ଆମପାଣି ଆବାସିକ ସ୍କୁଲ ନାଁରେ ଅଭିଯୋଗ : ସ୍ୱାସ୍ଥ୍ୟ ଖରାପ ଥିବା ଛାତ୍ରକୁ ଉପାସରେ ରଖିଲେ କର୍ତ୍ତୃପକ୍ଷ
କୋକସରା : ବିଭିନ୍ନ ସମୟରେ ଚର୍ଚ୍ଚାର ପରିସରରେ ଥିବା କୋକସରା ବ୍ଲକ ଆମପାଣି ସ୍ଥିତ ଆବାସିକ ବିଦ୍ୟାଳୟ ନାଁରେ ପୁଣି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରର ଅବିଭାବକ । ଏଥର କିନ୍ତୁ ଏମିତି ସେମିତି ଅଭିଯୋଗ ନୁହେଁ, ଜଣେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଅସୁସ୍ଥତା ଅନୁଭବ କରିବା ପରେ ସ୍କୁଲ କର୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ ଛାତ୍ରଙ୍କ ଘର ଲୋକଙ୍କୁ ଜଣାଇବା ସହ ମେଡିକାଲ ନେବା ବଦଳରେ ଦାୟିତ୍ୱରେ ଥିବା ଶିକ୍ଷକ ଧମକ ଦେଇ ଉପାସରେ ରଖିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରଙ୍କ ଅଭିଭାବକ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ, ଛାତ୍ର ଅରୁଣ ବିଷି ଆମପାଣି ଆଶ୍ରମ ସ୍କୁଲର ଅନ୍ତେବାସୀ ଛାତ୍ର ଅଟନ୍ତି । ସେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରି ଆସୁଛନ୍ତିକ୍ଷ ତାଙ୍କୁ ଜ୍ୱର ହେବା ଓ ସ୍ୱାସ୍ଥ୍ୟ ଭଲ ନଥିବା କଥା ଦାୟିତ୍ୱରେ ଥିବା ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କୁ ଛାତ୍ର ଜଣକ ଜଣେଇ ଥିଲେ । କିନ୍ତୁ ଶିକ୍ଷକ ଜଣକ ମେଡିକାଲ ନେବା ପରିବର୍ତ୍ତେ ରାତିରେ ହିଁ ବାହାରି ଯିବାକୁ ଛାତ୍ରକୁ ଧମକ ଦେବା ସହିତ ଉପାସରେ ରଖିଥିବା ଅଭିଯୋଗ ହୋଇଛିକ୍ଷ ଏଣେ ସକାଳୁ ଛାତ୍ର ଜଣକ ଜଣେ ସେବକଙ୍କ ଫୋନ୍ ମାଗି ଘରକୁ ଯୋଗାଯୋଗ କରି ଉକ୍ତ ବିଷୟରେ ଅବଗତ କରିଥିଲେ । ଏହାପରେ ଛାତ୍ରଙ୍କ ବିଧବା ମା’ ଭବାନୀ ବିଶି ତାଙ୍କୁ ଆଣିବାକୁ ଯାଇ ପୁଅର ସ୍ୱାସ୍ଥ୍ୟବସ୍ଥା ଓ ଉପାସରେ ରହିବା କଥା ପ୍ରଧାନଶିକ୍ଷକ ସୁଶାନ୍ତ ସାହୁଙ୍କୁ ଜଣେଇଥିଲେ । ହେଲେ ପ୍ରଧାନଶିକ୍ଷକ ଜଣକ ରାଗ ତମ ତମ୍ ହୋଇ ଅଭିଭାବିକା ଜଣକୁ ଅସଭ୍ୟ ବ୍ୟବହାର ଦେଇ ଘଉଡ଼ାଇ ଦେଇଥିବା ଅବିଭାବିକା ଜଣକ ଅଭିଯୋଗ କରିଛନ୍ତି । ଏନେଇ ଅଭିଭାବିକା ଜଣକ କୋକସରା ବିଡ଼ିଓଙ୍କ ଦ୍ୱାରସ୍ତ ହୋଇ ଅଭିଯୋଗ କରିଥିଲେ । ଏହାପରେ ବିଡ଼ିଓ ସିମାଞ୍ଚଳ ମାଝୀ ବିଭାଗୀୟ ଅଧିକାରୀଙ୍କୁ ଜଣେଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିବା ଜଣାପଡିଛି । ଏ ବିଷୟରେ କୋକସରା ବିଇଓଙ୍କୁ ଅବଗତ କରିବାରୁ ଡବ୍ଲୁଇଓ ଏବଂ ଡିଡବ୍ଲୁଙ୍କୁ ଅବଗତ କରାଇବା ସହ ତଦନ୍ତ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ରିସିଭ୍ ନକରିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।