ରସିକିଆ ଠକକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ୍ର ସାଇବର ୟୁନିଟ୍
ଭୁବନେଶ୍ୱର, ୧୩ା୯ : କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ ପକ୍ଷରୁ ଶୁକ୍ରବାର ଜଣେ ରସିକିଆ ଠକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତର ନାମ ହେଉଛି ବିରଞ୍ଚି ନାରାୟଣ ନାଥ ଓ ତାଙ୍କ ଘର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ । ବିରଞ୍ଚି ଦ୍ୱିତୀୟ ବିବାହ କରିବା ଆଳରେ ରାଜ୍ୟ ତଥା ରାଜ୍ୟ ବାହାରର ଏକାଧିକ ମହିଳାଙ୍କ ସହ ସୋସିଆଲ ମିଡ଼ିଆରେ ସମ୍ପର୍କ ସ୍ଥାପନ କରି ତାଙ୍କୁ ଶାରିରୀକ ଆର୍ଥିକ ଭାବେ ହଇରାଣ କରୁଥିବା ନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରଞ୍ଚି ନିଜ ଠକେଇ ଜାଲରେ ମୁଖ୍ୟତଃ ବିଧବା, ମଧ୍ୟ ବୟସ୍କା ଓ ଅସହାୟ ମହିଳାଙ୍କୁ ଟାର୍ଗେଟ କରିଥାଏ । ସେମାନଙ୍କୁ ପ୍ରେମ ଜାଲରେ ଫସାଇବା ସହ ପରବର୍ତ୍ତୀ ସମୟରେ ସେମାନଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପରେ ନିବିଡ଼ତା ବଢ଼ାଇଥାଏ । ପରବର୍ତ୍ତୀ ସମୟରେ ବିରଞ୍ଚି ମହିଳାଙ୍କ ଅନ୍ତରଙ୍ଗ ମୁହୃର୍ତ୍ତର ଫଟୋ ଉତ୍ତୋଳନ କରି ନିଜ ପାଖରେ ରଖିବା ସହ ବ୍ଲାକମେଲିଂ କରି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥାଏ । ଏନେଇ କଟକର ଜଣେ ବିଧବା ମହିଳା କ୍ରାଇମବ୍ରାଞ୍ଚର ସାଇବର ସେଲରେ ଅଭିଯୋଗ କରିବା ପରେ ସେଲ ପକ୍ଷରୁ ଏହାର ତଦନ୍ତ କରାଯାଇ ବିରଞ୍ଚିଙ୍କ ସଂକ୍ରାନ୍ତରେ ଏତେ ସବୁ ସତ୍ୟ ବାହାର କରାଯାଇଥିଲା । ପରବର୍ତ୍ତୀ ସମୟରେ ଶୁକ୍ରବାର ବିରଞ୍ଚିଙ୍କୁ ଗିରଫ କରାଯାଇଛି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କର ୨୦୨୨ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇଥିବା ବେଳେ ତାଙ୍କର ୨ଟି ଶିଶୁ କନ୍ୟା ରହିଛନ୍ତି । ବିରଞ୍ଚି ତାଙ୍କୁ ମଧ୍ୟ ସୋସିଆଲ ମିଡ଼ିଆରେ ଯୋଗାଯୋଗ କରି ନିଜକୁ ପ୍ରଭାକର ଶ୍ରୀବାସ୍ତ ବୋଲି ପରିଚୟ ଦେବା ସହ ସେ ରେଳବାଇର ଟିଟି ଭାବେ ଚାକିରୀ କରୁଥିବା କହି ଠକିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା କି, ଅଭିଯୁକ୍ତ ବିରଞ୍ଚି ଦ୍ୱିତୀୟ ବିବାହ କରିବା ଆଳରେ ମେଟ୍ରୋମୋନିଆଲ ସାଇଡରେ ନିଜର ‘ସେକେଣ୍ଡ ମ୍ୟାରେଜ’ ପାଇଁ ପ୍ରସ୍ତାବ ଖୋଜୁଥିଲା । ତେବେ ବିରଞ୍ଚି ଉକ୍ତ ମେଟ୍ରୋମୋନିଆଲ ସାଇଡ଼ରେ ନିଜକୁ ରେଳବାଇ,ଆୟକର ବିଭାଗର ଇନ୍ସପେକ୍ଟର, ବାଣିଜ୍ୟ ଓ ପଣ୍ୟ ନିଗମର ଅଧିକାରୀ ଭାବେ ମିଥ୍ୟା ପରିଚୟ ଦେବା ସହ ବିବାହ ପାଇଁ ଇଚ୍ଛୁକ ଥିବା ଦର୍ଶାଉଥିଲା । ବିରଞ୍ଚିଙ୍କ ଟାର୍ଗେଟରେ ମୁଖ୍ୟତଃ ବିଧବା, ଅବିବାହିତା ମଧ୍ୟ ବୟସ୍କା ଓ ଛାଡ଼ପତ୍ର ହୋଇଥିବା ମହିଳା ହିଁ ଟାର୍ଗେଟରେ ଥିଲେ । ଆରମ୍ଭରୁ ବିରଞ୍ଚି ଇଚ୍ଛୁକ ଥିବା ମହିଳାଙ୍କୁ ୱେବସାଇଡ ମାଧ୍ୟମରେ ବିବାହ ପାଇଁ ପ୍ରସ୍ତାବ ପଠାଇବା ପରେ ପରେ ତୁରନ୍ତ ସେମାନଙ୍କ ସହ ଫୋନରେ କଥା ହେବା ସହ ପରବର୍ତ୍ତୀ ସମୟରେ ସେମାନଙ୍କ ଘରକୁ ଯାଉଥିଲା । ସେ ମୁଖ୍ୟତଃ ମହିଳାମାନଙ୍କୁ ଜୀବନସାରା ସୁଖ ଦେବାର ପ୍ରତିଶ୍ରୁତି ଦେବା ସହ ଯଦି କାହାର ପିଲାଛୁଆ ଥାଏ ତେବେ ସେମାନଙ୍କର ମଧ୍ୟ ଯତ୍ନ ନେବାକୁ ବିରଞ୍ଚି ପ୍ରତିଶ୍ରୁତି ଦେଉଥିଲା । ଯେହେତୁ ୱେବସାଇଡ଼ରେ ବିରଞ୍ଚି ବହୁ ଉଚ୍ଚ ପଦବୀରେ ଚାକିରୀ କରିଥିବା ଦର୍ଶାଉଥିଲା ତେଣୁ ମହିଳାମାନେ ତାଙ୍କୁ ପସନ୍ଦ କରୁଥିଲା । ଏପରିକି ବହୁ ମହିଳାଙ୍କୁ ବିବାହ କରିବା ପରେ ଚାକିରୀ କରାଇ ଦେବାର ମିଛ ପ୍ରତିଶ୍ରୁତି ମଧ୍ୟ ଧୂର୍ତ୍ତ ବିରଞ୍ଚି ଦେଉଥିଲା । ଏହି ଆଳରେ ସେ ଏକାଧିକ ମହିଳାଙ୍କୁ ବିଭିନ୍ନ ମନ୍ଦିରରେ ବିବାହ କରୁଥିଲା କିନ୍ତୁ ବିବାହ ପରେ ତାଙ୍କୁ ନିଜ ଘରକୁ ନ ନେଇ ସେମାନଙ୍କ ଘରକୁ ହିଁ ଯାଉଥିଲା । ଏହି କ୍ରମରେ ବିରଞ୍ଚି ମହିଳାଙ୍କ ସହ ବିତାଇଥିବା ଶାରିରୀକ ସମ୍ପର୍କର ଫଟୋ ଏବଂ ଭିଡ଼ିଓକୁ ଅତି ଚତୁରତାର ସହ ଉତ୍ତୋଳନ କରି ନିଜ ପାଖରେ ରଖୁଥିଲା । ପରବର୍ତ୍ତୀ ସମୟରେ ଏହି ଫଟୋକୁ ଢ଼ାଲ କରି ସେ ଏହାକୁ ସୋସିଆଲ ମିଡ଼ିଆରେ ଛାଡ଼ି ଦେବାର ଧମକ ଦେଇ ମହିଳାମାନଙ୍କ ଠାରୁ ଟଙ୍କା ଓ ସୁନା ଅଳଙ୍କାର ନେଉଥିଲା । ଅଭିଯୁକ୍ତ ବିରଞ୍ଚି ସୋସିଆଲ ମିଡ଼ିଆରେ ନିଜର ଫେକ୍ ନାମ ପ୍ରକାଶ କରି ମହିଳାମାନଙ୍କୁ ଏପରି ଠକି ଆସୁଥିଲା ।