ଠିକାଦାରଙ୍କୁ ରୋଜଗାର ଯୋଗାଉଛି ମନରେଗା : କାର୍ଯ୍ୟ ଶେଷର ୬ ମାସ ପରେ ବି କାର୍ଯ୍ୟ ଜାରିଥିବା ଦର୍ଶାଇ ଉଠୁଛି ଟଙ୍କା
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ପ୍ରହସନ ପାଲଟିଛି ମନରେଗା କାର୍ଯ୍ୟ । ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ରୋଜଗାରର ଯୋଗାଇବାର ପନ୍ଥା ଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ବର୍ତ୍ତମାନ ଏହି ଯୋଜନା କିନ୍ତୁ ଶ୍ରମିକ ବଦଳରେ ମେସିନ ମାଲିକ ଓ ଠିକାଦାରଙ୍କୁ ଯୋଗାଉଛି ରୋଜଗାର । ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହେଉଥିବା ମନରେଗା କାର୍ଯ୍ୟକୁ ନେଇ ପୂର୍ବରୁ ଅନେକ ପିଆରଏସଏନ ଉଠିବା ସହ ଅନେକ ସ୍ଥାନରେ ମେସିନ ଦ୍ୱାରା କାର୍ଯ୍ୟ କରୁଥିବା କଥା ପ୍ରମାଣିତ ହୋଇଥିବା ସତ୍ତ୍ୱେ ଏହି ପ୍ରକ୍ରିୟା କମିବାର ନା ନେଉନି । ଯାହାକୁ ନେଇ ପୁଣି କିଛି ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରୁ । ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଗ୍ରାମ ଠାରୁ ଅମୃତସରୋବର କାଙ୍ଗୁରକୋଣ୍ଡା ଯାଏଁ ମନରେଗା ଯୋଜନା ଦ୍ୱାରା ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରଯାଇଥିଲା । ତେବେ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ରାସ୍ତା କାର୍ଯ୍ୟ ପ୍ରାୟ ୫ ମାସରୁ ଊର୍ଦ୍ଧ୍ୱ ମାସ ପୂର୍ବରୁ ମେସିନ୍ ଦ୍ୱାରା ନିର୍ମାଣ କରାଯାଇଥିବା ବେଳେ ଏହି ରାସ୍ତା କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଥିବା ଦର୍ଶାଇ କିଛି ଲୋକଙ୍କ ଫୋଟ ଏନଏମଏସ ମାଧ୍ୟମରେ ଅପଲୋଡ କରି ଟଙ୍କା ଉଠା ଯାଉଛି । ତେବେ ଏଠାରେ ପିଆରଏସଏନ୍ ଉଠୁଛି ଯେ ଏହି ରାସ୍ତା ଯଦି ନିର୍ମାଣ ହୋଇ ସାରିଛି ତେବେ ବର୍ତ୍ତମାନ ଟଙ୍କା କିଭଳି ଭାବେ ଉଠୁଛି । ତେବେ ଏ ନେଇ ଆମେ ପୂର୍ବରୁ ଏହି କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଶିବାସିସ ବିଶ୍ୱାସଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏହି କାର୍ଯ୍ୟ ମୁଁ ଥିବା ସମୟରେ ଏହି ରାସ୍ତା ଶେଷ ହୋଇଯାଇଥିଲା । ତେବେ ବର୍ତ୍ତମାନ ମୁଁ ଏହି ଦାୟିତ୍ୱରେ ନାହିଁ ବୋଲି ପ୍ରକାଶ କରିଥଲେ । ଏହି ବିଷୟରେ ଦାୟିତ୍ୱରେ ଥିବା ଜିଆରଏସଙ୍କୁ ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ୱେ ସେ ଫୋନ ଉଠାଇ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିନଥିଲା । ଏନେଇ ଆମେ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ବିଷୟରେ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପଠାଇବେ ବୋଲି ପ୍ରକାଶ କରିଛନ୍ତି । ତେବେ ଘଟଣାର ତଦନ୍ତ ହେଲେ ସତ୍ୟତା ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।