ଆବାସ ପାଇଁ ୧୦ ହଜାର ,ଥାନାର ଦ୍ୱାରସ୍ଥ ହେଲେ ହିତାଧିକାରୀ
ାା ପ୍ରଭାନୁ୍ୟଜ ।ା ଯାଜପୁର: ଭତ୍ତା କେଳେଙ୍କାରୀକୁ ନେଇ କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ବିଞ୍ଝାରପୁର ବ୍ଲକ ଯାବତୀୟ ଦୁର୍ନୀତିରେ ଖୁନ୍ଦି ହୋଇପଡ଼ିଛି ବୋଲି ଶାସକ ଦଳର ନେତ୍ରୀ ବବିତା ମଲିକ ସାଂଘାତିକ ଅଭିଯୋଗ ଆଣିଥିଲେ । ଭତ୍ତା କେଳେଙ୍କାରୀ ଭଳି ବିଞ୍ଝାରପୁରରେ ଆବାସ କେଳେଙ୍କାରୀ ଭର୍ତ୍ତି ହୋଇଥିବା କଥା ମଧ୍ୟ ବିଜେପି ନେତ୍ରୀ ବବିତା ଉଠାଇଥିଲେ । ଅଭିଯୋଗରେ ବବିତା ବିଜେଡ଼ି ଶାସନ ସମୟରେ ଦୁର୍ନୀତିରେ ରାଜନେତା ଏବଂ ପ୍ରଶାସନୀକ କଳର ସଂପୃକ୍ତି ଥିବା କଥା କହିଥିଲେ । ହୋଇପାରେ ଜଣେ ରାଜନେତ୍ରୀ କରିଥିବା ଅଭିଯୋଗକୁ ରାଜନୀତି କରାଯାଉଛି ବୋଲି କେହି କହିପାରେ । ବିଞ୍ଝାରପୁରରେ ଆବାସ କେଳେଙ୍କାରୀର ଅଭିଯୋଗ ବହୁ ପୂର୍ବରୁ ହୋଇଆସିଥିବା ବେଳେ ଆବାସ ପାଇଁ ଜଣେ ପଞ୍ଚାୟତ ପ୍ରତିନିଧିଙ୍କ ପ୍ରତିନିଧି ୧୦ହଜାର ଟଙ୍କା ନେବା ଭଳି ଘଟଣା ସାମ୍ନାକୁ ଆସିଛି । ଆବାସ ନଦେବା, କି ଟଙ୍କା ନଫେରାଇବା କାରଣରୁ କଥାଟି କେବଳ ପଦାକୁ ଆସିନି, ଏନେଇ ଥାନାରେ ଅଭିଯୋଗ କରିଛନ୍ତି କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମର ଚକ୍ରଧର ପତି । ସେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି କି ଆବାସ କରାଇଦେବାକୁ କହି ସରପଞ୍ଚଙ୍କ ସ୍ୱାମୀ ୧୦,୦୦୦ ଟଙ୍କା ନେଇଥିଲେ ହେଁ ନଫେରାଇବାରୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଶ୍ରୀପତିଙ୍କ ପୁଅ ନାମରେ ଆବାସ ଯୋଜନାରେ ଘର କରାଇଦେବା କହି ସରପଞ୍ଚ ସୁଶ୍ରୀ ସଂଗୀତା ନାୟକଙ୍କ ସ୍ୱାମୀ ସ୍ମୃତିରଞ୍ଜନ ଆବଶ୍ୟକୀୟ କାଗଜ ପତ୍ର ସହିତ ୨୦ ହଜାର ଟଙ୍କା ଦେବାକୁ କହିଥିଲେ । ହେଲେ ସେ ଅଗ୍ରିମ ଆକାରରେ ୧୦ହଜାର ଟଙ୍କା ଦେଇଥିଲେ । କିନ୍ତୁ ବର୍ଷେ ପୁରି ଯାଇଥିଲେ ମଧ୍ୟ ଘର ନମିଳିବାରୁ ସ୍ମୃତିଙ୍କୁ ଟଙ୍କା ମାଗିଥିଲେ ସେ । ଟଙ୍କା ଫେରସ୍ତ କରିବାତ ଦୂରର କଥା ଓଲଟି ସ୍ମୃତିରଞ୍ଜନ ଅସାମାଜିକ ବ୍ୟବହାର କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଚକ୍ରଧର । ତେବେ ଏନେଇ ସରପଞ୍ଚଙ୍କ ସ୍ୱାମୀ ସ୍ମୃତିରଞ୍ଜନଙ୍କ ମତାମତ ନେବାକୁ ଚେଷ୍ଠା କରାଯାଇଥିଲେ ହେଁ ସେ ଫୋନ ଗ୍ରହଣ କରିନଥିଲେ । ଏବେ ଦେଖିବାର ଅଛି, ପୁଲିସ ଶ୍ରୀ ପତିଙ୍କ ଅଭିଯୋଗକୁ ଭତା ଅଭିଯୋଗ ଭଳି ଚାପି ଦେବାକୁ ଚେଷ୍ଠା କରୁଛି ନାଁ ସରପଞ୍ଚଙ୍କ ସ୍ୱାମୀଙ୍କୁ ତଦନ୍ତ ପରିସରଭୃକ୍ତ କରୁଛି ।