ଆବଶ୍ୟକ ନଥିବା ସ୍ଥାନରେ କଂକ୍ରିଟ ରାସ୍ତା

 କାଳିଆପାଣି : ସାଧାରଣ ଜନତା ବା ସର୍ବସାଧାରଣଙ୍କ ଚଳପ୍ରଚଳ ନିମନ୍ତେ ରାସ୍ତାର ଆବଶ୍ୟକତା ପଡିଥାଏ । ସେ ଗାଁ ରାସ୍ତା ହେଉ କିମ୍ବା ମୁଖ୍ୟ ମୁଖ୍ୟ ରାସ୍ତାରୁ ଗାଁକୁ ସଂଯୋଗ କରୁଥୁବା ରାସ୍ତା । ଯେଉଁଠାରେ ଆବଶ୍ୟକ ନିଶ୍ଚିତ ଭାବେ ସେଠାରେ ରାସ୍ତା ତିଆରି ହେବା ଉଚିତ । କିନ୍ତୁ କାଳିଆପାଣି ଖଣି ଅଂଚଳରେ ଏମିତି ଏକ ସ୍ଥାନରେ ଗୋଟିଏ ରାସ୍ତା ନିର୍ମାଣ ହୋଇଥିବାର ଦେଖିବାକୁ ମିଳିଛି ଯେଉଁଠାରେ କି କୌଣସି ଲୋକର ଯିବାଆସିବା ପାଇଁ କିଛି ଆବଶ୍ୟକ ନାହିଁ । ରାଁଷୋଳ ପଞ୍ଚାୟତ ଅନ୍ତର୍ଗତ କଲରଙ୍ଗୀ ଅତା ନିକଟରେ ଥିବା ଗ୍ରୀଡ଼କୋ ଅଫିସ ପାଚେରୀ କଡେ ଦୃଶ୍ୟମାନହୋଇଛି ଏଭଳି ରାସ୍ତା । ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତାର କଲରଙ୍ଗୀ ଟ୍ରକ ପାର୍କିଂ ନିକଟରେ ରହିଛି ଉକ୍ତ ଗ୍ରୀଡ଼କୋ ଅଫିସ । ଠିକ ତାହାର ବାମ ପାର୍ଶ୍ୱର ପାଚେରୀ କଡେ କଡେ ମୁଖ୍ୟ ରାସ୍ତାରୁ କିଛି ମିଟର ଦୂରରେ ଏକ ବୁଦୁବୁଦିଅ ଜଙ୍ଗଲ ମଝିରେ ୮/୧୦ ବର୍ଷର ପୁରୁଣା ଭଙ୍ଗା କଂକ୍ରିଟ ରାସ୍ତା ଦେଖିବାକୁ ମିଳିଛି । ରାସ୍ତାର ଅବସ୍ଥା ଦେଖିଲେ ଯେକେ ହି ବି କହିବେ ଯେ ଉକ୍ତ ରାସ୍ତାଟି ନିର୍ମାଣ ହେବା ଦିନଠାରୁ କେହି ଜଣେହେଲେ ଲୋକ କିମ୍ବା ଗାଡି ମୋଟର ଚଳପ୍ରଚଳ କରିନି । ଉକ୍ତ ସ୍ଥାନରେ ଏକ କଂକ୍ରିଟ ରାସ୍ତାର କୌଣସି ଆବଶ୍ୟକତା ନଥିବା ଜଣାପଡେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଉକ୍ତ ରାସ୍ତା ପାଇଁ କୌଣସି ସୂଚନା ଫଳକ ଲଗାଯାଇନାହିଁ । 
ତେବେ ସାଧାରଣରେ ଚର୍ଚ୍ଚା ଯେ ଉକ୍ତ ସ୍ଥାନରେ କାହିଁକି ଏକ ଅର୍ଦ୍ଧ ନିର୍ମିତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । କିଏ ଏହାକୁ ନିର୍ମାଣ କରିଥିଲା । ଯଦି ଏକ ଆବଶ୍ୟକତାକୁ ନେଇ କୁହାଯିବ ତେବେ ଖଣି ଅଂଚଳରେ ଏମିତି ଅନେକ ଗାଁ ବା ପଡା ରହିଛି ଯେଉଁଠି ଆଜିଯାଏଁ ମାଟି କିମ୍ବା ମୋରମ ରାସ୍ତାଟିଏ ହୋଇନାହିଁ । ଗାଁ ଲୋକମାନେ ଖରାବର୍ଷା ସବୁଦିନେ ଯିବାଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥଳେ କାହା ସ୍ୱାର୍ଥରେ ଉକ୍ତ ରାସ୍ତାଟି ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଛି ଏବଂ କିଏ ନିର୍ମାଣ କରିଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।