ଆଧାରକାର୍ଡ ନ ଥିବାରୁ ନାମଲେଖାରୁ ବଞ୍ଚତ ଛାତ୍ର
ଦେବଗଡ: ମୁଁ ପଢିବାକୁ କହିଲି କିନ୍ତୁ ଆଜ୍ଞା କହିଲେ ତୋର ନାମଲେଖା ହେଇପାରିବ ନାହିଁ । ତୋତେ ପାଠ ଜଣା ନାହିଁ ତୁ ଏଠି ପାଠ ପଢିପାରୁବି ନାହିଁ । ଏମିତି କିଛି କହିଛନ୍ତି ଟିଙ୍କବୀର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ମିଇ)ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୀବ ପ୍ରଧାନ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଚାନ୍ଦପସି ଗାଁର ଲିପା ମୁଣ୍ଡାଙ୍କ ପୁଅ ସାନିକା ମୁଣ୍ଡା ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ପାଇଁ ତାଙ୍କ ବାପାଙ୍କ ସହ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ପ୍ରଧାନ ସାନିକାକୁ କିଛି ପ୍ରଶ୍ନ କରିଥିଲେ । କିନ୍ତୁ ପିଲାଟି ଭୁଲ ଉତ୍ତର ଦେଲା । ଆଧାର କାର୍ଡ ମଧ୍ୟ ମାଗିଥିଲେ । ନିୟମ ନଜାଣି ଥିବାରୁ ମୁଁ ନେଇ ନଥିଲି । ଏଥିରେ ପ୍ରଧାନ ଶିକ୍ଷକ ଜଣଙ୍କ ଉତକ୍ଷିପ୍ତ ହୋଇ ଏଠାରେ ତୁମ ନାମ ଲେଖା ଯାଇପାରିବ ନାହିଁ ବୋଲି କହିଥିବା ପିଲାଟିର ବାପା ଲିପା ମୁଣ୍ଡା ପ୍ରକାଶ କରିଛନ୍ତି । ଏନେଇ ମୁଣ୍ଡା କହିଛନ୍ତି, ଆମେ ଗରିବ ଆଦିବାସୀ ଲୋକ ବୋଲି ପିଲାର ପାଠ ପଢା ପାଇଁ ସରକାରୀ ସ୍କୁଲ ଉପରେ ନିର୍ଭର କରୁଛୁ । ବେସରକାରୀ ସ୍କୁଲରେ ଏଭଳି ପ୍ରଶ୍ନ କରାଯାଇ ନାମ ଲେଖା ହୁଏ କିନ୍ତୁ ଏହି ନିୟମ କେବେ ଠୁ ସରକାରୀ ସ୍କୁଲରେ ଲାଗୁ ହୋଇଛି ଆମେ ଜାଣିନାହୁଁ । ପିଲାଟିକୁ ଅଧିକା ପାଠ ପଢେଇବା ପାଇଁ ଆମେ ଚାହୁଁଚୁ । କିନ୍ତୁ ଏପରି ହେଲେ ଆମେ କଣ କରିବୁ ବୋଲି ପ୍ରଶ୍ନ କରିଛନ୍ତି ।
ସରକାରୀ ନିୟମ ଅନୁଯାୟୀ କେହି ପାଠ ପଢାରୁ ବଞ୍ଚିତ ହେବେ ନାହିଁ । ଗୋଟିଏ ନାରା ରହିଛି ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ । କିନ୍ତୁ ଏଠାରେ ଏହି ନିୟମର ଖୁଲମ ଖୁଲା ଉଲଘଂନ ହେଉଥିବା ଦେଖାଯାଇଛି । ଏପରି କରିବା ସମ୍ପୂର୍ଣ୍ଣ ଭାବରେ ଭୁଲ । ଯିଏ ଯେଉଁ ପରିସ୍ଥିତିରେ ରହୁ କି ନାହିଁ ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ରହିଛି । ତେଣୁ ଏହି ଘଟଣାର ବିହୀତ କାର୍ଯ୍ୟନୁଷ୍ଠାନ ନେବା ନିତାନ୍ତ ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏନେଇ ଉକ୍ତ ପ୍ରଧାନ ଶିକ୍ଷକଙ୍କର କୌଣସି ମତାମତ ମିଳିପାରିନାହିଁ । ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର କହିଛନ୍ତି ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ । ଯଦି ଏପରି କିଛି ହୋଇଛି ତେବେ ସେ ପିଲାଟିର ନିଶ୍ଚିନ୍ତ ନାମଲେଖା ଯିବ ଏବଂ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।