ଶୋଚନୀୟ ପୂର୍ତ୍ତ ବିଭାଗ: ରାସ୍ତା ସରୁନି ପ୍ରଶସ୍ତିକରଣ କି ହେଉନି ମରାମତି

ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ : 

ଯାତାୟାତ ପାଇଁ ବିପଦ ସାଜିଛି କାଲଟାକ୍ସ-କୋରିଆଁ ପୂର୍ତ୍ତ ରାସ୍ତା । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ରହିଥିବାରୁ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ବେଳେ ବାଇକ୍ ଆରୋହୀମାନେ ଖାଲଖମାରେ ପଡି ଆହତ ମଧ୍ୟ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ଆସିଥାଏ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ଜନପ୍ରତିନିଧିମାନେ ଏହି ରାସ୍ତା ଦେଇ ଯାଉଥିଲେ ମଧ୍ୟ ସତେ ଯେପରି କାହାର ଏଥିପ୍ରତି ନଜର ପଡ଼ନି । ଦୀର୍ଘଦିନ ଧରି ଏହି ରାସ୍ତାର ପ୍ରଶସ୍ତିକରଣ ଚାଲୁଥିଲେ ମଧ୍ୟ ରାସ୍ତା ନିର୍ମାଣ ସରୁନାହଁ କି ମରାମତି ମଧ୍ୟ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ହେଉଛି । 
ଢେଙ୍କାନାଳ ସହରର ଷ୍ଟେସନ ଛକରୁ କାମାକ୍ଷାନଗର ଛକ ପର୍ଯ୍ୟନ୍ତ ରାସ୍ତା ଏକପ୍ରକାର ଶୋଚନୀୟ ହୋଇପଡିଛି । ଫଳରେ ଯାତାୟତରେ ଘୋର ଅସୁବିଧା ହେଉଛି । ଯାତାୟାତ କରୁଥିବା ଗାଡ଼ି ମଟର ସମେତ ଯାତ୍ରୀମାନେ ହୀନସ୍ଥା ହେଉଥିବା ଦେଖାଯାଇଛି । ରାସ୍ତାସାରା ବିଭିନ୍ନ ଜାଗାରେ ଖାଲଖମା ଓ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ଯାତ୍ରୀଙ୍କ ପାଇଁ ଏହା ପ୍ରତି ମୂହୁର୍ତ୍ତ ବିପଦ ସୃଷ୍ଟି କରୁଛି । ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ କାମ ସରିବାର ନାଁ ଧରୁ ନଥିବା ବେଳେ ତା ପାର୍ଶ୍ୱରେ ଯାଇଥିବା ଏହି ରାସ୍ତାଟି ଢେଙ୍କାନାଳ ସହରରୁ କାମାକ୍ଷାନଗର ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଡାହାଣକୁ କାମାକ୍ଷାନଗର ରାସ୍ତା ସହ ମିଶିଥିବା ବେଳେ ସିଧା ଆଗକୁ ଗୁଣ୍ଡିଚାପଡା ଆଡକୁ ଯାଇଛି । ରାଜପଥ ଓସାର ହେବା ଯୋଗୁଁ ଏହି ରାସ୍ତା କାମ ମଧ୍ୟ ଉନ୍ନତିକରଣ କରାଯିବା ସହ ଏହା ସହର ମଧ୍ୟ ଦେଇ ଯାଇଥିବା ପୂର୍ତ୍ତ ରାସ୍ତା ସହ ସଂଯୋଗ କରୁଛି । ମାତ୍ର ରାଜପଥ କାମ ସରିନଥିବାରୁ ପ୍ରାୟ ସମସ୍ତ ଗାଡ଼ି ମୋଟର ଏହି ରାସ୍ତା ଦେଇ ଯିବା ଆସିବା କରିବା ଦ୍ୱାରା ଅଧିକାଂଶ ସମୟ ରାସ୍ତା ଜାମ ରହୁଛି ଏବଂ ଅହରହ ବିଭିନ୍ନ ଭାରିଯାନ ଗାଡି ଯିବାଆସିବା ଯୋଗୁଁ ରାସ୍ତା ଭାଙ୍ଗିରୁଜି ଖାଲଖମଣ ଭର୍ତ୍ତି ହୋଇ ରହିଛି । ସେଥିପ୍ରତି ଏନ୍ଏଚ ଏଆଇ କର୍ତ୍ତୃପକ୍ଷ ଅବା ପୂର୍ତ୍ତ ବିଭାଗ କି ଜିଲ୍ଲା ପ୍ରଶାସନ କାହାର ବି ଦୃଷ୍ଟି ପଡୁନି । ଅନ୍ୟକିଛି ବିକଳ୍ପ ନ ଥିବା ବେଳେ ବାଧ୍ୟ ହୋଇ ସେହି ବାଟ ଦେଇ ବିଭିନ୍ନ ଯାତ୍ରୀ ତଥା ସାଧାରଣ ଗାଡିମୋଟର ଗୁଡିକ ଅହରହ ଯିବା ଆସିବା କରୁଛନ୍ତି । ଫଳରେ ସାଧାରଣ ଯାତ୍ରୀ ହୀନସ୍ତା ହେବା ସହ ସମୟ ସମୟରେ କାମାକ୍ଷାନଗର ଛକରୁ କୋରିଆଁ ବାଇପାସ ଛକ ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଉଛି । ସନ୍ଧ୍ୟା ପରେ ସମସ୍ୟା ଅଧିକ ବଢୁଥିବା ବେଳେ ବର୍ଷା ସମୟରେ ସ୍ଥିତି ଆହୁରି ବିଗିଡି ଯାଉଛି । ବିଶେଷ କରି ରାସ୍ତାଟିର କାଲଟାକ୍ସ ଷ୍ଟେସନ ବଜାର ଅଞ୍ଚଳରୁ କାମାକ୍ଷାନଗର ଛକ ପର୍ଯ୍ୟନ୍ତ ପ୍ରାୟ ରାସ୍ତା ସାରା ଖଣ୍ଡିଆ ଖାବରା ଖାଲଖମଣ ଆଦି ରହିବା ସହ ଠାଏଁ ଠାଏଁ ଗର୍ତ୍ତ ସୃଷ୍ଟି ହୋଇ ଯାତ୍ରୀଙ୍କୁ ନାକେଦମ କରୁଛି । ଫଳରେ ବାରମ୍ବାର ଟ୍ରାଫିକ୍ ସମସ୍ୟା ସହ କ୍ରମଶଃ ରାସ୍ତା ଦୁର୍ଘଟଣା ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସମସ୍ୟାର ଆଶୁ ସମାଧାନ ପାଇଁ ସାଧାରଣରେ ଦାବି କରାଯାଉଛି ।