ରାଜଧାନୀରେ ବଢ଼ି ଚାଲିଛି ଅପରାଧୀଙ୍କ ରାଜୁତି


ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ; ଗୁରୁତର ଅବସ୍ତାରେ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର, ୧୨ା୧୧ : ଦିନକୁ ଦିନ ରାଜଧାନୀରେ ବେଫିକର ଅପରାଧୀ । କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଚ୍ ଦେଇ ଘଟାଉଛନ୍ତି ଅପରାଧ । ସେହିଭଳି ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଓ ଜନଗହଳିରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଛୁରୀ ଓ ସର୍ଜିକାଲ ବ୍ଲେଡ଼ରେ ହାଣି ଖଣ୍ଡିଆ ଖାବରା କରିଦେଲେ । ଆହତ ଯୁବକ ଜଣଙ୍କ ହେଉଛନ୍ତି ବଡଗଡ଼ ଗାଁର ଦୀପକ ପ୍ରଧାନ । ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।
 ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅଭିଯୋଗକାରୀ ଦୀପକ ନିଜ ଘରକୁ ବାଇକ୍ ଯୋଗେ ଫେରୁଥିଲେ । ଏହି ସମୟରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ତାଙ୍କ ବାଇକକୁ ଗୋଇଠା ମାରିଥିଲେ । ଫଳରେ ଭାରସାମ୍ୟ ହରାଇ ଦିପକ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ଛୁରୀ ଓ ସର୍ଜିକାଲ ବ୍ଲେଡ଼ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ । ଦିପକ ଜୀବନ ବିକଳେ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଛାଡି ନଥିଲେ । ରାଜଧାନୀ ରାଜରାସ୍ତାରେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଦିପକ ରକ୍ତଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ସମୟରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଦିପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ଆଖପାଖ ସିସିଟିଭି ଯାଞ୍ଚ କରୁଛି ପୁଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି । ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନେ୍ଦହ କରାଯାଉଛି ।