖୋଲିଥିବା ଢାବା ଠାରୁ ଆରମ୍ଭ କରି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଖୋଲିଥିବା ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନରେ ତାଲା ଝୁଲୁଛି  । ଏଭଳି କଟକଣା ବ୍ୟବସାୟୀଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିବା ବେଳେ ସାଧାରଣ ଜନତା କେବଳ ନୁହଁନ୍ତି, ପର୍ଯ୍ୟଟକ, ଯାତ୍ରୀ, ଶିଳ୍ପ କର୍ମଚାରୀ, ଶ୍ରମଜୀବୀଙ୍କୁ କଲବଲ ହେବାକୁ ପଡ଼ୁଛି ।  ଏହି ପ୍ରତିନିଧିଙ୍କ ସହ ଜଣେ ଶିଳ୍ପ କର୍ମଚାରୀ ଆଲୋଚନା ବେଳେ କହିଥିଲେ କି ସବୁଠି ହୋଟେଲ ବନ୍ଦ  । ଖାଇବାକୁ ବଡ଼ ହଇରାଣ ହେଉଛୁ । କର୍ମଚାରୀ ଜଣଙ୍କ କହିଥିଲେ କି ମୁଁ ଏଠାରେ ଭଡ଼ା ନେଇ ରହୁଛି । ହୋଟେଲରେ ଖାଇଥାଏ । କିନ୍ତୁ ସବୁଠି ବନ୍ଦ । କାଲି ପାଉଁରୁଟି, ବିସ୍କୁଟ ଖାଇ ଚଳାଇ ଦେଇଥିଲି, ଆଜି ବାଧ୍ୟ ହୋଇ କାରଖାନା କ୍ୟାଣ୍ଟିନରେ ଖାଇଲି । ଡ଼ିୟୁଟି ବେଳେ ସିନା ଖାଇଲି, ଏବେ ରାତିରେ କେଉଁଠି ଖାଇବି । ଏହା କେବଳ ଜଣେ ଶିଳ୍ପ କର୍ମଚାରୀଙ୍କ କଥା ନୁହେଁ, କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ପାଖାପାଖି ୫୦ହଜାର କର୍ମଚାରୀ ଏବଂ ଶ୍ରମଜୀବୀ ବ୍ୟାସନଗର ପୈାରାଞ୍ଚଳରେ ବସବାସ କରୁଛନ୍ତି । ଅଧିକାଂଶ ବ୍ୟାଚଲର ଜୀବନ କାଟୁଛନ୍ତି । ଯେଉଁମାନେକି ହୋଟେଲ, ଜଳଖିଆ ଦୋକାନ ଉପରେ ନିର୍ଭର କରିଥାନ୍ତି  । ଅଧଲକ୍ଷ ଶିଳ୍ପ କର୍ମଚାରୀଙ୍କୁ ଖାଦ୍ୟ ପରସିବାକୁ ବହୁ ସଂଖ୍ୟାର ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ଼, ଜଳଖିଆ ଦୋକାନମାନ ଖୋଲିଛି  । ହେଲେ କଟକଣା ସେମାନଙ୍କ ପାଇଁ କଷ୍ଟଦାୟକ ହୋଇପଡ଼ିଛି । ମାତ୍ର ଦିନ ଦୁଇଟାରେ ଶିଳ୍ପ କର୍ମଚାରୀ ଖାଇବା ପାଇଁ ଏଠି ସେଠି ଘୁରିବୁଲୁଛନ୍ତି । କଟକଣା ଯୋଗୁ କେବଳ ଶିଳ୍ପ କର୍ମଚାରୀ ନୁହଁନ୍ତି ମା’ ବିରଜାଙ୍କ ଦର୍ଶନ ନିମିତ ଆସୁଥିବା ପର୍ଯ୍ୟଟକ ବି ହା ହତାସ ହୋଇପଡ଼ୁଛନ୍ତି । 
ଆମ ସଦର ପ୍ରତିନିଧିଙ୍କ ସୂଚନା ମତେ ଆଜି ମଙ୍ଗଳବାର ଥିବା ବେଳେ ଜିଲା ବାହାରୁ ମା’ ବିରଜାଙ୍କ ଦର୍ଶନ ନିମନ୍ତେ ଆସିଥିବା ଶ୍ରଦ୍ଧାଳୁ ଜଳଖିଆ ଖାଇବାକୁ ଟିକେ ପାଇପାରିନଥିଲେ । ବିଭିନ୍ନ ସ୍ଥାନରେ ଖୋଜି ଖୋଜି ନିରାଶ ହୋଇ ଫେରିଥିଲେ । ଯଦି ଦେଖାଯାଏ, ଯାଜପୁର ରୋଡ଼ ରେଳଷ୍ଟେସନ ଦକ୍ଷିଣ ପୂର୍ବ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ । କେନ୍ଦୁଝର ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ ଯାଜପୁର ଜିଲାର ବିଭିନ୍ନ ପ୍ରାନ୍ତରୁ ଦୈନିକ ଶହଶହ ସଂଖ୍ୟାର ଯାତ୍ରୀ ଦୂରଦୂରାନ୍ତକୁ ଯାତ୍ରା କରିଥାନ୍ତି । ଏହା ସହ ପ୍ରତ୍ୟେକ ଦିନ ଶହଶହ ଯାତ୍ରୀ ଏଠିକା ଷ୍ଟେସନରେ ଓହ୍ଲାଇ ଘରକୁ ଯାଇଥାନ୍ତି । ହେଲେ ହୋଟେଲ, ଜଳଖିଆ ଦୋକାନ ବନ୍ଦ ଯୋଗୁ ନାନାଦି ସମସ୍ୟାର ସମ୍ମୁଖିନ ହେଉଛନ୍ତି । କେବଳ ଏହା ନୁହେଁ ଯାଜପୁର ଜିଲାର କୋଣ ଅନୁକୋଣରେ ୪୦ ହଜାରରୁ ଅଧିକ କର୍ମଚାରୀ ବିଭିନ୍ନ ଦୋକାନମାନଙ୍କରେ କାର୍ଯ୍ୟ କରୁଛନ୍ତି । ଯେଉଁ ମାନେ ମଧ୍ୟାହ୍ନ ହେଉ କି ରାତ୍ର ଭୋଜନ ପାଇଁ ହନ୍ତସନ୍ତ ହେଉଛନ୍ତି । କଟକଣାରେ କୁହାଯାଇଛି ଗରମଖାଦ୍ୟ ଖାଆନ୍ତୁ । କିନ୍ତୁ ଏହା କ’ଣ ସମସ୍ତଙ୍କ ପକ୍ଷେ ସମ୍ଭବପର କି? କେହି ଜଣେ ଘରୁ କୈାଣସି କାର୍ଯ୍ୟରେ ବାହାରି ଆସିଲା ପରେ ସଠିକ୍ ସମୟରେ ଫେରିବାର ଗ୍ୟାରେଣ୍ଟି ଥାଏକି । କ୍ଷେତ୍ରରୁ କାର୍ଯ୍ୟ ସାରିବାରେ ବିଳମ୍ବ ଘଟିଲେ ବାଟରେ ଖାଇଥାଏ, ହେଲେ କଟକଣା କାରଣରୁ ପେଟ ଭୋକ ପେଟରେ ମାରି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି ।  
କଟକଣା ଯୋଗୁ ଦୋକାନ ବଜାର ଖାଁ ଖାଁ ଲାଗୁଛି । ଯାହା କରୋନାର ଭ୍ରମ ସୃଷ୍ଟି କରୁଛି । ଯଦିି କଟକଣା ଲଗାଇବାର ଥିଲା, ତେବେ ପ୍ରଥମରୁ କାହିଁକି କରାଗଲାନି ? କାହିଁକି କେନ୍ଦ୍ରୀୟ ଟିମ ଠାରୁ ଆରମ୍ଭ କରି ରାଜ୍ୟ ଟିମ ସମୀକ୍ଷା ପରେ ସମୀକ୍ଷା କରି ଫେରୁଛନ୍ତି । ସମୀକ୍ଷା କରାଯାଏ ନିର୍ଯ୍ୟାସ ବାହାର କରିବାକୁ, କିନ୍ତୁ ଏଠି ଅନୁଷ୍ଠିତ ସମୀକ୍ଷା କେବଳ ସଚେତନତା ବାର୍ତ୍ତାରେ ସୀମିତ ରହିଯାଇଛି । ଝାଡ଼ାବାନ୍ତି ଆରମ୍ଭ ପରେ ଚଳିତ ମାସ ୧୧ତାରିଖରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ପଦାର୍ଥକୁ ନେଇ ପରାମର୍ଶ ଜାରି କରାଯାଇଥିଲା । ହେଲେ ଯେଉଁ ପରାମର୍ଶ ବିଭାଗ ପକ୍ଷରୁ ଜାରି କରାଗଲା, ସେସବୁ କ୍ଷେତ୍ରରେ ପଦକ୍ଷେପ ନିଆଗଲାନି । ଝାଡ଼ାବାନ୍ତି ବ୍ୟାପୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଜିଲାଗସ୍ତ ବେଳେ କାରଣ କ’ଣ ତାହା ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି କହି ସଚେତନ ରହିବାର ପରାମର୍ଶ ଦେଇଥିଲେ । ପରଦିନ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଯାଜପୁର ଗସ୍ତରେ ଆସିଲେ । ରୋଗୀଙ୍କ ଚିକିସôା ସଂପର୍କରେ ସମୀକ୍ଷା କଲେ । କିନ୍ତୁ କେଉଁ କାରଣରୁ ରୋଗ ବ୍ୟାପୁଛି, ତାହା ସଠିକ୍ ଭାବେ ପ୍ରକାଶ କରିପାରିଲେନି । ପରାମର୍ଶ ଭିତିରେ ଗାଇଡ଼ଲାଇନ ମାନି ଚଳିବାକୁ କହିବା ସହ ରାଜ୍ୟ ସରକାର ସମସ୍ତ ପ୍ରକାର ବନେ୍ଦାବସ୍ତ କରୁଥିବା ଏବଂ ଜିଲାକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ । ଉକ୍ତଦିନ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଶାସନ ସଚିବ ଗସ୍ତରେ ଡାଇରିଆ ପ୍ରବଣ ଅଞ୍ଚଳ ପରିଦର୍ଶନ କରିଥିଲେ । ସଚିବଙ୍କ ଗସ୍ତ ଗୋଟିଏ କଥା ସ୍ପଷ୍ଟ କରୁଥିଲା କି ପାନୀୟ ଜଳଯୋଗାଣରୁ ରୋଗ୍ୟ ବ୍ୟାପକ ହୋଇଛି । ହେଲେ ବିଭାଗ ହେଉ କି ଜିଲା ପ୍ରଶାସନ ଶହେ ପ୍ରତିଶତ ପାଣିରୁ ରୋଗ ବ୍ୟାପିଛି ବୋଲି କହିପାରୁ ନାହାନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦଶିକା ହୁଅନ୍ତୁ କି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଗସ୍ତ କେବଳ ଅନୁଧ୍ୟାନ ଏବଂ ସମୀକ୍ଷାରେ ସୀମିତ ହୋଇରହିଯାଇଛି । ନାଁ କାରଣ ଖୋଜିବାରେ କେହି ସମର୍ଥ ହୋଇପାରିଛନ୍ତି ନାଁ କେଉଁ ଉସôରୁ ଉତ୍ପତି ହୋଇଛି, ତାହା ସ୍ପଷ୍ଟ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସମୀକ୍ଷା ପରେ ସମୀକ୍ଷାରେ ଘରେ ଘରେ ହାଲୋଜିନ ବଟିକା ଏବଂ ଆକ୍ରାନ୍ତଙ୍କ ପରିବାରରେ ଡ଼କସିସାଇକ୍ଲିନ ବଟିକା ପହଁଚାଇବାକୁ ଗୁରୁତ୍ୱାରୋପ କରାଯାଇଥିଲେ ହେଁ ଏହା କିନ୍ତୁ କେବଳ ପ୍ରଚାର ସର୍ବସ୍ୱ ହୋଇପଡ଼ିଛି  । ନାଁ ହାଲୋଜିନ ବଟିକା ବଣ୍ଟନ କରାଯାଉଛି ନାଁ ଡ଼କସିସାଇକ୍ଲିନ ବଟିକା । ଅନ୍ଧାରରେ ବାଡ଼ି ବୁଲେଇବା ପରି କଟକଣା ଲାଗୁକରି କରୋନାର ଭ୍ରମ ସୃଷ୍ଟି କରି ଦେଲେ କ’ଣ ଡ଼ାଇରିଆରେ ବ୍ରେକ ଲାଗିଯାଇପାରିବି କି? ଏହି ପ୍ରଶ୍ନ ଆମର ନୁହେଁ, ସାଧାରଣ ଲୋକ ହିଁ ପଚାରୁଛନ୍ତି  ।
ସୂଚନାଯୋଗ୍ୟଯେ, ଆଜି ମୁଖ୍ୟ ଶାସନ ସଚିବ ମଧ୍ୟ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି  । ଆଜି ଦିନକରେ ୫ ଜିଲ୍ଲାରେ ୪୨୯ ରୋଗୀ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ  । ସେମାନଙ୍କ ମଧ୍ୟରୁ ୨୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  । ସମ୍ପ୍ରତି ସାରା ରାଜ୍ୟରେ ୩୭୦ ଜଣ ଚିକିତ୍ସାଧିନ ଅଛନ୍ତି  । ସେହିପରି କେବଳ ଯାଜପୁରରେ ହିଁ ୨୧୦ ଚିକିତ୍ସାଧୀନ ଅଛନ୍ତି  । ଜିଲ୍ଲାରେ ୪୦ ଲକ୍ଷ ହାଲୋଜେନ ବଟିକ ଏବଂ ୬ ଲକ୍ଷ ଓଆରଏସ ପ୍ୟାକେଟ୍ ବଣ୍ଟନ କରାଯାଇଛି  । ଏହାଛଡ଼ା ୪୦୦ ପ୍ୟାକେଟ୍ ବ୍ଳିଚିଂ ପାଉଡ଼ର, ୩ ଲକ୍ଷ ୪୦ ହଜାର ସଂକ୍ରାମକ ରୋଗ ନିରୋଧକ ଔଷଧ ଡକ୍ସିସାଇକ୍ଳିନ୍ ବଣ୍ଟନ କରାଯାଇଛି  ।