ତଥାପିବି ପାଣ୍ଡିଆନ୍ ଭୟ, ନବୀନଙ୍କୁ ଦୋଷ ଲଦୁଛନ୍ତି... ହେଲେ ତାଙ୍କ ବେଳକୁ ପାଟି ଖନିମାରୁଛି
VK pandian Naveen Pattanaik
ଭୁବନେଶ୍ୱର : ଏତେ ଅବସ୍ଥା ହେବା ପରେ ବିଜେଡ଼ି ନେତା ସୁଧୁରୁନାହାନ୍ତି । ଏବେବି ଭିକେ ପାଣ୍ଡିଆନଙ୍କ ନାଁ ଶୁଣିଲେ ନେତାଙ୍କର ଗମଗମ ଝାଳ ବାହାରି ଯାଉଛି । ପରୋକ୍ଷରେ ପରାଜୟ ପାଇଁ ସେମାନେ ନବୀନ ପଟ୍ଟନାୟକଙ୍କ ଉପରେ ପଛେ ଦୋଷ ଲଦୁଛନ୍ତି, କିନ୍ତୁ ପାଣ୍ଡିଆନଙ୍କ କଥା ପଡ଼ିଲେ ପାଟି ଖନି ମାରିଯାଉଛି । କାହିଁକିନା ରାଜନୀତିରୁ ସନ୍ନ୍ୟାସ ନେବାପରେ ମଧ୍ୟ ପାଣ୍ଡିଆନ୍ ଏବେ ବିଜେଡ଼ିର ଅସଲ ମୁରବି ସାଜିଛନ୍ତି ।
ପାଣ୍ଡିଆନଙ୍କ ପ୍ରତି କିଭଳି ନେତାଙ୍କର ଡର ଅଛି, ତାହାର ଏକ ଛୋଟ ଉଦାହରଣ ଆମେ ଦେଉଛୁ । ନିକଟରେ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର କହିଲେଯେ, ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ପୂର୍ବଭଳି ନବାହାରିବା କାରଣରୁ ପରାଜୟ ଘଟିଲା । ଦଳର ଯେଉଁ ସ୍ଥାନରେ ଭୋଟ ଅଛି, ସେଠାରେ ନବୀନ ବୁଲିଲେନି । ନବୀନ ସମୟ ଦେଇନପାରିବାରୁ ସଂଗଠନ କ୍ଷତିଗ୍ରସ୍ତ ହେଲା । ସେ ଆଉ ଥରେ ବୁଲି ଆସିଲେ ସଂଗଠନ ଫେରି ଆସିବ ।
ସେହିପରି ବରିଷ୍ଠ ନେତା ପ୍ରଦୀପ ମାଝୀ କହିଛନ୍ତିଯେ, ବିଜେଡ଼ି ଓ ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳୀୟ ଅନ୍ତଃକନ୍ଦଳ ଓ ଖରାପ ନିର୍ବାଚନ ପରିଚାଳନା ପାଇଁ ଦଳ ହାରିଲା । ଏହି ଦୁଇ ନେତା ଭଲ ଭାବେ ଜାଣିଛନ୍ତି, ଦଳର ବିପର୍ଯ୍ୟୟ ପାଇଁ କେଉଁ ପ୍ରସଙ୍ଗଟି ବେଶୀ ଦାୟୀ । ଯେତେବେଳେ ପାଣ୍ଡିଆନ୍ ସାରା ଓଡ଼ିଶା ବୁଲିଲେ ସେତେବେଳେ କନିଷ୍ଠରୁ ନେଇ ବରିଷ୍ଠ ନେତାମାନେ ଟେଣ୍ଟ ବାନ୍ଧିବାରୁ ନେଇ ଚଉକି ପକାଇବା ପର୍ଯ୍ୟନ୍ତ କାମ କଲେ । ନବୀନଙ୍କ କଟଆଉଟ୍ ସହ ପାଣ୍ଡିଆନ୍ଙ୍କ କଟଆଉଟ ବି ପ୍ରତିଯୋଗିତା କରୁଥିଲା । ବିଜେଡ଼ି ନେତାମାନେ ନବୀନଙ୍କ ପ୍ରଶସ୍ତି କମ୍, ପାଣ୍ଡିଆନଙ୍କ ପ୍ରଶସ୍ତି ଅଧିକ ଗାନ କରୁଥିଲେ । ସେତେବେଳେ କ’ଣ ଏହି ବରିଷ୍ଠ ନେତାମାନେ ଜାଣିନଥିଲେ କି ? ପାଣ୍ଡିଆନ ଘନଘନ ଗସ୍ତ କରି ନବୀନଙ୍କୁ ବୁଝାଇଦେଲେଯେ, ଆପଣ ଯିବାର ଆବଶ୍ୟକତା ନାହିଁ । ମୁଁ ଏକା କାଫି । ଖାଲି ଯେଉଁଠି ସମସ୍ୟା ରହିଛି ସେଠାକୁ ଆପଣ ଯିବେ । ପ୍ରାୟୋଜିତ ଭିଡ଼ିଓ ଓ ଫଟୋ ଦେଖି ନବୀନ ବି ଓଭର କନଫିଡେନ୍ସ ହୋଇ ବସିପଡ଼ିଲେ । ହଁ, ଦଳର ମୁରବୀ ହିସାବରେ ତାଙ୍କୁ ଦାୟୀ କରାଯିବା ଭୁଲ୍ ନୁହେଁ । କିନ୍ତୁ ତାଙ୍କୁ ଭୁଲ ବାଟରେ ନେଇଥିବା ବ୍ୟକ୍ତି ଜଣଙ୍କ ପାଇଁ କିନ୍ତୁ କାହାର ମୁହଁ ଖୋଲୁନାହିଁ । ନବୀନ ବି ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାରେ କାର୍ପଣ୍ୟ ପ୍ରକାଶ କଲେନାହିଁ ।
ସେହିପରି ବିଜେଡ଼ି ଓ ବିଜେପି ମେଣ୍ଟ ଚର୍ଚ୍ଚାର ମୁଖ୍ୟ ଉଦ୍ୟୋକ୍ତା ହେଉଛନ୍ତି ଭିକେ ପାଣ୍ଡିଆନ୍ । ସେତେବେଳେ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ନେଇ ଅନେକ ବରିଷ୍ଠ ନେତାମାନେ ମେଣ୍ଟ ସପକ୍ଷରେ ନଥିଲେ । ତେବେ ପାଣ୍ଡିଆନ୍ ଜାତୀୟ ଗଣମାଧ୍ୟମରେ କହିଥିଲେଯେ, ଦୁଇ ଷ୍ଟେଟସମ୍ୟାନ୍, ଅର୍ଥାତ୍ ମୋଦି ଓ ନବୀନ ମେଣ୍ଟ କରିବାକୁ ଚାହୁଁଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନ ଓ ପରବର୍ତ୍ତୀ ପୌର ନିର୍ବାଚନରେ ଦଳ ବିରାଟ ସଫଳତା ହାସଲ କରିଥିଲେ ମଧ୍ୟ ନବୀନ ମେଣ୍ଟ କରିବାକୁ କାହିଁକି ଆଗ୍ରହୀ ହେଲେ ? ଏହାଦ୍ୱାରା ବିଜେଡ଼ିର କ’ଣ ଲାଭ ହୋଇଥା’ନ୍ତା । ବରଂ ଦଳର ଅନେକ ନେତା ଟିକେଟ ନପାଇ କଂଗ୍ରେସକୁ ଯାଇଥା’ନ୍ତେ, ନଚେତ୍ ବିଦ୍ରୋହୀ ହୋଇ ବିଜେଡ଼ିର କ୍ଷତି ଘଟାଇଥା’ନ୍ତେ । ଚବିଶ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ କ’ଣ ଏହା ଢୁକିନଥିବ କି ? ଯଦି ନବୀନ ସବୁ ଜାଣିଶୁଣି ଏଭଳି ନିଷ୍ପତ୍ତି ନେଇଥିବେ, ତାହାର ଅର୍ଥ ହେଉଛି ଯେମିତି ହେଲେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ରେକଡର଼୍ କରିଥା’ନ୍ତେ । ଦଳ ପଛେ କ୍ଷତିଗ୍ରସ୍ତ ହେଉ, ଚଉକି ଓ କ୍ଷମତା ଥାଉ ବୋଲି ନବୀନ ଚାହୁଁଥିଲେ ବୋଲି କହିଲେ ଭୁଲ୍ ହେବ କି ?