ଦ୍ୱିତୀୟ ଦିନିକିଆ : ଜିତିଲା ସାଉଥ ଆଫ୍ରିକା
ବେକାର ବିରାଟ-ଋତୁରାଜଙ୍କ ଶତକ
ରାୟପୁର : ଛତିଶଗଡ ରାୟପୁରରେ ଆଜି ଥିଲା ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ । ଏଠାରେ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା । ଆଉ ଭାରତ ଏଠାରେ ଦମାଦାର ବ୍ୟାଟିଂ କରି ୩୫୮ ରନର ବିଶାଳ ସ୍କୋର କରିଥିଲା । ଦକ୍ଷିଣ ଆଫ୍ରିକା ପାଇଁ ୩୫୯ ରନର ବଡ ଟାର୍ଗେଟ ଦେଇଥିଲା ଭାରତ । ମାତ୍ର ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋରକୁ ଚେସ କରି ଏହି ମ୍ୟାଚ ଜିତି ଯାଇଥିଲା । ଦକ୍ଷିଣ ଆଫ୍ରିକା ୬ ୱିକେଟ ବିନିମୟରେ ୪୯.୨ ଓଭରରେ ୩୬୨ ରନ କରି ଏହି ମ୍ୟାଚ ଜିତିଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଡେନ ମାରକ୍ରମ ୯୮ ବଲରୁ ୧୧୦ ରନ, ଡିୱାଲଡ ବ୍ରେଭି ୩୪ ବଲରେ ୫୪ ରନ ଓ ମାଥ୍ୟୁ ବ୍ରିଟଜିକ ୬୪ ବଲରୁ ୬୮ ରନ କରିଥିଲେ । ଭାରତ ପକ୍ଷରୁ ରାଞ୍ଚି ପରେ ରାୟପୁରରେ ଶତକ ହାସଲ କରିଥିଲେ କୋହଲି । କୋହଲି ଓ ଋତୁରାଜ ଗାଏକ୍ୱାଡଙ୍କ ଶତକ ବଳରେ ଭାରତ ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ୫ ୱିକେଟ୍ ହରାଇ ୩୫୮ ରନ କରିଥିଲା । ଗାଏକ୍ୱାଡ ୧୦୫ ରନ ଓ କୋହଲି ୧୦୨ ରନର ଶତକୀୟ ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ପୁଣି ଥରେ ୬୬ ବିସ୍ଫୋରକ ଅଧିନାୟକତ୍ୱ ଇନିଂସ ଖେଳିଥିଲେ । ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ ୨ଟି ୱିକେଟ୍ ନେଇଥିଲେ । ତେବେ ଦକ୍ଷିଣ ଆଫ୍ରିକା ବିଜୟ ପରେ କୋହଲି ଓ ଋତୁରାଜଙ୍କ ଶତକ ବୃଥା ହୋଇଯାଇଛି ।
ଟସ୍ ହାରି ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଓ ଜୟସ୍ୱାଲ ୪୦ ରନ ଯୋଡିଥିଲେ । ରୋହିତ ୮ ବଲରୁ ୧୪ ରନ କରିଥିଲେ ହେଁ ବଡ ସ୍କୋର କରି ପାରି ନ ଥିଲେ । ଯଶସ୍ୱୀ ଜୟସ୍ୱାଲ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ । ସେ ୨୨ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ଋତୁରାଜ ଗାଏକ୍ୱାଡ ଇନିଂସ ସମ୍ଭାଳିଥିଲେ । ଆଜି ଋତୁରାଜ ଗାଏକ୍ୱାଡ ଭଲ ଫର୍ମରେ ନଜର ଆସିଥିଲେ । ଦୁଇ ବ୍ୟାଟର ବିପକ୍ଷ ବୋଲରଙ୍କୁ ପ୍ରହାର କରି ନିଜର ଶତକ ପୂରଣ କରିଥିଲେ । ଗାଏକ୍ୱାଡ ପ୍ରଥମ ଦିନିକିଆ ଶତକ ହାସଲ କରିଥିବା ବେଳେ କୋହଲି ସିରିଜରେ ଲଗାତାର ଦ୍ୱିତୀୟ ଶତକ ହାସଲ କରିଛନ୍ତି । କୋହଲିଙ୍କ ଏହା ୫୩ତମ ଦିନିକିଆ ଶତକ ।