ଆଜିଠାରୁ ପୋଲିସ୍ ହକି ଚାମ୍ପିଅନସିପ୍
ଭୁବନେଶ୍ୱର : ଆଜିଠାରୁ ଠାରୁ ଆରମ୍ଭ ହେବ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିଅନସିପ୍ । ଆଜି ଭୁବନେଶ୍ୱର ସ୍ଥିତ ପୋଲିସ୍ ଭବନରେ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ର ପ୍ରାରମ୍ଭିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଲୋଗୋ ଏବଂ ମାସ୍କଟ-ଆଶା’କୁ ଲୋକାର୍ପଣ କରିଛନ୍ତି । କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ଅବସ୍ଥାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀମାନେ ହାତୀ ଛୁଆକୁ ଉଦ୍ଧାର କରିଥିଲେ । ପରେ ତାକୁ ସେଠାରୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା । ତାର ଏହି ସଂଘର୍ଷମୟ କାହାଣୀ ଉପରେ "ଆଶା’ ଆଧାରିତ । ଏହି ମାସକଟ୍ "ଆଶା’ ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି ବୋଲି ଡିଜିପି ନିଜ ଅଭିଭାଷଣରେ କହିଥିଲେ ।
ଓଡ଼ିଶା ପୋଲିସ ଏହି ଚାମ୍ପିୟନସିପ୍କୁ ଦ୍ୱିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଶ୍ରୀ ଖୁରାନିଆ ଖୁସି ବ୍ୟକ୍ତ କରିବା ସହ ଏଥିନିମନ୍ତେ ସେ ସର୍ବଭାରତୀୟ ପୋଲିସ୍ କ୍ରୀଡା ନିୟନ୍ତ୍ରଣ ବୋର୍ଡ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଚାମ୍ପିୟନସିପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅପ୍ରେଲ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ।
ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ସିଆଇଏସଏଫ୍, ସିଆରପିଏଫ୍, ବିଏସଏଫ୍, ଆଇଟିବିପି ଓ ଏସଏସବି ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦଳଗୁଡ଼ିକ ଏହି ପ୍ରତିଯୋଗିତାରେ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ଡିଜିପି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର ) ରାଜେଶ କୁମାର, ଆୟୋଜନ କମିଟିର ସମ୍ପାଦକ ତଥା ଆଇଜି (ତାଲିମ୍) ଅନୁପ କୁମାର ସାହୁ, ସମସ୍ତ ଟିମର ମ୍ୟାନେଜର ଏବଂ ଅଧିନାୟକ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।