୧୦ ବର୍ଷ ପରେ ମାନସିକ ବିକୃତ ଯୁବକଙ୍କୁ ମିଳିଲା ପରିବାର

ବୈଶିଙ୍ଗା:  ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ବଜାରରେ ଦୀର୍ଘ ବର୍ଷ ଧରି ବୁଲୁଥିବା ଜଣେ ମାନସିକ ବିକୃତ ଯୁବକଙ୍କୁ ପ୍ରାୟ୧୦ ବର୍ଷ ପରେ ତାଙ୍କ ପରିବାର ମିଳିଛି  । କେତେବେଳେ ସେ ଭୋକ ବିକଳରେ ବିଭିନ୍ନ ଖାଇବା ଦୋକାନ ଫିଙ୍ଗୁଥିବା ଅଇଁଠା ଖାଉଥିଲେ ତ କେତେବେଳେ ବଜାର ମଝିରେ ପଶୁପକ୍ଷୀ ପିଇବା ପାଇଁ ରଖାଯାଇଥିବା ପାଣିକୁଣ୍ଡରୁ ପାଣି ପିଉଥିଲେ । ଏହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲା । ଏହି ଖବର ଉପରେ ଝାଡ଼ଖଣ୍ଡ ସିମ୍ଭୁମ୍ ଜିଲ୍ଲା କୋମୁରଡୁଙ୍ଗି ଥାନା ଅଧିନର ଟାଙ୍ଗର ଗ୍ରାମରେ ଥିବା ଏହି ମାନସିକ ବିକୃତ ଯୁବକଙ୍କ ପରିବାର ବର୍ଗଙ୍କ ନଜର ପଡିଥିଲା । ଖବର ଦେଖି ଏହି ମାନସିକ ବିକୃତ ଯୁବକଙ୍କୁ ଚିହ୍ନିଥିଲେ ଯେ ୧୦ ବର୍ଷ ପୂର୍ବେ ଘର ଛାଡି ଯାଇଥିବା ଜତିନ କୁମାର ନାୟକ ବୋଲି । ବିଭିନ୍ନ ସୂତ୍ରରୁ ଖବର ପାଇ ପରିବାର ବର୍ଗ ସାମ୍ବାଦିକ ଜଗନ୍ନାଥ ହେମ୍ବ୍ରମଙ୍କୁ ଯୋଗାଯୋଗ କରି ଜତିନଙ୍କ ବାବଦରେ ପଚାରି ବୁଝିଥିଲେ । ଜତିନଙ୍କ ପରିବାର ବର୍ଗ ମଧ୍ୟରୁ ଭଉଣୀ, ଭିଣୋଇ, କକା, ମାମୁଁ , ଭାଉଜଙ୍କ ସମେତ ଗ୍ରାମବାସୀ ଝାଡ଼ଖଣ୍ଡରୁ ଓଡିଶା ଆସି ବୈଶିଙ୍ଗା ବଜାରରେ ପହଞ୍ଚିଥିଲେ । ସାମ୍ବାଦିକ ହେମ୍ବ୍ରମଙ୍କ ସହାୟତାରେ ମାନସିକ ବିକୃତ ଯୁବକଙ୍କୁ ବୈଶିଙ୍ଗା ବଜାରରେ ପାଇ ପରିବାର ବର୍ଗ ଦୀର୍ଘ ୧୦ ବର୍ଷ ପରେ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ବୈଶିଙ୍ଗା ଥାନା ପହଞ୍ଚô ଏକ ସ୍ୱୀକାରୋକ୍ତି ପତ୍ର ପ୍ରଦାନ କରି ଜତିନଙ୍କୁ ସାଙ୍ଗରେ ନେଇ ଯାଇଥିବା ଜଣାପଡିଛି ।